ଟ୍ରାକ୍ଟର-ଟ୍ରକ୍ ଧକ୍କାରେ ୩ ଶ୍ରମିକ ମୃତ

ମାଲକାନଗିରି,୨୩/୮(ଏସଏସନିୟୁଜ)ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମ ନିକଟରେ ଗତକାଲି ରାତି ପ୍ରାୟ ୧୧ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଶ୍ରମିକ ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

ଗତକାଲି ରାତିରେ କାଲିମେଳାରୁ ଚିପସ୍ ନେଇ ଗୋଟିଏ ଟ୍ରାକ୍ଟର ଏମ୍‌ଭି-୧୭ ନିକଟରେ ଅଟକି ରହିଥିବାବେଳେ ଶ୍ରମିକମାନେ ଡାଲାରେ ବସିଥିଲେ। ଏହି ସମୟରେ ଗୁଣ୍ଟୁରରୁ ସିମେଣ୍ଟ ନେଇ ମାଲକାନଗିରି ଦ୍ରୁତଗତିରେ ଆସୁଥିବା ଟ୍ରକ୍ (ଏପି ୦୭ପିଏଚ୍ ୦୬୬୬) ନିୟନ୍ତ୍ରଣ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା।ଫଳରେ ଟ୍ରକ୍‌ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଇଂଜିନ ଆଉ ଟ୍ରାକ୍ଟର ଡାଲା ଅଲଗା ହୋଇଯାଇଥିଲା। ଏଥିରେ ୬ଜଣ ଶ୍ରମିକ ଆହତ ହୋଇଥିଲେ।ଖବରପାଇ ମାଲକାନଗିରି ଥାନାପୋଲିସ ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା।ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଗୁଡ଼ା ଗାଁର ରୁଦ୍ର ନାୟକ ଏବଂ ଗୌଡ଼ଗୁଡ଼ା ଗାଁର କିଶୋର ଗୌଡ଼ଙ୍କ ମୃତ୍ୟୁ ହୋଇଯାଇଥିଲା। ଗୌଡ଼ଗୁଡ଼ା ଗାଁର ଲକ୍ଷ୍ମଣ ଗୌଡ଼ଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ନ ଆସିବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ଅନ୍ୟ ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ସୂଚନା ମିଳିଛି।

Comments (0)
Add Comment