ଭୁବନେଶ୍ୱର,୩୦।୬(ଏସଏସନିଉଜ) ଜୁନ୍: ମଧ୍ୟଯୁଗୀୟ ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ଶାସକ ତଥା ଓଡ଼ିଶାର ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବଙ୍କ ୫୯୧ତମ ସିଂହାସନ ଆରୋହଣ ଦିବସ ଆଜି ଭୁବନେଶ୍ୱର ଓଲ୍ଡ ଟାଉନସ୍ଥିତ ଶ୍ରୀ କପିଳେଶ୍ୱର ମନ୍ଦିର ପରିସରରେ ଶ୍ରଦ୍ଧା ଓ ଗରିମାର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ଭାରତୀୟ ଜନତାପାର୍ଟିର ପୂର୍ବତନ ରାଜ୍ୟସଭାପତି ସମୀରମହାନ୍ତି ଏବଂ ବିଜେପିର ବରିଷ୍ଠନେତା ଗୋଲକ ମହାପାତ୍ର ଶ୍ରୀକପିଳେଶ୍ୱର ମନ୍ଦିର ପରିସରରେ ଅବସ୍ଥିତ କପିଳେନ୍ଦ୍ର ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ ଏବଂ ତାଙ୍କ ଅମର ଅବଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ପରେ ଆୟୋଜିତ ସଭାରେ ଉଭୟ ନେତା ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଗଜପତି କପିଳେନ୍ଦ୍ରଦେବଙ୍କ ବୀରତ୍ୱ,ସୁଦୂରପ୍ରସାରୀ ନେତୃତ୍ୱ ଏବଂ ଓଡ଼ିଶାର ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିଲେ।
https://www.facebook.com/share/r/1DunfQmm3a/
ନେତୃବୃନ୍ଦ କହିଥିଲେଯେ, ୨୯ଜୁନ୍ ୧୪୩୫ ଖ୍ରୀଷ୍ଟାବ୍ଦରେ କପିଳେନ୍ଦ୍ର ଦେବଙ୍କ ସିଂହାସନ ଆରୋହଣ କେବଳ ଓଡ଼ିଶାପାଇଁ ନୁହେଁ,ସମଗ୍ର ଭାରତର ରାଜନୈତିକ ଓ ସାଂସ୍କୃତିକ ଇତିହାସରେ ଏକ ନୂତନ ଯୁଗର ଶୁଭାରମ୍ଭ କରିଥିଲା।ଏକ ସାଧାରଣ ପରିବାରରୁ ଉଠି ନିଜର ଅଦ୍ୱିତୀୟ ସାମରିକ ଦକ୍ଷତା ଓ ଦୂରଦର୍ଶୀ ନେତୃତ୍ୱବଳରେ ସେ ଓଡ଼ିଶାର ସର୍ବଶ୍ରେଷ୍ଠ ସମ୍ରାଟ ଭାବେ ପ୍ରତିଷ୍ଠିତ ହୋଇଥିଲେ।
ସେମାନେ ଆହୁରି କହିଥିଲେଯେ, ଗଜପତି କପିଳେନ୍ଦ୍ରଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ଏବଂ ନିଜକୁ ମହାପ୍ରଭୁଙ୍କ ପ୍ରଥମସେବକ ବା ‘ଗଜପତି’ ଭାବେ ପରିଚିତ କରାଇ ଓଡ଼ିଶାର ଗୌରବମୟ ଗଜପତି ପରମ୍ପରାର ଶୁଭାରମ୍ଭ କରିଥିଲେ। ତାଙ୍କ ଶାସନ କାଳରେ ଓଡ଼ିଶାର ସାମ୍ରାଜ୍ୟ ବର୍ତ୍ତମାନର ଓଡ଼ିଶା,ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ,ବିହାର,ଛତିଶଗଡ଼,ଆନ୍ଧ୍ରପ୍ରଦେଶ,କର୍ଣ୍ଣାଟକ ଓ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା।ତାଙ୍କ ଅମୂଲ୍ୟ ଅବଦାନ ଓଡ଼ିଆଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଆ ସ୍ୱାଭିମାନକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇଥିଲା।
ସମୀର ମହାନ୍ତି ଓ ଗୋଲକମହାପାତ୍ର କହିଥିଲେ ଯେ, ଓଡ଼ିଶାର ସ୍ୱାଭିମାନ, ବୀରତ୍ୱ ଓ ସାଂସ୍କୃତିକ ଗୌରବର ପ୍ରତୀକ ଗଜପତି କପିଳେନ୍ଦ୍ରଦେବଙ୍କ ଜୀବନ ଓ କାର୍ଯ୍ୟ ଆଜିର ଯୁବପିଢ଼ି ପାଇଁ ଚିରନ୍ତନ ପ୍ରେରଣା।ତାଙ୍କ ଆଦର୍ଶ ଓ ଇତିହାସକୁ ନୂତନପିଢ଼ି ନିକଟରେ ପହଞ୍ଚାଇବା ସମସ୍ତଙ୍କର ଦାୟିତ୍ୱ।ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟବ୍ୟକ୍ତି, ଇତିହାସବିତ୍,ସାହିତ୍ୟିକ,ସମାଜସେବୀ ଓ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଗଜପତି କପିଳେନ୍ଦ୍ର ଦେବଙ୍କ ଅମର କୀର୍ତ୍ତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Prev Post
Next Post
