୬ ବିଷୟରେ ନେଟ୍ କ୍ୱାଲିଫାଏ କରି ରେକର୍ଡ କଲେ ଯୁବକ

0 295

ଭୁବନେଶ୍ବର,୧୬/୧(ସତ୍ୟସନ୍ଧାନ ଡେସ୍କ)ଗୋଟିଏ କିମ୍ବା ଦୁଇଟି ବିଷୟ ନୁହେଁ, ବରଂ ଛଅଟି ବିଷୟରେ ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‌) ପରୀକ୍ଷା ପାସ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଜଣେ ଯୁବକ। ସେ ହେଲେ କାନପୁରର ଅମିତ କୁମାର ନିରଞ୍ଜନ। ଦେଶରେ ଅନ୍ୟକେହି ଏହା କରି ନ ଥିବା କୁହାଯାଉଛି। ସେ ଜୁନ୍ ୨୦୧୦ରୁ ନଭେମ୍ବର ୨୦୨୦ ମଧ୍ୟରେ ୬ ବିଷୟରେ ୟୁଜିସି ନେଟ୍ ପାସ୍ କରିଛନ୍ତି। ବାଣିଜ୍ୟ, ଇକୋନୋମିକ୍ସ, ମ୍ୟାନେଜମେଣ୍ଟ,  ଶିକ୍ଷା, ରାଜନୀତି, ବିଜ୍ଞାନ ଏବଂ ସମାଜବିଜ୍ଞାନରେ ସେ ଏହି ଯୋଗ୍ୟତା ହାସଲ କରିଛନ୍ତି।
ଅମିତ ବିଭିନ୍ନ ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆହ୍ଲାବାଦ ବ୍ୟାଙ୍କ ପିଓ ଭାବରେ କାର‌୍ୟ୍ୟ କରିଥିଲେ। ଏହାଛଡ଼ା ସିବିଏସ୍‌ଇ ଏବଂ ଆଇଏସ୍‌ସି ବୋର୍ଡରେ ୧୭ ବର୍ଷ ଶିକ୍ଷାଦାନର ଅଭିଜ୍ଞତା ତାଙ୍କର ରହିଛି। ୨୫ହଜାରରୁ ଅଧିକ ଛାତ୍ର ଏବଂ ୫ହଜାର ଶିକ୍ଷକଙ୍କୁ ସେ ତାଲିମ ମଧ୍ୟ ଦେଇଛନ୍ତି। କାନପୁରର ଏସ୍‌ବିଏମ୍‌ଭି କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ତେବେ ଗତ କିଛି ବର୍ଷ ଧରି ସେ ସିବିଏସ୍‌ଇରେ ସହାୟକ ମୁଖ୍ୟ ପରୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ବୋର୍ଡ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଅଭ୍ୟାସ ମଡେଲ ସେ ପ୍ରସ୍ତୁତ କରୁଛନ୍ତି। ଏହା ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି କୁହାଯାଉଛି। ଏହାଛଡ଼ା ସେ ପୁସ୍ତକ ଲେଖୁଛନ୍ତି। ମୋଟାମୋଟି ଭାବେ ଦେଖିଲେ ସେ ଅନ୍ତର୍ଜାତୀୟ ବିଷୟ ବିଶେଷଜ୍ଞ, ଲୋକପ୍ରିୟ ପ୍ରଶିକ୍ଷକ, ପ୍ରେରଣାଦାୟକ ବକ୍ତା ଏବଂ ପରାମର୍ଶଦାତା ମଧ୍ୟ।
ଅମିତଙ୍କ ପିତା ଆର୍‌.ଏନ୍‌. ନିରଞ୍ଜନ ୟୁପି ହ୍ୟାଣ୍ଡଲୁମ୍‌ର ଅବସରପ୍ରାପ୍ତ ପରିଚାଳକ ଥିବା ବେଳେ ମାତା ଉର୍ମିଳା ନିରଞ୍ଜନ ଜଣେ ଗୃହିଣୀ। ତେବେ ନିଜର ସଫଳତା ପରେ ମାତାପିତାଙ୍କ ଆଶୀର୍ବାଦ ସହ ପ୍ରେରଣା ଥିବା ସେ କୁହନ୍ତି। ଦକ୍ଷତା ମାପିବା ପାଇଁ କୌଣସି ମାନଦଣ୍ଡ ନାହିଁ। ବିଷୟର ଆଭିମୁଖ୍ୟ ଉପରେ ଜଣଙ୍କର ଆଗ୍ରହ ଗୁରୁତ୍ୱପୂର୍ଣ୍ଣ। ଯୋଜନା ଏବଂ ସମୟକୁ ଠିକ୍ ଭାବେ ପରିଚାଳନା କରିପାରିଲେ ନିଜର ପ୍ରଗତିକୁ ତ୍ୱରାନ୍ବିତ କରିହେବ ବୋଲି ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.