ରାଜ୍ୟ ସରକାର ନିଲାମ କରିବାକୁ ଯାଉଥିବା ୭ଟି ଖଣି ଖନନ ବାତିଲ ପାଇଁ ଦାବୀ

0 148

ଭୁବନେଶ୍ୱର, ୩୦/୭(ଏସଏସନିୟୁଜ)ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା ବନ୍ୟ ପ୍ରାଣୀ ସୋସାଇଟର ସଂପାଦକ ତଥା ଜଙ୍ଗଲ ପରିବେଶ ବିଶେଷଜ୍ଞ ଡ: ବିଶ୍ୱଜିତ ମହାନ୍ତି ଓ କେନ୍ଦୁଝର ନାଗରିକ ସମାଜର ସଭାପତି କିରଣ କୁମାର ସାହୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି ଯେ ନୂଆ କୁଆଁରୀ ଲୁହା ଓ ବକ୍‌ସାଇଟ୍ ଖଣି ଲିଜ୍ ପାଇଁ ନିଲାମ ପ୍ରତ୍ୟାହର କରାଯାଉ ଏବଂ ଗଂଧଲପଡ଼ା-କର୍ଲାପାଟ ପରି ମୂଲ୍ୟବାନ ଜଙ୍ଗଲ ଓ ତାର ଜଳ-ଜୈବ ବିବିଧତା ସମ୍ବଳକୁ ଭବିଷ୍ୟତ ଓଡ଼ିଶା ଓ ଜଳବାୟୁ ସୁରକ୍ଷା ପାଇଁ ସରଂକ୍ଷିତ ରଖାଯାଉ। ନଚେତ୍ ରାଜ୍ୟ ସମ୍ବଳହୀନ ହେବା ସହ ହଜାର ହଜାର ଜଙ୍ଗଲବାସୀ ପରିବାରଗୁଡ଼ିକ ଜୀବିକାରୁ ବଞ୍ଚିତ ହେବେ ।
ଓଡ଼ିଶା ସରକାର ୧୧ଟି ଖଣି ନିଲାମ କରିବାକୁ ଯାଉଛନ୍ତି ସେଗୁଡ଼ିକ ମଧ୍ୟରୁ ୫ଟି କୁଆଁରୀ ତଥା ସଦ୍ୟ ନୂଆ ଲୁହାଖଣି ଓ ଗୋଟିଏ ବିକ୍‌ସାଇଟ୍ ଖଣି। ଏଗୁଡ଼ିକ ମଧ୍ୟରେ କେନ୍ଦୁଝର ଯୋଡ଼ା ବ୍ଲକ ଅନ୍ତର୍ଗତ ବଉଲି ପଞ୍ଚାୟତ ଗଂଧଲପଡ଼ା ଘଞ୍ଚ ଜଙ୍ଗଲ ଓ କଳାହାଣ୍ଡିର କର୍ଲାପାଟ ଜଙ୍ଗଲ ସମେତ କୁଆଁରୀ ଜଙ୍ଗଲଗୁଡ଼ିକର ସୁରକ୍ଷା । ଓଡ଼ିଶାର ଭବିଷ୍ୟତ ପିଢ଼ି ଓ ସ୍ଥାନୀୟ ଜଙ୍ଗଲ ବା ଲୋକଙ୍କର ଜୀବିକା ସୁରକ୍ଷା ତଥା ପରିବେଶୀୟ ନ୍ୟାୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ରାଜ୍ୟରେ ଅବସ୍ଥିତ ଇସ୍ପାତ ପ୍ରକଳ୍ପଗୁଡ଼ିକ ପାଇଁ ସ୍ୱତନ୍ତ୍ର ଭାବେ ଖଣି ଲିଜ୍ ଥିବା ବେଳେ ବର୍ତ୍ତମାନ ଦେଶ-ବିଦେଶ ବଜାରରେ ବିକ୍ରି କରିବା ପାଇଁ ମୂଲ୍ୟବାନ ଲୁହାପଥର ଓ ବକସାଇଟ କମ୍ପାନୀମାନଙ୍କ ମୁନାଫା ପାଇଁ ନିଲାମ ଦ୍ୱାରା ରାଜ୍ୟ ସମ୍ବଳହୀନ ହେବ ଓ ଭବିଷ୍ୟତ ବଂଶଧରଙ୍କ ପ୍ରତି ଅନ୍ୟାୟ ହେବ। ଏହା ସହ ହଜାର ହଜାର ଜଙ୍ଗଲବାସୀ ଜୀବିକା ହରାଇବା ସହ ରାଜ୍ୟରେ ମରୁଭୂମି ସୃଷ୍ଟି ହେବ । ଜଙ୍ଗଲ ଅଧିକାର ଆଇନ (୨୦୦୬), ପେସା ଆଇନ ଓ ସମ୍ବିଧାନର ୫ମ ଅନୁଚ୍ଛେଦରେ ଥିବା ଆଦିବାସୀ ସମାଜର ଅଧିକାର ଉଲଘଂନ ସହ ୨୦୧୩ ଭୂଅଧିଗ୍ରହଣ ଆଇନ ଅନୁଯାୟୀ ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ ପ୍ରସ୍ତୁତି ପୂର୍ବରୁ ପ୍ରାକୃତିକ ସମ୍ବଳ ନିଲାମ କରିବା ବେଆଇନ, ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି କହିବା ସହ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବାକୁ ଓଡ଼ିଶା ସରକାର ନିକଟରେ ଦାବୀ କରିଛନ୍ତି ।

Leave A Reply

Your email address will not be published.