ଭୁବନେଶ୍ବର,୧୭/୮(ଏସଏସନିଉଜ)
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ଜଣଙ୍କ ମୃତୁ ଘଟିଛି। ବାରିପଦା ବୈଶୀଙ୍ଗା ଥାନା ସିଙ୍ଗାପୁର ଅଞ୍ଚଳରେ ବଜ୍ରପାତରେ ଦଂପତିଙ୍କ ମୃତ୍ୟୁ ହୋଇଛି । ମୃତକ ଲକ୍ଷ୍ମଣ ମୁର୍ମୁ ଓ ସାକର ମୁର୍ମୁ । ଉଭୟ ବିଲରେ କାମ କରୁଥିବା ବେଳେ ଅଘଟଣ ହୋଇଛି । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଧୁରୁଡିଆମ୍ବ ଗାଁରେ ବଜ୍ରାଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ୧୧ ବର୍ଷୀୟ ରାଜେଶ ମୁଣ୍ଡା । ପରିବାର ଲୋକଙ୍କ ସହ ଘରେ ଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ।ଭଦ୍ରକରେ ବଜ୍ରପାତ ଜଣଙ୍କ ଜୀବନ ନେଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଆଗରପଡା ଥାନା ସାହୁପଡା କେନାଲ ପୋଲ ନିକଟ ସାହୁପଡା ଗାଁରେ ୨୯ ବର୍ଷୀୟା ଅମର ସେଠୀ ବିଲରେ କାମ କରୁଥିଲେ । ଜୋରରେ ବର୍ଷା ସାଙ୍ଗକୁ ବଜ୍ରପାତ ହେଉଥିଲା । ଅମର ବଜ୍ରାଘାତରେ ଗୁରୁତର ହୋଇପଡିଥିଲେ । ସେହିଗାଁର ୫୮ ବର୍ଷୀୟ ଚକ୍ରଧର ଦାସ ବିଲରେ କାମ କରୁଥିବାବେଳେ ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇପଡିଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଚକ୍ରଧରଙ୍କୁ ମୃତ ଘୋଷଣା କରିଥିବାବେଳେ ଅମରଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି ।ଅନ୍ୟପଟେ ଆଜି ରାଜ୍ୟର ୬ଟି ଜିଲ୍ଲାରେ ବଜ୍ରପାତ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ ମୟୁରଭଂଜ, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲା ରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆହତ ମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ।
Prev Post
Next Post
