ବାଲିଅନ୍ତା,୪।୬(ଏସଏସନିଉଜ)ଅଭିଯୋଗକାରୀ ବିକ୍ରମପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ବାଲିଅନ୍ତାଥାନା ପୁଲିସ ୨୪୨/୨୫ କେସ ନମ୍ୱରରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସେମାନେ ହେଲେ ନିରାକାରପୁରର ପବିତ୍ର ବାରିକ(୨୪)ଓରଫ ରାଜା, ବେଗୁନିଆର ଅଭି ଓରଫ ଅଭିଷେକ ପଟ୍ଟନାୟକ(୨୪) ।ପୋଲିସ ସେମାନଙ୍କଠାରୁ ସୁନାଚେନ, ବ୍ରେସଲେଟ,ନଗଦ ୧୫ହଜାର ଟଙ୍କା ଜବତ କରିଛି।
ସୂଚନାଯୋଗ୍ୟଯେ, ପବିତ୍ର ବାରିକ ଓରଫ ରାଜା ନାମକ ଜଣେ ଅଭିଯୁକ୍ତ ଗତବର୍ଷେ ତଳେ ବିକ୍ରମପାତ୍ରଙ୍କ ଘରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ଚାକିରୀ କରୁଥିବା ସମୟରେ ରାଜା ବିକ୍ରମଙ୍କ ଝିଅଙ୍କ ସହିତ ବନ୍ଧୁତା କରିଥିଲେ । ଏହା ବିକ୍ରମଙ୍କ ଦୃଷ୍ଟିଗୋଚର ହେବାପରେ ସେ ରାଜାଙ୍କୁ ସତର୍କ କରାଇଦେବା ସହ ଚାକିରୀରୁ ବାହାର କରିଦେଇଥିଲେ । ଚାକିରିରୁ ବିଦା ହେବା ପରେ ମଧ୍ୟ ରାଜା ଉକ୍ତ ଝିଅ ସହ ଫୋନ ଜରିଆରେ ପୂର୍ବବତ ଯୋଗଯୋଗରେ ରହିଥିବା ବେଳେ, ପାଖରେ ଥିବା ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେଇ ଘରେଥିବା ଟଙ୍କା ଓ ସୁନା ଅଳଙ୍କାର ଆଣି ତାଙ୍କୁ ଦେବାଲାଗି ଚାପ ପକାଇଥିଲେ । ଅନ୍ୟ କିଛି ଉପାୟ ନପାଇ ବିକ୍ରମଙ୍କ ଝିଅ ଗତ ତା.୦୧.୦୬.୨୦୨୫ ରିଖ ଦିନ ଘରୁ ଏକ ସୁନା ବ୍ରେସଲେଟ, ଏକ ସୁନା ଚେନ ଏବଂ ୨୦,୦୦୦ ଟଙ୍କା ଆଣି ପବିତ୍ର ବାରିକ ଏବଂ ତାଙ୍କର ଜଣେ ବନ୍ଧୁ ଅଭି ଓରଫ ଲିପୁ ଓରଫ ଅଭିଷେକ ପଟ୍ଟନାୟକଙ୍କୁ ଦେଇଥିଲେ । ଏହି ସୁନା ସାମଗ୍ରୀ ତଥା ଟଙ୍କା ଘରେ ନମିଳିବା ହେତୁ ବିକ୍ରମ ଏନେଇ ତାଙ୍କ ଝିଅକୁ ପଚାରିବାରୁ, ଘଟିଯାଇଥିବା ସମସ୍ତ ଘଟଣା ସେ ତାଙ୍କ ବାପାଙ୍କ ନିକଟରେ ପ୍ରକାଶ କରିଥିଲେ । ଝିଅ ନିକଟରୁ ଘଟଣା ସମ୍ପର୍କରେ ଅବଗତ ହେବା ପରେ ବିକ୍ରମ ଏନେଇ ଥାନାର ଦ୍ଵାରସ୍ଥ ହୋଇଥିଲେ ।
ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରୁଥିବା ବେଳେ, ଦୁଇ ଅଭିଯୁକ୍ତ ରଙ୍ଗବଜାର ଅଞ୍ଚଳରେ ସୁନାଜିନିଷ କମ ଦାମରେ ବିକ୍ରି କରିବାଲାଗି ବିଭିନ୍ନ ଗ୍ରାହକଙ୍କ ସହ ଯୋଗାଯୋଗ କରୁଥିବା ନେଇ, ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ମିଳିଥିବା ଏହି ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ଅତର୍କିତ ଚଢଉ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଦୁଇ ଅଭିଯୁକ୍ତଙ୍କ ହେପାଜତରୁ ସୁନା ବ୍ରେସଲେଟକୁ ତରଳାଯାଇଥିବା ଏକ ଖଣ୍ଡ, ଏକ ସୁନାଚେନ ଏବଂ ୧୫,୦୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ସମୟରେ ଦୁଇ ଅଭିଯୁକ୍ତ ଏହି ଘଟଣାରେ ନିଜର ସମ୍ପୃକ୍ତି ଥିବା ସ୍ଵୀକାର କରିଥିବା ବେଳେ, ନେଇଥିବା କୋଡିଏ ହଜାର ଟଙ୍କାରୁ ସେମାନେ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିବା ଦର୍ଶାଇଥିଲେ ।
ଉଲ୍ଲେଖଯୋଗ୍ୟଯେ, ଦୁଇ ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ଟଙ୍କା ଓ ସୁନା ସାମଗ୍ରୀକୁ ଆଇନଗତ ପ୍ରକ୍ରିୟା ସମ୍ପାଦନ ପରେ ସେଗୁଡିକୁ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରାଯାଇଛି ।
ବାର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Prev Post
