ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ । କଂସମହାରାଜ ତାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣମାଝୀଙ୍କୁ କଳିଙ୍ଗସମ୍ରାଟ ଭାବେ ସମ୍ୱୋଧନ କରି ପଚାରିଥିଲେ ମଥୁରାନଗରୀ (ବରଗଡ଼)ର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଛି ।ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, ମଥୁରା (ବରଗଡ଼)ର ଉନ୍ନତି ପାଇଁ ଆଜି ସମୁଦାୟ ପ୍ରାୟ ୧୩୬୨ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ସହିତ ୩୮୦ କୋଟି ଟଙ୍କାର ଚାରିଟି ନୂଆ ପ୍ରକଳ୍ପ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ବରଗଡ଼ରେ ଆଜି ୯୮୦ କୋଟି ୫୮ ଲକ୍ଷ ଟଙ୍କା ବିନିଯୋଗରେ ସମୁଦାୟ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ୩୮୨ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ୩୮ ଟି ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ମହିଳାମାନଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ମଥୁରା ନଗରୀ (ବରଗଡ଼)ର ୩,୪୧, ୬୧୪ ଜଣ ମା ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି । ସେହିପରି, ୨୦୨୪-୨୫ ଖରିଫ୍ ଓ ରବି ଋତୁରେ ବରଗଡ଼ର ୨,୪୧, ୧୩୫ ଜଣ ଚାଷୀଙ୍କ ଠାରୁ ୧୩,୯୯,୦୦୦ ମେଟ୍ରିକ୍ ଧାନ ସଂଗ୍ରହ କରାଯାଇ ଇନ୍ପୁଟ୍ ସହାୟତା ସହିତ ୪୩୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିସାବ ଦେଇଥିଲେ । ଏଭଳି ଆର୍ଥିକ ସହାୟତା ପୂର୍ବରୁ କେବେ ବି ଦିଆଯାଇ ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିରେ ସନ୍ତୋଷପ୍ରକାଶ କରି କଂସ ମହାରାଜ କହିଲେ ‘ଆତ୍ମତୃପ୍ତି ଲାଭ କଲା ମହାବୀର କଂସାସୁର’ ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ବରଗଡ଼ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରି କହିଥିଲେ ଯେ, ୧୩୨ କୋଟି ଟଙ୍କା ବ୍ୟୟ ବରାଦରେ ଜିରା ନଦୀ ଉପରେ ଏକ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ଏହା ସହିତ ୩୦ କୋଟି ଟଙ୍କା ବ୍ୟୟରେ ବରଗଡ଼ ମ୍ୟୁନିସିପାଲଟିର ହାଟପଦା ଠାରେ ଏକ ଭେଣ୍ଡିଙ୍ଗ୍ ଜୋନ୍ର ବିକାଶ କରାଯିବ । ୬୫ କୋଟି ଟଙ୍କା ବିନିଯୋଗରେ ବରଗଡ଼ ସଦରରେ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ ନିର୍ମାଣ କରାଯିବ ଓ ଗ୍ରୀଣ୍ଡୋଲା ଠାରେ ୧୫୦ କୋଟି ଟଙ୍କା ବିନିଯୋଗରେ ଏକ ଅନ୍ତନଦୀ ଜଳାଶୟ ନିର୍ମାଣ କରାଯିବ । ସୂଚନାଯୋଗ୍ୟ ଯେ, ଏହି ଚାରୋଟି ପ୍ରକଳ୍ପ ପାଇଁ ପ୍ରାୟ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି।
ଧନୁଯାତ୍ରାକୁ ଭାରତର ସାଂସ୍କୃତିକ ଅର୍ଥନୈତିକ (Cultural Economy) ମଡେଲର ଉଦାହରଣ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯାତ୍ରା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ଏକ ପ୍ରକୃଷ୍ଟ ନିଦର୍ଶନ । ଏହି ଉତ୍ସବ ପାଇଁ ଅନୁଦାନ ରାଶି ଏକ କୋଟି ଟଙ୍କାରୁ ଦେଢ଼ କୋଟିଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ୨୦୦ ପ୍ରମୁଖ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯାଇଛି । ଏକ ବଡ଼ ପ୍ରତିଶୃତି ଥିଲା ଧନୁଯାତ୍ରା ପାଇଁ ରଙ୍ଗମହଲ ନିର୍ମାଣ । ଆଜି ଏହାର ମଧ୍ୟ ଶିଳାନ୍ୟାସ ହେଲା ଆଉ ସେଥିପାଇଁ ପ୍ରାୟ ୧୨ କୋଟି ୮୦ ଲକ୍ଷ ଟଙ୍କା ବିନିମୟରେ ଏବଂ ଏହା ସାରା ବିଶ୍ୱରେ ଶ୍ରେଷ୍ଠ ରଙ୍ଗମହଲ ଭାବେ ପରିଚୟ ସୃଷ୍ଟି କରିବ । ୟୁନେସ୍କୋ ଦ୍ୱାରା ବିଶ୍ୱ ଦରବାରରେ କିଭଳି ମାନ୍ୟତା ପାଇବ, ସେଥିପାଇଁ ଆମେ ଚେଷ୍ଟା ଜାରି ରଖିଛୁ ଏବଂ ଏଥିରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ।
