ମେଣ୍ଢାଶାଳ,୧୭।୫(ଏସଏସନିଉଜ)ଅସୁସ୍ଥ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କଲା ବନ ବିଭାଗ। ଚନ୍ଦକା ବନଖଣ୍ଡ ଅନ୍ତର୍ଗତ ହଳଦିଆ ରେଞ୍ଜ’ର ଆମ୍ବିଲୋ ଜଙ୍ଗଲରେ କିଛିଦିନ ହେବ ବୁଲୁଥିବା ଅସୁସ୍ଥ ଦନ୍ତାକୁ ଆଜି ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି। ହଳଦିଆ ରେଞ୍ଜରେ ଦୁଇଟି ଦନ୍ତା ବୁଲାବୁଲି କରୁଥିବା ବେଳେ ଗୋଟିଏ ଦନ୍ତାଟି ଅସୁସ୍ଥ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀ ଦୁଇଟିଙ୍କୁ ନଜର ରଖାଯାଇଥିଲା। ଆଜି ଦିନ ତମାମ କସରତ ପରେ ପ୍ରଥମେ ସୁସ୍ଥ ଥିବା ଦନ୍ତାକୁ ଘଉଡାଇ ଦିଆଯାଇଥିଲା। ପରେ ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ବନ କର୍ମଚାରୀଙ୍କ ବହୁ ଉଦ୍ୟମ ପରେ ସନ୍ଧ୍ୟା ୬ ଟାରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ପରେ ସଙ୍ଗେ ସଙ୍ଗେ ତାର ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ପୁଣି ହାତୀଟିକୁ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯାଇଛି। ୧୦ ଜଣଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଅପରେସନରେ ଚନ୍ଦକା ଡିଏଫଓ ବିନୋଦ ଆଚାର୍ଯ୍ୟ, ଚନ୍ଦକା ଏସିଏଫ ସଂଗ୍ରାମ ମହାନ୍ତି, ଚନ୍ଦକା ରେଞ୍ଜର ଏବଂ ନନ୍ଦନକାନନ ଟିମଙ୍କ ସମେତ ବନ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ। ବର୍ତମାନ ହାତୀଟି ସୁରକ୍ଷିତ ଓ ସୁସ୍ଥ ଥିବା ବେଳେ ହାତୀ ଉପରେ ନଜର ରଖାଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)
