ଆୟୁର୍ବେଦ ଆଧାରିତ ଜୀବନ ଶୈଳୀକୁ ଗୁରୁତ୍ୱ

ବାରଙ୍ଗ,୨।୮(ଏସଏସନିଉଜ)ମନୁଷ୍ୟ ଜୀବନ ସହ ଆୟୁର୍ବେଦ ଓ ଏହା ସମ୍ବନ୍ଧୀୟ ବୃକ୍ଷଲତାର ନିବିଡ଼ ସମ୍ପର୍କ ରହିଛି। ଏହାର ଗୁଢ଼ ତତ୍ତ୍ୱକୁ ବୁଝି ଏହାକୁ ଲୋକଙ୍କ ଉପକାରରେ ଲଗାଇବା ହିଁ ଏହି ବୃତ୍ତିଧାରୀଙ୍କ ପ୍ରକୃତ କର୍ତ୍ତବ୍ୟ ହେବା ଉଚିତ ବୋଲି
ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ବୈଦ୍ୟ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ କହିଛନ୍ତି।
ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ଦ୍ୱାରା ନରାଜ ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷଲତାର ଗୁଢ଼ତତ୍ତ୍ୱ ଏବଂ ମାନବ ଜୀବନରେ ଏହାର ଉପଯୋଗିତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହିଆବସରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଔଷଧୀୟ ବୃକ୍ଷଲତାର ବ୍ୟବହାର ଶୀର୍ଷକ ଏହି କାର୍ଯ୍ୟକ୍ରମକୁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ.) ତେଜପ୍ରତାପ ଉଦଘାଟନ କରିଥିଲେ। ସେ ଏହି କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିବା ସହ ଏହାକୁ ଲୋକାଭିମୁଖୀ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ଡିନ୍ ପ୍ରଫେସର (ଡ.) କ୍ଷୀରାବ୍ଧି ତନୟା ରାଉତରାୟ ସ୍ୱାଗତଭାଷଣ ଦେଇଥିବା ବେଳେ ଏହି ପ୍ରକଳ୍ପର ପ୍ରିନ୍ସପାଲ ଇନଭେଷ୍ଟିଗେଟର୍ ପ୍ରଫେସର (ଡ.) ରମାକାନ୍ତ ରାଉତ ଉପସ୍ଥିତ ପ୍ରାୟ ପାଞ୍ଚଶହ ଗ୍ରାମବାସୀଙ୍କୁ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ।

ଏଥିସହ ଆୟୁର୍ବେଦ ଦ୍ୱାରା ଭବିଷ୍ୟତ ପିଢ଼ିକୁ କିପରି ନିରୋଗ ରଖିହେବ, ସେ ସମ୍ପର୍କରେ କହିଥିଲେ।ଆୟୁର୍ବେଦୀୟ ଜୀବନଶୈଳୀ ଆପଣେଇବାକୁ ପରାମର୍ଶ ଦେବାସହ ଏହାର ଉପକାରିତା ଉପରେ ପୂର୍ବତନ ଡିନ୍ ପ୍ରଫେସର (ଡ.) ପ୍ରଦୀପ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଔଷଧୀୟ ବୃକ୍ଷର ଘରୋଇ ଉପଚାର ଏବଂ ଆୟୁର୍ବେଦରେ ଦୈନନ୍ଦିନ କାର୍ଯ୍ୟନୀତି ନାମକ ଦୁଇଟି ପୁସ୍ତକକୁ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପରିଷଦ ପକ୍ଷରୁ ଡା. ସୁଧାଂଶୁ ମେହେର, ଡା. କ୍ଷୀରୋଦ ରଥ ଏବଂ ଡା. ଯଶପାଲ ଭରଦ୍ୱାଜ, ବାରଙ୍ଗ ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ଦଳେଇ ଏବଂ ନରାଜ ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।
କୋ-ପ୍ରିନ୍ସପାଲ ଇନଭେଷ୍ଟିଗେଟର ପ୍ରଫେସର (ଡ.) ଶିବପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏଭଳି ଏକ କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ବିଶ୍ୱବିଦ୍ୟାଳୟ କୁଳାଧ୍ୟକ୍ଷ ଶ୍ରୀ ଆଦେଶ ଗୋୟଲ ଏବଂ କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ। ନରାଜ ଗ୍ରାମବାସୀ ଓ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏବଂ ଅଧ୍ୟାପକ- ଅଧ୍ୟାପିକା ମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

- Advertisement -

Leave A Reply

Your email address will not be published.