ଭୁବନେଶ୍ୱର,୨୩ା୪(ଏସଏସନିଉଜ)ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଅସହ୍ୟ ଗରମ, ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ମାପାର୍ବତୀ, ମାଦୁର୍ଗା ଓ ବାସୁଦେବଙ୍କ ସହ ଶ୍ରୀଲିଙ୍ଗରାଜ ବିନ୍ଦୁସାଗରରେ ଚାପ ଖେଳିବେ। ଏହି ମାନବୀୟ ଲୀଳାଖେଳା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତିପର୍ବ ଶେଷ ହୋଇଥିବାବେଳେ ସମସ୍ତ ନୀତିକାନ୍ତି ସମାପନପରେ ସଂଧ୍ୟା୫ଟାରେ ଦେବଦେବୀମାନେ ମନ୍ଦିରରୁ ବାହାରି ବିନ୍ଦୁସାଗର ବ୍ରହ୍ମାଘାଟ କୂଳକୁ ଯିବେ। ସେଠାରେ ଚାପଡଙ୍ଗାରେ ପୂଜାପଣ୍ଡା ସେବାୟତ ଛେରା ପହଁରା କରିବା ପରେ ପାଳିଆବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବେ। ପରେ ଦେବଦେବୀ ଚାପ ଡଙ୍ଗାର ସିହାଂସନରେ ବସିବେ।ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମାପାର୍ବତୀ ଓ ମାଦୁର୍ଗା ବସିବେ। ସେହିପରି ଦୁଇକଡ଼ରେ ଥିବା ସିଂହାସନରେ ବାସୁଦେବ ବସି ଯାତ୍ରା କରିବେ। ପୁଷ୍କରିଣୀରେ ଚାପ ଖେଳି ୨୨ଦିନ ଧରି ମଠ ଘାଟରେ ଭୋଗ ଖାଇବେ।
