ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ପୂର୍ବ ବର୍ଷର ଅପାର ସଫଳତା ପରେ ଚଳିତ ବର୍ଷ ଭୁବନେଶ୍ବର ଉତ୍ତର ମହୋତ୍ସବ ୨୦୨୫ ମହାଆଡମ୍ବର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୬ଦିନ ଧରି ଚନ୍ଦ୍ରଶେଖରପୁର କ୍ଲବଟାଉନ ପଡିଆରେ ଅନୁଷ୍ଠିତ ହେବ। ଯାହାକୁ ନେଇ ମହୋତ୍ସବ କମିଟି ପକ୍ଷରୁ ଏକ ଖବର ଦାତାସମ୍ମିଳନୀ ନନ୍ଦନକାନନ ନିକଟ ଏକ ଘରୋଇ ମଣ୍ଡପରେ ରବିବାର ଦିନ ଆୟୋଜିତ ହୋଇଛି।ଭୁବନେଶ୍ବର ଉତ୍ତର ମହୋତ୍ସବର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମ୍ମିଳନୀରେ ବିଜେପି ନେତା ତଥା ମହୋତ୍ସବ କମିଟି ଉପଦେଷ୍ଟା ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ନିରଞ୍ଜନ ମିଶ୍ର, ଭୁବନେଶ୍ବର ଉତ୍ତର ମହୋତ୍ସବର ସଭାପତି କୁନାଲ ରାଉତ,ମୂରବୀ ଅନ୍ତର୍ଯ୍ୟାମୀ କୁଅଁର, ଉମାକାନ୍ତ ହାତୀଙ୍କ ସମେତ ଉତ୍ତର ନିର୍ବାଚନ ମଣ୍ଡଳୀର ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ। ମହୋତ୍ସବକୁ ଏକ ସାମାଜିକ, ସାଂସ୍କୃତିକ ଓ ସମ୍ପ୍ରତିର ମଞ୍ଚ ଭାବେ ବିବେଚନା କରି ଏହା ମାଧ୍ୟମରେ ଉତ୍ତର ଭୁବନେଶ୍ବରର ନିଜସ୍ୱ ପରିଚୟ ଓ ସାଂସ୍କୃତିକ ଗୌରବକୁ ଉଜାଗର କରି ଭାଇଚାରା ସମ୍ପର୍କ ମଜଭୁତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ମହୋତ୍ସବର ୬ଦିନରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପ୍ରସିଦ୍ଧ କଳାକାରମାନେ ଅଂଶଗ୍ରହଣ କରି ନିଜ କଳା ମାଧ୍ୟମରେ ଉତ୍ସବର ରୂଚି ଓ ଉଜ୍ଜ୍ୱଳତାକୁ ବଢ଼ାଇବେ ବୋଲି ମହୋତ୍ସବ କମିଟିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଥିଲେ।(ଜିତ ରାଉତଙ୍କ ରିପୋର୍ଟ)