ରାଜଧାନୀ ଉପକଣ୍ଠରେ ବିଧାୟକ ,ସାଂସଦଙ୍କ ଦ୍ଵାରା ଅଖିମୁଠୀ ଅନୁକୂଳ

ଭୁବନେଶ୍ୱର,୨୯।୪(ଏସଏସନିଉଜ)ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ମାନେ କ୍ଷେତରେ ପୂଜାର୍ଚନା କରି ଅଖି ମୁଠି ଅନୁକୂଳ କରିଥାନ୍ତି। ଏହାସହ ଆଜିର ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥକାଠ ମଧ୍ୟ ଅନୁକୂଳ ହୋଇଥାଏ। ଏହି ପବିତ୍ର ଦିନରେ ଭୁବନେଶ୍ୱର ଉତ୍ତର ବିଜୁ ଜନତା ଦଳ ପକ୍ଷରୁ କଲ୍ୟାଣପୁର ସୋମନାଥମଠ ଠାରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ। ପ୍ରଥମେ ମା ମାଟିକୁ ପୂଜାର୍ଚନା କରାଯିବା ପରେ ବିଧାୟକ ବିହନ ବୁଣି ଭୂମିରେ ଅଖିମୁଠି ଅନୁକୂଳ କରିଥିଲେ। ଏହା ପରେ ଚାଷଜମିରେ ହଳ କରିଥିଲେ। ଏହି ଅବସରରେ ସମସ୍ତ ଚାଷୀକୁଳ ଚଳିତ ବର୍ଷ କିଭଳି ଭଲ ଧାନ ଅମଳ ହେବ ଏନେଇ ପ୍ରାର୍ଥନା କରିଥିଲେ ବିଧାୟକ।ଏହି କାର୍ଯ୍ୟକ୍ରମରେ ଗାନ୍ଧିବାଦୀ ନେତା ପ୍ରତାପ ଚନ୍ଦ୍ର ରାଉତ,ବିଜେଡ଼ିର ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର,ସନ୍ତୋଷ ନାଥ,କର୍ପୋରେଟର ମିହିର କୁମାର ରାଉତ, ଜିଲ୍ଲା ପରିଷଦ ସଭ୍ୟା ବବିତା ରାଉତ, ସମସ୍ତ ସରପଞ୍ଚ, ସମିତିସଭ୍ୟ, କର୍ପୋରେଟର, ବିଜେଡ଼ି ନେତା ଓ କର୍ମୀମାନେ ସାମିଲ ହୋଇଥଲେ।

ସେହିଭଳି ଭାବେ ରାଜଧାନୀ ଉପକଣ୍ଠ ଦାଢ଼ା ପଞ୍ଚାୟତର ଝିଙ୍କରଡିହ ଗ୍ରାମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ମୂରବୀ, ନେତା, କର୍ମୀ, ଚାଷୀ ଓ ମହିଳା ପୁରୁଷ ଯୋଗ ଦେଇଥିଲେ। ଏହି ଅବସରରେ କେତେକ ସଫଳ ଚାଷୀମାନଙ୍କୁ ସାଂସଦ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଞ୍ଚ ପଞ୍ଚାୟତର କେତକ କର୍ମୀ ଏହି ଅବସରରେ ବିଜେପିରେ ସାମିଲ ହୋଇଥିଲେ।

Comments (0)
Add Comment