ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନର ୫୪ ନମ୍ବର ଖୁଆଡ ଏବେ ଡେଞ୍ଜର ଜୋନ୍ ପାଲଟିଛି। ଗତ ଗୁରୁବାର ୨ଟି ଜେଫ୍ରି ମାର୍ମୋସେଟ୍ ର ସନ୍ଦେହଜନକ ମୃତ୍ୟୁ ପରେ ଶନିବାର ପୁଣି ସେହି ବାନର ଦୁନିଆଁରେ ଗୋଟିଏ ମାଈ ବ୍ଲାକ୍ ଟଫ୍ଟେଡ୍ ମାର୍ମୋସେଟ୍ ନିସ୍ତେଜ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି। ଏହି ଜଣାପଡିବାପରେ ପଶୁଚିକିତ୍ସା ଦଳ ତୁରନ୍ତ ମାଈ ମାର୍ମୋସେଟ୍ କୁ ଆଣ୍ଟିବାୟୋଟିକ୍ ଦେବା ସହ ମଳର ନମୁନା ସଂଗ୍ରହ କରିଛନ୍ତି। ବର୍ତ୍ତମାନ ଏହାକୁ ନିରୀକ୍ଷଣ ପାଇଁ ହସ୍ପିଟାଲ୍ ରିସର୍ଚ୍ଚ ସେଣ୍ଟର ରେ ରଖାଯାଇଛି ବୋଲି ଜଣାପଡିଛି ।ତେବେ ଏହାକୁ ନେଇ କର୍ତୁପକ୍ଷଙ୍କ ଚିନ୍ତା ବଢିଯାଇଥିବାବେଳେ ଏହା କେବଳ ସାପ କାମୁଡା ନା ସଂକ୍ରମଣ ନା ଖାଦ୍ୟ, ପାଣି ନା ପରିମଳରେ ବିଷ ଅଛି କି ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।ଯଦି ସାପକାମୁଡାରେ ୨ଟିର ମୃତ୍ୟୁ ହୋଇଥିଲା ୩ୟ ମାର୍ମୋସେଟ କାହିଁକି ନିସ୍ତେଜ ହେଲେ ? ବୁଧବାର ଗୟଳ, ଗୁରୁବାର ୨ ଜେଫ୍ରି ଏବଂ ଆଜି ବ୍ଲାକ୍ ଟଫ୍ଟେଡ୍ ଗୁରୁତର ଘଟଣା ଏହା ସ୍ପଷ୍ଟ କରୁଛି ନନ୍ଦନକାନନରେ ସବୁ କିଛି ଠିକ୍ ନାହିଁ। ଏବେ ଦାୟିତ୍ୱରେ ଥିବା ଜନ୍ତୁ ରେଞ୍ଜର ଓ ଏସିଏଫଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣାରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।