କଟକ,୫।୧୦(ଏସଏସନିଉଜ) କଟକ ସହରରେ ଗୋଷ୍ଠୀ ବିବାଦକୁ ନେଇ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।ଆଗାମୀ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଛି ପୋଲିସ। ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ଅଧୀନସ୍ଥ ଆଦି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ।କର୍ଫ୍ୟୁ ଜାରି ସମୟରେ ଜରୁରୀକାଳୀନ ସେବାକୁ କୋହଳ କରାଯାଇଥିବା ବେଳେ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଛି।ପରିସ୍ଥିତିକୁ ଦେଖି ଆବଶ୍ୟକ ପଡ଼ିଲେ କର୍ଫ୍ୟୁର ସମୟ ବଢ଼ିପାରେ ବୋଲି କୁହାଯାଇଛି।