ଭୁବନେଶ୍ଵର,୧୦।୧୦(ଏସଏସନିଉଜ)ଘରମାଲିକଙ୍କ ଅଜାଣତରେ ଏଟିଏମ୍ ରୁ ଟଙ୍କା ଉଠାଇବା ଓ ସୁନା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣେ ଡ୍ରାଇଭରଙ୍କୁ ଗିରଫକରି ଗୁରୁବାର କୋର୍ଟଚାଲାଣ କରିଛି।ଗିରଫ ଡ୍ରାଇଭର ହେଉଛନ୍ତି ପୋଲସରା ଥାନା ଅଧୀନସ୍ଥ ଦାଶରଥିନଗରର ନୀଳମାଧବ ସାହୁ(୨୦)।
ପ୍ରକାଶ ଯେ,ନୀଳମାଧବ ନନ୍ଦନକାନନ ଥାନା ଅଧୀନସ୍ଥ ପଦାସାହିଗାଁ ପାଖ ଡ୍ରିମ୍ ଭିଲା ବି -୧୩୭ ରେ ରହୁଥିବା ନମିତା ପଟ୍ଟନାୟକ ନାମକ ମହିଳାଙ୍କ ପାଖରେ ରୋଷେୟା ଓ ଡ୍ରାଇଭର ଭାବେ ଗତ ଜୁଲାଇ ମାସରୁ କାମ କରୁଥିଲେ।ମହିଳା ଓ ତାଙ୍କ ସ୍ୱାମୀଙ୍କ ସରଳତାର ସୁଯୋଗ ନେଇ ନୀଳମାଧବ ଘର ମାଲିକଙ୍କ ବ୍ୟାଙ୍କ୍ ଏଟିଏମ୍ ଓ ପାସୱର୍ଡ ହାସଲ କରିଥିଲେ।ପରବର୍ତ୍ତୀ ସମୟରେ ଏହାକୁ ବ୍ୟବହାର କରି ଅନଲାଇନ୍ ଗେମ୍ ରେ ୪ଲକ୍ଷ ୫ହଜାରେ ଟଙ୍କା ଖର୍ଚ୍ଚ କରିଥିଲେ।ପୁଣି ଘରମାଲିକଙ୍କ ସୁନାଚେନ,ମୁଦି ଓ କାନଫୁଲକୁ ଚୋରି କରିନେଇ ୨ଲକ୍ଷ ୩୨ହଜାରେ ଟଙ୍କାରେ ବିକ୍ରିୟ କରି ଅନଲାଇନ୍ କ୍ରିକେଟ ବେଟିଂରେ ଖର୍ଚ୍ଚ କରିଥିଲେ।ଏହା ଜାଣିବା ପରେ ଘରମାଲିକ ଡ୍ରାଇଭର ନୀଳମାଧବକୁ ପଚାରିଥିଲେ।କିନ୍ତୁ ନୀଳମାଧବ ତାଙ୍କୁ ଖରାପ ବ୍ୟବହାର କରି ଆଉ କାମ କରିବାକୁ ଆସିନଥିଲା।ନମିତା ଏ ସଂକ୍ରାନ୍ତରେ ନନ୍ଦନକାନନଥାନାରେ ଗତ ୨୬ତାରିଖରେ ଅଭିଯୋଗ କରିବା ପରେ ପୋଲିସ ୩୫୯/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।ପୋଲିସ ଗୁରୁବାର ରାତିରେ ନୀଳମାଧବକୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିବା ବେଳେ ନୀଳମାଧବ ପୋଲିସ ଆଗରେ ସବୁ କଥା ସ୍ବୀକାର କରିଥିଲା।ପୋଲିସ ଗୁରୁବାରଦିନ ନୀଳମାଧବକୁ କୋର୍ଟଚାଲାଣ କରିଛି।