ମନ୍ତ୍ରଶକ୍ତି…

ଆଜି ରାତିର ଗପ –ମନ୍ତ୍ରଶକ୍ତି…

ପୁରୁଣା କାଳର କଥା । ସେତେବେଳେ ତ ନେପାଳରେ ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ମନ୍ତ୍ର ଶକ୍ତି ଥାଏ । ଗୋଟିଏ ଗ୍ରାମରେ ବର୍ଦ୍ଧନ ନାମରେ ଜଣେ ବୃଦ୍ଧ ଥାଏ । ସେ ପଶୁ ଚରାଇ ତା’ ପେଟ ପୋଷେ । ଦିନେ ପଶୁ ଚରାଇବା ବେଳେ ତାକୁ ବହୁତ ଶୋଷ ଲାଗିଲା ବାରୁ ନିକଟସ୍ଥ କୁଅକୁ ପାଣି ପିଇବାକୁ ଗଲା । ଦେଖିଲା ସେ ଗ୍ରାମର କେତେକ ଲୋକ କୁଅର ଚଉତରା ଉପରେ ସବୁ ଗଳ୍ପ କରୁଛନ୍ତି । ସେ ମଧ୍ୟ ସେଠାରେ ଯାଇ ବସି ପଡିଲା ।
ଜଣେ ବ୍ୟକ୍ତି ପଚାରିଲେ, “କିରେ ବର୍ଦ୍ଧନ, ପଶୁମାନଙ୍କୁ କାହା ପାଖରେ ଛାଡି ଏଠାରେ ତୁ ନିଶ୍ଚିନ୍ତ ହୋଇ ବସିଲୁ? ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବର୍ଦ୍ଧନ କହିଲା “ମୁଁ ପଶୁଙ୍କୁ ପୁଣି କାହାକୁ ଦେଇ ଆସିବି ସେମାନେ ତାଙ୍କର ଚରୁଛନ୍ତି । ମୁଁ କ’ଣ ସେମାନଙ୍କୁ ସବୁବେଳେ ଜଗିବସିବି ନା କ’ଣ? ସେମାନଙ୍କର କିଛି ବି କ୍ଷତି ହେବ ନାହିଁ ।
ଏଭଳି କଥା ଶୁଣି ସେମାନେ ହସି ଉଠିଲେ । ବର୍ଦ୍ଧନ ରାଗିଯାଇ କହିଲା, ସେ ବିଷୟରେ ଆପଣମାନଙ୍କର ଚିନ୍ତା କରିବାର କିଛିବି ଆବଶ୍ୟକତା ନାହିଁ । ମୁଁ ଯେଉଁଠି ଥିଲେ ମଧ୍ୟ ମୋର ପଶୁମାନଙ୍କ ସହିତ ସମ୍ପର୍କ ସେମିତି ରହିଥାଏ । ଏପରିକି ମୁଁ ସେମାନଙ୍କ ସହିତ କଥାବାର୍ତ୍ତା ବି କରିପାରେ । ଆପଣମାନେ ଯଦି ଦେଖିବାକୁ ଚାହାଁନ୍ତି ତ କୁହନ୍ତୁ ମୁଁ ଏହା ପ୍ରମାଣ କରି ନିଶ୍ଚୟ ଦେଖାଇ ଦେବି ।
ଏକଥା ଶୁଣି ଜଣେ ବ୍ୟକ୍ତି କହିଲା “ଆଶ୍ଚର‌୍ୟ୍ୟ, ପଶୁଙ୍କ ସହିତ ଟିକିଏ କଥାବାର୍ତ୍ତା କରି ଆମକୁ ଦେଖା ତ । ଏଣେ ବର୍ଦ୍ଧନ “ହା” ବୋଲି ଏକ ଶବ୍ଦ କରିବା ମାତ୍ରେ ଦୁଇଟି ବଳଦ ହଠାତ୍ କୁଆଡୁ ତା’ ପାଖକୁ ଦୌଡି ଆସିଲେ ।

ବର୍ଦ୍ଧନ ହସି ହସି କହିଲା “ଏବେ ତୁମେ ଫେରିଯାଇ ଘାସ ଚରୁଥାଅ । ତା’ପରେ ସେମାନେ ସେଠାରୁ ଜ୍ଞାତଭାବରେ ଲେଉଟିଗଲେ । ଏହାପରେ ବର୍ଦ୍ଧନ ଲୋକମାନଙ୍କୁ ପଚାରିଲା “ଆହୁରି କିଛି ପ୍ରମାଣ ଚାହଁ? ଆଉ ଜଣେ ଲୋକ ପୁଣି କହିଲା “କିଏ ଜାଣିଲା ସେମାନେ ଘାସ ଚରିବାକୁ ପଡିଆକୁ ଫେରିଗଲେ ନା ଆଉ କାହାର କ୍ଷେତବାଡିରେ ପଶି ତା’ର ଫସଲ ନଷ୍ଟ କଲେ?
ତହୁଁ ବର୍ଦ୍ଧନ ଦୃଢ ଭାବରେ କହିଲା “ସେପରି ତ କେବେବି ମଧ୍ୟ ହେବ ନାହିଁ । ବର୍ଦ୍ଧନ କଥାର ସତ୍ୟତା ଦେଖିବାକୁ ଦୁଇଜଣ ଲୋକ ବଳଦଙ୍କୁ ଦେଖିବାକୁ ଗଲେ । ସେମାନେ ଦେଖିଲେ ଯେ ସେମାନେ ଠିକ୍ ଅନ୍ୟପଶୁଙ୍କ ପାଖକୁ ଚରିବାକୁ ଫେରିଯାଇଛନ୍ତି
ସେପରି ଘଟଣା ଆଉ ଥରେ ବି ଘଟିଥିଲା । ତାଙ୍କ ଗ୍ରାମର ସାହୁକାର ପଶୁ ମେଳାରୁ ଗୋଟିଏ ବଳଦ କିଣିବାକୁ ଚାହୁଁଥିଲେ । ସେ ବର୍ଦ୍ଧନକୁ ମଧ୍ୟ ନିଜ ସହିତ ନେଲେ ବଳଦଟି କିଣି ସେ ତାକୁ ତାଙ୍କ ଘରେ ଗୁହାଳରେ ବାନ୍ଧିଦେବା ପାଇଁ ବର୍ଦ୍ଧନକୁ କହିଲେ ଓ ଏହାପରେ ସେ ସହରକୁ ଚାଲିଗଲେ । ସଂଧ୍ୟା ହେବାକୁ ଡେରି ଥିଲା । ତେଣୁ ବର୍ଦ୍ଧନ ଭାବିଲା ବୁଲି ବୁଲି ମେଳା ଦେଖି ସଂଧ୍ୟା ହୋଇଗଲେ ବଳଦକୁ ନେଇ ସେ ଘରକୁ ଯିବ କାରଣ ରାତି ବେଶି ହେବା ପୂର୍ବରୁ ସେ ସାହୁକାର ଅବଶ୍ୟ ଲେଉଟି ଆସିବ ।

ସେ ବଳଦକୁ କହିଲା, “ତୁ ଯାଇ ସାହୁକାରର ଘରର ଗୁହାଳରେ ଥିବୁ ମୁଁ ପରେ ଯିବି । ତା’ପରେ ସେ ବଳଦ ସେଠାରୁ ଚାଲିଗଲା । ବର୍ଦ୍ଧନ ତା’ର ଚିହ୍ନାଜଣା ଲୋକଙ୍କ ସହିତ ବୁଲିବୁଲି ଆନନ୍ଦରେ ମେଳା ଦେଖିଲା । ସୂର‌୍ୟ୍ୟ ଅସ୍ତ ହେବା ପରେ ସେ ଘରକୁ ଫେରିଲା । ବର୍ଦ୍ଧନ ପ୍ରଥମେ ସାହୁକାର ଘରକୁ ଯାଇ ଦେଖିଲା ବଳଦଟି ସେଠାରେ ପହଁଚିଛି ଯେ ମାତ୍ର ଗୁହାଳ ଭିତରକୁ ସେ ଯାଇ ନାହିଁ, ବାହାରେ ସେମିତି ସେ ଠିଆ ହୋଇଛି । ବର୍ଦ୍ଧନ ତାକୁ ଗୁହାଳକୁ ନେଇ ବାନ୍ଧିଦେଲା ଓ ତାକୁ କିଛି ଘାସ ଖାଇବାକୁ ବି ଦେଲା ।
କିଛିଦିନ ପରେ ବର୍ଦ୍ଧନ ଦେଖିଲା ଯେ ସେ ବଳଦଟି ତାକୁ ଦେଖିଲେ ଭୂଷିବାକୁ ମାଡି ଆସୁଛି । ଏଥିରୁ ସେ ବର୍ଦ୍ଧନ ଠିକ୍ ଜାଣିପାରିଲା ଯେ କେହି ଜଣେ ଏ ବଳଦ ପ୍ରତି ମନ୍ତ୍ର ପ୍ରୟୋଗ କରିଛି । ତେଣୁ ସେ ବାବୁଲ୍ ଗଛର କଂଟା ଡାଳ ଭାଙ୍ଗି ଆଣି ଗୁହାଳ ଓଳାଇଲା । ତେଣେ ଜଣେ ଚାକର “ମରିଗଲି, ମରିଗଲି” ହୋଇ ଦୌଡି ଆସିଲା । ସମସ୍ତେ ଦେଖିଲେ ତା’ ପିଠିରେ କଂଟା ପଶି ରକ୍ତ ଝରୁଛି । ବର୍ଦ୍ଧନ ୟାଡେ ଗୁହାଳ ଯେତେ ଓଳାଉଛି; ତା’ପିଠିରୁ ସେତେ ରକ୍ତ ବାହାରୁଛି ପରେ ସେ ଚିତ୍କାର କରି କହିଲା, “ବାପରେ ମୁଁ ମରିଯିବିରେ, ହେ ତୁମେ ଗୁହାଳ ଓଳାଇବା ବନ୍ଦ କର ।
“ଓ ତାହେଲେ ଏସବୁ ତୋରି କୀର୍ତ୍ତି ତୁ ଯଦି ଆଉ କେବେବି ଏ ବଳଦ ପାଖକୁ ଆସିବୁ, ତାହେଲେ ଯାଇ ତୁ ମୋତେ ଠିକ୍ ଚିହ୍ନିବୁ । ଯା ଆଜି । ଏତିକି କହି ସେ ବର୍ଦ୍ଧନ ଗୁହାଳ ଓଳାଇବା ବନ୍ଦ କଲା । ଚାକରଟି ଏପରି ମନ୍ତ୍ର ପ୍ରୟୋଗ କରି ଥିଲା ଯେ ବଳଦ ବର୍ଦ୍ଧନକୁ ଭୂଷିବାକୁ ଯାଉଥିଲା । ମାତ୍ର ବର୍ଦ୍ଧନ ଓଲଟା ମନ୍ତ୍ର ପ୍ରୟୋଗ କରି ତାକୁ ସିଧା ସେ ଧରାପକାଇ ଦେଲା ।

ଆଉ ଥରେ ମଧ୍ୟ ଠିକ୍ ଏହିପରି ଘଟିଥିଲା । କ୍ଷେତରେ ଫସଲ କଟା ହୋଇ ଗାଡିରେ ଲଦା ହୋଇ ସେସବୁ ସହରକୁ ପଠା ହେଉଥିଲା । ଗାଡି ସହିତ ବର୍ଦ୍ଧନ ଓ ଅନ୍ୟ ଦଶବାର ଜଣ ଲୋକ ଥିଲେ । କିଛି ଦୂର ଯିବାରେ ବହୁତ ଖରା ହେବାରୁ ସେମାନେ ଗାଡି ରଖି ବଳଦମାନଙ୍କୁ ଫିଟାଇ ଦେଲେ ଓ ନିଜେ ଦ୍ୱିପ୍ରହରର ଖାଦ୍ୟ ଖାଇଲେ । ସେମାନେ ଏକାଠି ବସିଛନ୍ତି, ହଠାତ୍ ଗୋଟାଏ କୁକୁର ତାଙ୍କ ଆଡକୁ ଆସୁଥିବାର ସେମାନେ ଦେଖିଲେ । ପାଖରେ ଗାଁ ଗଣ୍ଡାକିଛି ନାହିଁ । କୁକୁରଟି କୁଆାଡେ ନ ଅନେଇ ଚାଲିଥାଏ; ମନେ ହେଉଥାଏ ଯେପରି ତାକୁ କିଏ ପଠାଇଛି । କିନ୍ତୁ ବର୍ଦ୍ଧନ ଥରେ ମାତ୍ର ସେ କୁକୁରକୁ ଚାହିଁ କହିଲା, “ତାକୁ କିଏ ମନ୍ତ୍ର ଦେଇ ପଠାଇଛି ।
ଏକଥା ଶୁଣି ଅନ୍ୟ ଜଣେ କହିଲା “କିନ୍ତୁ ଏପରି କିଏ ବା କାହିଁକି ପଠାଇବ? ତା’ପରେ ବର୍ଦ୍ଧନ କହିଲା “ଦେଖିବା, କିଏ ଏପରି ପଠାଇଛି । ତା’ପରେ ସେ କୁକୁର ସହିତ ବର୍ଦ୍ଧନ କଥାବାର୍ତ୍ତା କଲା ଓ ତାକୁ ଏମିତି ସେ କ’ଣ କହିଲା ଯେ କୁକୁରଟି ସେଠାରୁ ଦୌଡି ପଳାଇଲା । ଏଥିରୁ ଅନ୍ୟମାନେ କିଛି ବି ବୁଝିପାରିଲେ ନାହିଁ । ସମସ୍ତେ ସହର ଯିବାକୁ ଗାଡିରେ ବଳଦ ଯୋଚିଲେ । ବର୍ଦ୍ଧନ କହିଲା, “ଟିକିଏ ରୁହ, କୁକୁରକୁ କିଏ ଏଠାକୁ ପଠାଇଛି ତାହା ଟିକିଏ ଆମେ ବୁଝିବା ।
କିଛି ସମୟ ପରେ ଘୋଡାରେ ବସି ଜଣେ ଲୋକ ଆସି ସେଠାରେ ପହଁଚି କହିଲା, “ମୋ କୁକୁର ସହିତ କିଏ ଲାଗିଲା? ନିଜ କାମ ଛାଡି ଅନ୍ୟ କାମରେ ହାତ ଦେଉଛ କାହିଁକି?ବର୍ଦ୍ଧନ ତାଙ୍କୁ ପଚାରିଲା “କାହାସହ କଥା କହୁଛ? ତୁମ କୁକୁର ସହିତ ଆମର କି ସମ୍ପର୍କ?
ସେତେବେଳେ ବର୍ଦ୍ଧନ ସହିତ ବହୁତ ଲୋକ ଥିଲେ ବୋଲି ସେ ବେଶି କିଛି କହିଲା ନାହିଁ । କିନ୍ତୁ ବର୍ଦ୍ଧନ କି ଛାଡିବା ଲୋକ । ତା’ରି ମୁହଁରେ ତା’ର ଦୋଷ ସେ ସ୍ୱୀକାର କରାଇଲା ।

ପ୍ରକୃତରେ କଥା କଣକି ସେ ଲୋକଟି ହେଉଛି ପଶୁ ଚିକିତ୍ସକ । ତା’ସହିତ ସେ କିଛିଟା ତନ୍ତ୍ରମନ୍ତ୍ର ମଧ୍ୟ ଜାଣେ । ତେଣୁ କୁକୁରକୁ ବାୟାକରି ସେ ପଠାଇ ଦେଲେ ଯେପରି ସେ ଅନ୍ୟ ପଶୁମାନଙ୍କୁ କାମୁଡି ଖଣ୍ଡିଆ ଖାବରା କରିଦେବ । ହେଲେ ପଶୁମାନେ ତ ମରିବେ ନାହିଁ କାରଣ କୁକୁରଟି ପ୍ରକୃତରେ ବାୟାନୁହେଁ । ସମସ୍ତେ ଚିକିତ୍ସକଙ୍କ ପାଖକୁ ପଶୁର ଚିକିତ୍ସା କରିବାକୁ ଆସିବେ ତେଣୁ ତାର ଦୁଇପଇସା ଭଲ ଲାଭ ହେବ ।
ବିଚାରା ପଶୁଚିକିତ୍ସକ ବାଧ୍ୟ ହୋଇ ନିଜର ଦୋଷ ସ୍ୱୀକାର କଲା କାରଣ ସେ ଦେଖିଲା ଯେ ବର୍ଦ୍ଧନ ବଡ ଗୁଣୀ ସେ ତା’ର କ’ଣ ନାହିଁ କ’ଣ କରିଦେବ । ଏଣୁ ସେ ବିକଳ ହୋଇ ନିଜ ଦୋଷ ସ୍ୱୀକାର ପରେ ସମସ୍ତିଙ୍କ ପାଖରେ କ୍ଷମା ମାଗିଲା ।ସେ ଦୋଷ ସ୍ୱୀକାର କରିବା ପରେ ବର୍ଦ୍ଧନ ତାକୁ ଧମକ ଚମକ ଦେଇ ସେଠାରୁ ବିଦାକଲା ଯେପରିକି ସେ ତା’ ଭବିଷ୍ୟତରେ ଏପରି ଆଉ କେବେବି ଦ୍ୱିତୀୟ ବାର ନ କରେ ।

Comments (0)
Add Comment