ନନ୍ଦନକାନନର ବିଚିତ୍ର ନୀତି:- ମନଇଚ୍ଛା ପରିବର୍ତ୍ତନ ହେଲା ବନ୍ଦ ସମୟ

ପରିଚାଳନା ଏସିଏଫଙ୍କ ପାଖରେ ଖବର ନାହିଁ

ଭୁବନେଶ୍ୱର,୨୭।୬(ଏସଏସନିଉଜ) ନନ୍ଦନକାନନରେ ବିଚିତ୍ର ନୀତି ଦେଖିବାକୁ ମିଳିଛି।ନୂଆ ମୁଖିଆ ଆସିବା ପରେ ନିୟମ ମଧ୍ୟ ବଦଳି ଯାଇଛି।
ସରକାରଙ୍କ ନିର୍ଦ୍ଦେଶନାମାକୁ ମଧ୍ୟ ଜଳାଞ୍ଜଳି ଦିଆଯାଇଛି।ଯାହାର ଜ୍ୱଳନ୍ତ ଉଦାହରଣ ନନ୍ଦନକାନନ ବନ୍ଦ ହେବା ସମୟ ପରିବର୍ତ୍ତନରେ ଦେଖିବାକୁ ମିଳିଛି। ନନ୍ଦନକାନନ ମୁଖିଆ ବିନା ସରକାରୀ ନିର୍ଦ୍ଦେଶରେ ଏହାକୁ ପରିବର୍ତ୍ତନ କରି ପର୍ଯ୍ୟଟକଙ୍କୁ ପରୋକ୍ଷରେ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ବିଚିତ୍ର ନିୟମ
ଗୁରୁବାରଠାରୁ ଲଗୁହେବା ପରେ ପର୍ଯ୍ୟଟକମାନେ ହଇରାଣ ହେବାରେ ଲାଗିଛନ୍ତି।ଯଦି ସରକାରଙ୍କ ପକ୍ଷରୁ ବନ୍ଦ ହେବାର ସମୟ ପରିବର୍ତ୍ତନ କରାଗଲା ତେବେ ପର୍ଯ୍ୟଟକମାନଙ୍କ ଜାଣିବା ପାଇ କାହିଁକି ନନ୍ଦନକାନନ ପକ୍ଷରୁ ସ୍ପଷ୍ଟୀକରଣ ଦିଆନଗଲା ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରକାଶ ଯେ, ପର୍ଯ୍ୟଟକମାନଙ୍କ ସୁବିଧା ପାଇ ଏପ୍ରିଲରୁ ସେପ୍ଟେମ୍ବର ୬ମାସ ପର୍ଯ୍ୟନ୍ତ ସକାଳ ସାଢେ଼ ୭ରୁ ଖୋଲା ରହି ସନ୍ଧ୍ୟା ସାଢ଼େ ୫ରେ ନନ୍ଦନକାନନ ବନ୍ଦ ରହିଥାଏ।ସେହିଭଳି ଭାବେ ଅକ୍ଟୋବର ରୁ ମାର୍ଚ୍ଚମାସ ୬ମାସ ପର୍ଯ୍ୟନ୍ତ ସକାଳ ୮ରେ ନନ୍ଦନକାନନ ଖୋଲା ରହି ସନ୍ଧ୍ୟା ୫ଟାରେ ବନ୍ଦ ରହିଥାଏ।
କିନ୍ତୁ ଗୁରୁବାରଠାରୁ ଏଥିରେ ପରିବର୍ତ୍ତନ କରାଯାଇଥିବାର ଦେଖିବାକୁ ମିଳିଛି।ଏହି ନୂଆ ନିୟମ ଗୁରୁବାରଠାରୁ ଲାଗୁ ହେବାରୁ ସନ୍ଧ୍ୟା ସାଢ଼େ ୫ ପରିବର୍ତ୍ତେ ସନ୍ଧ୍ୟା ୫ଟାରେ ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ୍ ରହିବା ସହ ପର୍ଯ୍ୟଟକମାନଙ୍କ ପ୍ରବେଶକୁ ବାରଣ କରାଯାଇଛି।ଅନ୍ୟପଟେ ନନ୍ଦନକାନନ ପକ୍ଷରୁ ଲଗାଯାଇଥିବା ସୂଚନା ଫଳକ,ୱେବସାଇଟରେ ଏହି ପରିବର୍ତ୍ତନ ବିଷୟରେ ସୂଚନା ମଧ୍ୟ ଦିଆଯାଇନାହିଁ କି ସରକାରୀ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇନଥିବାର ଜଣାପଡିଛି।ଏତେବଡ ନିଷ୍ପତ୍ତି ନେବାପୂର୍ବରୁ ପର୍ଯ୍ୟଟକମାନଙ୍କୁ ଅବଗତ କରାଇବା ପାଇଁ ପୂର୍ବରୁ କୌଣସି ଉଦ୍ୟମ ବି ନନ୍ଦନକାନନ ପକ୍ଷରୁ କରାଯାଇନାହିଁ।ଯେଉଁଥିପାଇଁ ଆସୁଥିବା ପର୍ଯ୍ୟଟକମାନେ ଏବେ ହଇରାଣ ହୋଇ ଫେରୁଥିବାର ଦେଖିବାକୁ ମିଳିଛି।

ଅନ୍ୟପଟେ ପର୍ଯ୍ୟଟକମାନଙ୍କ ଜାଣିବା ପାଇ ଖୋଲିବା ଓ ବନ୍ଦ ହେବା ସମୟରେ ନନ୍ଦନକାନନ ପକ୍ଷରୁ ବାଜୁଥିବା ସାଇରନର ସମୟ ସୀମା ପରିବର୍ତ୍ତନ ନହୋଇ ପୂର୍ବ ନିର୍ଦ୍ଧାରିତ ସମୟ ଅର୍ଥାତ୍ ସାଢେ଼ ୫ଟାରେ ବାଜୁଥିବାର ଦେଖିବାକୁ ମିଳିଛି।ଏହି ବିଚିତ୍ର ନୀତି ଦୂର ଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ନାହିଁନଥିବା ହଇରାଣ ହେଉଥିବାର ଦେଖିବାକୁ ମିଳିଛି।
ଏସବୁ ସତ୍ତ୍ୱେ ପର୍ଯ୍ୟଟକ ପରିଚାଳନା ଏସିଏଫ ମନସ୍ମିତା ମହାରଣା କହୁଛନ୍ତି ଏବେ ହୋଇନି ସାଢେ଼ ୫ରେ ନନ୍ଦନ କାନନ ବନ୍ଦ ରହୁଛି।ସବୁଠାରୁ ବଡକଥା ହେଲା ଏସିଏଫ ମ୍ୟାଡମ୍ କିପରି ଜାଣି ପାରିନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ପର୍ଯ୍ୟଟକମାନଙ୍କ ଦାୟିତ୍ୱରେ ରହୁଥିବା ବେଳେ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଛନ୍ତି କିନ୍ତୁ ମ୍ୟାଡମ୍ ଙ୍କ ପାଖରେ ଖବର ନାହିଁ।ଏଥିରୁ କିଭଳି
ପର୍ଯ୍ୟଟକ ପରିଚାଳନା ହେଉଥିବ ତାହା ଜଣାପଡିଛି।

Comments (0)
Add Comment