ନନ୍ଦନକାନନରେ ଖୁଲମ୍ ଖୁଲା ଲୁଟ, CCTV ତଳେ ହିଁ ଚାଲିଛି ଠକେଇ

ଡିସପ୍ଲେରେ ଓ ରେଟଚାର୍ଟରେ ୧୦୦, କିନ୍ତୁ ମଗାଯାଉଛି ୧୩୦

ଭୁବନେଶ୍ୱର ୨୭|୬ (ଏସଏସନିଉଜ) ଓଡ଼ିଶାର ଗର୍ବ ନନ୍ଦନକାନନ ଆଜି ଠକେଇର ଅଡ୍ଡାସ୍ଥଳୀ ପାଲଟିଛି । ଯେଉଁ ନନ୍ଦନକାନନକୁ ଦେଖିବାକୁ ଦେଶ-ବିଦେଶରୁ ପର୍ଯ୍ୟଟକ ଧାଇଁ ଆସନ୍ତି, ସେଇ ନନ୍ଦନକାନନର ମୁଖ୍ୟ ଫାଟକରେ ହିଁ ସରକାରୀ ବୋର୍ଡକୁ ବେଖାତିର କରି ଖୋଲାଖୋଲି ପର୍ଯ୍ୟଟକଙ୍କୁ ଲୁଟାଯାଉଥିବାର ଅଭିଯୋଗ ଆସିଛି ।ପୂର୍ବରୁ ପାଣି ବୋତଲ ଷ୍ଟିକରକୁ ନେଇ ଠକେଇ ଅଭିଯୋଗ ଆସିଥିବା ବେଳେ ଏବେ ବ୍ୟାଟେରୀ ଚାଳିତ ଗାଡି ଟିକେଟ ମୂଲ୍ୟ କୁ ନେଇ ପର୍ଯ୍ୟଟକମାନେ ପ୍ରତାରଣାର ଶିକାର ହେଉଛନ୍ତି।ଏ କଥା ଆମେ କହୁନାହିଁ ଯାହା ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକମାନଙ୍କ ହିତ ପାଇ କରାଯାଇଥିବା ଭିନ୍ନଭିନ୍ନ ପ୍ରଚାର ଫଳକ ପ୍ରମାଣ ଦେଉଛି। ।ଟିକେଟ୍ କାଉଣ୍ଟର ପାଖ ଡିଜିଟାଲ୍ ଡିସପ୍ଲେରେ ସ୍ପଷ୍ଟ ଭାବେ ଲେଖା ଅଛି -ବ୍ୟାଟେରୀ ଚାଳିତ ଗାଡ଼ି:-ଜଣେ ବ୍ୟକ୍ତି ପାଇଁ ୧୦୦ ଟଙ୍କା । କାଉଣ୍ଟର ପାଖରେ ଲାଗିଥିବା ବୋର୍ଡରେ ମଧ୍ୟ ୧୦୦ ଟଙ୍କା ଦର ଲେଖା ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, କାଉଣ୍ଟରରେ ପର୍ଯ୍ୟଟକଙ୍କଠାରୁ ୧୩୦ ଟଙ୍କା ଆଦାୟ କରାଯାଉଛି ।

ଠକେଇ ଏତିକିରେ ସରିନି । ଟିକେଟ କାଉଣ୍ଟର ପାଖରେ କେବଳ ଓଡ଼ିଆ ଭାଷାରେ ଲେଖାଥିବା ଅନ୍ୟ ଏକ ବୋର୍ଡ ଦେଖିବାକୁ ମିଳିଛି ଯେଉଁଥିରେ କାଗଜରେ ୧୩୦ ଟଙ୍କା ଲେଖି ଲଗାଯାଇଛି । ଗୋଟିଏ ସ୍ଥାନରେ ୨ ଟା ଅଲଗା ଦର – ୧୦୦ ଓ ୧୩୦ଟଙ୍କା । ପ୍ରଶ୍ନ ଉଠୁଛି, କେଉଁଟା ଅସଲ ଓ କେଉଁଟା ଦର ? ଏନେଇ କଲିକତା ରୁ ଆସିଥିବା ବିବେକ ଘୋଷ,ଜୟନ୍ତୀ ଘୋଷ କୁହନ୍ତି ଆମେ ଡିସପ୍ଲେ ଦେଖି ୧୦୦ ଟଙ୍କା ଭାବି ଧାଡ଼ିରେ ଠିଆ ହେଲୁ । କିନ୍ତୁ କାଉଣ୍ଟରରେ ୧୩୦ ମାଗିଲେ । ପଚାରିବାରୁ କହିଲେ ଦର ବଢ଼ିଛି । ତେବେ ବୋର୍ଡ ବଦଳାଉନାହାନ୍ତି କାହିଁକି ? ତେବେ ବିଡ଼ମ୍ବନରା ବିଷୟ ଏହା କ’ଣ ଇଚ୍ଛାକୃତ ଠକେଇ ନା କର୍ତୃପକ୍ଷଙ୍କ ଚରମ ଅବହେଳା ?ଯଦି ଦର ୧୩୦, ତେବେ ଡିଜିଟାଲ୍ ଡିସପ୍ଲେ ଓ ମୁଖ୍ୟ ବୋର୍ଡରେ ଏବେ ବି ୧୦୦ କାହିଁକି ରଖାଯାଈଛି ? କେବଳ ଓଡ଼ିଆ ବୋର୍ଡରେ କାଗଜ ମାରି ୧୩୦ ଲେଖିବା କ’ଣ ବାହାର ରାଜ୍ୟ ପର୍ଯ୍ୟଟକଙ୍କୁ ଅନ୍ଧାରରେ ରଖିବା ପାଇଁ ଚାଲ୍ ନୁହେଁ ତ ? ଏହି ଅଧିକ ଟଙ୍କା ନନ୍ଦନକାନନ ରାଜକୋଷକୁ ଯାଉଛି ନା କାହା ପକେଟକୁ ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି କରିଛି । ଏନେଇ ଆମେ ନନ୍ଦନକାନନ ଉପନିର୍ଦେଶକ ପ୍ରଦୀପ କୁମାର ମିଟାସେ ଙ୍କୁ ପଚାରିବାରୁ ସେ କୁହନ୍ତି ,ଦର କେବଳ ୧୦୦ ଟଙ୍କା। ଆମେ ଠିକା ନେଇଥିବା ସଂସ୍ଥାକୁ ଲୋକଙ୍କଠାରୁ ଅଧିକ ଦେୟ ନ ନେବାକୁ ନୋଟିସ ଜାରି କରିଛୁ।ଯଦି ଏହା ପୁନରାବୃତ୍ତି ହୁଏ, ତେବେ ଆମେ ଚୁକ୍ତିନାମା ସର୍ତ୍ତାବଳୀ ଅନୁସାରେ ଆକ୍ସନ ନେବୁ ବୋଲି କହିଛନ୍ତି ।
ନନ୍ଦନକାନନ ଭଳି ଜାତୀୟ ସ୍ତରର ପ୍ରାଣୀ ଉଦ୍ୟାନରେ ଏଭଳି ଅବ୍ୟବସ୍ଥା ରାଜ୍ୟର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ସେମାନଙ୍କ ବିଶ୍ୱାସ ସହ ଖେଳିବା ଅଧିକାର କାହାର ନାହିଁ । ବାହାର ରାଜ୍ୟର ପର୍ଯ୍ୟଟକ ଏଠି ଠକାମୀର ଶିକାର ହୋଇ ଓଡ଼ିଶାର ଅସ୍ମିତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଜନତାଙ୍କ ପଇସାକୁ ଏମିତି ଲୁଟିବା ବନ୍ଦ କରାଇବା ସହିତ ନନ୍ଦନକାନନ ଉଚ୍ଚ କର୍ତ୍ତୃପକ୍ଷ ଓ ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

Comments (0)
Add Comment