ମେଣ୍ଢାଶାଳ,୨୮।୧୦(ଏସଏସନିଉଜ) ସାରା ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସ ସହ କମିଶନରେଟ୍ ପୁଲିସ ରଥ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି । ଏହି ରଥରେ ଏଲଇଡି ପ୍ୟାନେଲ୍ରେପ ପ୍ରଦର୍ଶିତ ହେଉଥିବା ଭିଡିଓ ବାର୍ତ୍ତାକୁ ଜନସାଧାରଣ ବିଶେଷ କରି ଛାତ୍ର ଛାତ୍ରୀମାନଙ୍କୁ ଆକର୍ଷିତ କରିବା ସହ ସେମାନଙ୍କ ମନରେ ସାଇବର ସୁରକ୍ଷା ପ୍ରତି ବଢ଼ୁଥିବା ସଚେତନତା ଏବଂ ଆଗ୍ରହ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ରାଲି, ସେମିନାର, କର୍ମଶାଳା ଏବଂ ସାଧାରଣ ସଭା ସମେତ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମରେ ହଜାର ହଜାର ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ ସକ୍ରିୟ ଭାବେ ଅଂଶଗ୍ରହଣ କରି ସାଇବର ସୁରକ୍ଷା କ୍ଷେତ୍ରରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହି ସଚେତନତାରୁ ବାଦ ପଡିନି ଚନ୍ଦକା ଥାନା ପୁଲିସ । ମଙ୍ଗଳବାର ଦିନ ଚନ୍ଦକା ଥାନା ପୁଲିସ ଆନୁକୁଲ୍ୟରେ ନାଳନ୍ଦା ଇନଷ୍ଟିଚୁଟ ଅଫ ଟେକ୍ନୋଲୋଜି ପରିସରରେ ସାଇବର ସୁରକ୍ଷା ମାସ ଉପଲକ୍ଷେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଓପିଡିର ଅତିରିକ୍ତ ଡିସିପି ସୁବ୍ରତ କୁମାର, ଚନ୍ଦକା ଥାନା ଅଧିକାରୀ ସମିତା ମିଶ୍ର, ସାଇବର ଥାନା ଅଧିକାରୀ ପ୍ରିୟଦର୍ଶିନୀ ନନ୍ଦଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ । ଛାତ୍ରଛାତ୍ରୀଙ୍କୁ ପୁଲିସ ଅଧିକାରୀମାନେ ସାଇବର ଠକେଇରୁ କିଭଳି ମୁକ୍ତି ପାଇବା ସହ ଏହାର ତ୍ୱରିତ ମୁକାବିଲା କରିପାରିବେ ସେ ନେଇ ଆଲୋଚନା କରିଥିଲେ ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ )