କଟକ,୦୮।୧୦(ଏସଏସନିଉଜ)କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଆୟୋଜନ କରାଯାଉଛି । ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ ଐତିହାସିକ ବାଲିଯାତ୍ରାମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରାପଡ଼ିଆରେ ୬୦ ଏକରରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ବିଶାଳ ଆକାରରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ, ଅନେକ ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ ଦେଖିବା ପାଇଁ ଯୋଗଦେବାର ଆଶା କରାଯାଉଛି।
ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆ ଏବଂ ଆଖପାଖ ଅଞ୍ଚଳ ଉପରେ ପାରା ଗ୍ଲାଇଡର୍,ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ୟୁଏଭି କିମ୍ବା ଡ୍ରୋନ୍ ଉଡ଼ାଣକୁ ନିଷେଧ କରିବା ସହ ତଳ ଏବଂ ଉପର ବାଲିଯାତ୍ରାପଡ଼ିଆଠାରୁ ୫କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ “ଡ୍ରୋନ୍ ମୁକ୍ତ ଅଞ୍ଚଳ” ଭାବରେ ଘୋଷଣା କରିଛନ୍ତି।୨୦୨୫ ନଭେମ୍ବର ୧ ତାରିଖଠାରୁ ୧୫ ତାରିଖପର୍ଯ୍ୟନ୍ତ ଏହି ଡ୍ରୋନ୍ ମୁକ୍ତ ଅଞ୍ଚଳ ଉପରେ ପାରା ଗ୍ଲାଇଡର୍,ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍, ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, UAV କିମ୍ବା ଡ୍ରୋନ୍ ଉଡ଼ାଣକୁ କଡ଼ାକଡ଼ି ନିଷିଦ୍ଧ କରାଯାଇଛି। ଏହି ଆଦେଶର ଉଲ୍ଲଂଘନ କଲେ ଏନଫୋର୍ସମେଣ୍ଟ ଦଳ ଦ୍ୱାରା ନିଷିଦ୍ଧ ସାମଗ୍ରୀ ଜବତ କରାଯିବ ଏବଂ ଆଇନର ବ୍ୟବସ୍ଥା ଅନୁଯାୟୀ ଦଣ୍ଡ ବିଧାନ କରାଯିବ। ତେଣୁ ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ପରିଧି ମଧ୍ୟରେ ଏପରି କୌଣସି ଉପକରଣ ପରିଚାଳନା କରିବା ପୂର୍ବରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ନ୍ୟାୟିକ ବିଭାଗରୁ ଆବଶ୍ୟକ ଅନୁମତି ନେବାକୁ ଅନୁରୋଧ କରାଯାଇଛି।
Prev Post
Next Post
