କମ୍ପାନୀରୁ ମୋବାଇଲଫୋନ୍ ଚୋରି କରୁଥିଲେ

ସିସିଟିଭି ଫୁଟେଜରେ ଧରାପଡିଲା

ମେଣ୍ଢାଶାଳ,୧୦।୪(ଏସଏସନିଉଜ)କମ୍ପାନୀରେ କାମ କରୁଥିବା ବେଳେ କୌଶଳ କ୍ରମେ ମୋବାଇଲ୍ ଫୋନ୍ ଚୋରି କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସିଏ ହେଲେ ବାଲେଶ୍ଵର ଗୋପାଳପୁରର ବିଶ୍ଵନାଥ ଖୁଣ୍ଟିଆ ଓରଫ ସିପୁ(୨୫)।ପୋଲିସ ତାଠାରୁଦୁଇଟି ମୋବାଇଲ୍ ଫୋନ୍ ଓ ଗୋଟିଏ ପେନ୍ ଡ୍ରାଇଭକୁ ଜବତ କରିଛି ।
ପ୍ରକାଶ ଯେ, ଅତନୁ ଦାସ ନାମକ ବ୍ୟକ୍ତି ଗିରିଙ୍ଗାପୁଟସ୍ଥିତ ଡିଏଚଏଲ୍ କମ୍ପାନୀରେ ମାନବ ସମ୍ବଳ ପରିଚାଳକ ଭାବରେ କାର୍ଯ୍ୟରତ ଅଛନ୍ତି। ଗତ କିଛି ଦିନ ମଧ୍ୟରେ କମ୍ପାନୀ ପରିସରରୁ ୮ଟି ମୋବାଇଲ୍ ଫୋନ୍ ଚୋରି ହୋଇଥିବା ବିଷୟରେ ତାଙ୍କ ପାଖରେ ଅଭିଯୋଗ ହୋଇଥିଲା।ଏହାପରେ ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ ବିଶ୍ୱନାଥ ଖୁଣ୍ଟିଆ ନାମକ ଜଣେ କର୍ମଚାରୀ ଚୋରିରେ ସମ୍ପୃକ୍ତ ଥିବାର ଚିହ୍ନଟ ହୋଇଥିଲେ ବୋଲି ଗତ ମାର୍ଚ୍ଚ ମାସ ୨୫ତାରିଖରେ ସେ ଚନ୍ଦକା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ।ପୋଲିସ ୧୬୫/୨୬କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରିଥିଲା।ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଲାଯେ,ବିଶ୍ୱନାଥ ଡିଏଚଏଲ୍ କମ୍ପାନୀରେ ମ୍ୟାଟେରିଆଲ୍ ଆସୋସିଏଟ୍ ଭାବରେ କାମ କରୁଥିବା ସମୟରେ ସିଲ୍ ପ୍ୟାକେଟଗୁଡ଼ିକୁ ବିକୃତ କରି ଗୁପ୍ତ ଭାବରେ ମୋବାଇଲ୍ ଫୋନ୍ ବାହାର କରୁଥିଲେ ଏବଂ ସୁରକ୍ଷା ଯାଞ୍ଚରୁ କେହି ନଜାଣି ପାରିବା ପାଇଁ ଚୋରି ମୋବାଇଲ ଗୁଡ଼ିକୁ ନିଜ ଜୋତା ତଳେ ଲୁଚାଇ ରଖୁଥିଲେ ବୋଲି ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ କରିଥିବା ତଦନ୍ତ ବେଳେ ଜାଣିବାକୁ ପାଇଥିଲେ।ଏହାପରେ ବିଶ୍ୱନାଥ ଫେରାର ହୋଇଯାଇଥିଲେ।ଶୁକ୍ରବାର କୌଣସି ସୂତ୍ରରୁ ଖବର ପାଇ ପୋଲିସ ବିଶ୍ୱନାଥଙ୍କୁ ଗିରଫ କରିବା ପରେ ପଚରାଉଚରାରେ ସେ ନିଜର ଅପରାଧ ସ୍ୱୀକାର କରିଥିଲେ।ପୋଲିସ ତାଠାରୁ ଦୁଇଟି ଚୋରି ମୋବାଇଲ ଫୋନ୍,ଗୋଟିଏ ପେନଡ୍ରାଇଭ ଜବତକରି ଶୁକ୍ରବାର କୋର୍ଟଚାଲାଣ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.