କଟକ, ୭।୬(ଏସଏସନିଉଜ) କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର ନରାଜମାର୍ଥାପୁର ରେଳଷ୍ଟେସନ ସର୍ବପୁରାତନ ରେଳଷ୍ଟେସନ ଭାବରେ ପରିଚିତ। ଏହି ନରାଜ ମାର୍ଥାପୁର ରେଳଷ୍ଟେସନରେ ପାସେଞ୍ଜର ହଲ୍ଟ (ପିଏଚ) ରହିଛି। ଏଠାରେ ପ୍ରତ୍ୟେକଦିନ ପ୍ରାୟ ୭ଟି ପାସେଞ୍ଜର ଟ୍ରେନ ରହଣି କରୁଛି। ଉକ୍ତ ଷ୍ଟେସନରେ ଜଣେ ଠିକାକର୍ମଚାରୀ ଟିକଟ ବିକ୍ରି କରୁଛନ୍ତି। ଯାହାଫଳରେ ଯାତ୍ରୀମାନଙ୍କମୌଳିକସୁବିଧା ଉପଲବ୍ଧ କରିପାରୁନି। ସର୍ବସାଧାରଣଙ୍କ ପାଇଁ କରାଯାଇଥିବା ଶୈଚାଳୟରେ ତାଲା ପକାଯାଇଛି। ରେଳବିଭାଗର ଅବହେଳା ପାଇଁ ଏଭଳି ଏକ ବିକଳ ଚିତ୍ର ଏଠାରେ ଦେଖିବାକୁ ମିଳିଛି ।କଟକ ସହରଠାରୁ ମାତ୍ର ୧୦ କିଲୋମିଟର ଓ ରାଜଧାନୀରୁ ମାତ୍ର ୨୦ କିଲୋମିଟର ଦୂରରେ ନରାଜମାର୍ଥାପୁର ପାସେଞ୍ଜର ହଲ୍ଟ ଟି ରହିଛି। ଷ୍ଟେସନକୁ ଯିବାପାଇଁ ମୁଖ୍ୟରାସ୍ତାର ପାହାଚରେ ଗଛଲତା ମାଡ଼ିଗଲାଣି। ଭୁବନେଶ୍ୱରରୁ ସମ୍ବଲପୁର ତଥା ପଶ୍ଚିମ ଓଡିଶାକୁ ଯାତାୟାତର ସୁବିଧା ଥିବା ସହ ରାଜ୍ୟ ବାହାରକୁ ପରିବହନ ଓ ଗମନାଗମନର ମୁଖ୍ୟ ମାଧ୍ୟମ ପାଲଟିଛି ନରାଜ ମାର୍ଥାପୁର ରେଳଷ୍ଟେସନ। ଏହି ଲାଇନରେ ଯାଉଥିବା ପ୍ରାୟ ସବୁ ପାସେଞ୍ଜର ବା ଲୋକାଲଟ୍ରେନ ଏଠାରେ ଅଟକିଥାନ୍ତି। ତିନୋଟି ଛୋଟ ପ୍ଲାଟଫର୍ମ ଓ ଗୋଟିଏ ଫୁଟ ଓଭରବ୍ରିଜ ରହିଛି। ପୂର୍ବରୁ ସିଗନାଲ ପରିଚାଳନା ପାଇଁ ତିନୋଟି ପର୍ଯ୍ୟାୟରେ ଷ୍ଟେସନମାଷ୍ଟର କାର୍ଯ୍ୟ କରୁଛନ୍ତି। ସିଗନାଲ ଇଣ୍ଟରଲକ ରୁମ ମଧ୍ଯ ରହିଥିଲା। କିଛିବର୍ଷ ହେବ ଏହି ଷ୍ଟେସନ ବା ପାସେଞ୍ଜର ହଲ୍ଟ ପ୍ରତି ରେଳବାଇ କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବାର ଅଭିଯୋଗ ଆସିଛି।ଫଳରେ ଠିକାକର୍ମଚାରୀ ନଆସିବାରୁ ଟିକେଟନପାଇ ଯାତ୍ରୀ ମାନେ ବିନାଟିକେଟରେ ଯାତ୍ରା କରିବାକୁ ପଡୁଛି।ଦାୟିତ୍ଵ ରହୁନଥିବାରୁ ଏହାର ପରିସର ଏବେ ଅପରିଷ୍କାର ସାଙ୍ଗକୁ ବିଭିନ୍ନ ଗଛଲତାରେ ପରିପୂର୍ଣ ହେବାରେ ଲାଗି ରେଳଷ୍ଟେସନ ବୋଲି ଜାଣି ହେଉନାହିଁ ।ଫୁଟ ଓଭରବ୍ରିଜର ଗୋଟିଏ ପଟେ ଗଛଲତା ମାଡ଼ିଯାଇ ଥିବାରୁ ତାଉପରକୁ ମଧ୍ୟ ଚଢ଼ି ହେଉନି ।ଯାହାଫଳରେ ଦିନକୁଦିନ
ଯାତ୍ରୀଙ୍କସଂଖ୍ୟା ଏଠାରେ କମିବାରେ ଲାଗିଛି। ପ୍ରତିଦିନ ପ୍ରାୟ ୧୦୦ରୁ ୧୨୦ଟି ଟିକଟ ବିକ୍ରି ହେଉଛି। ଗତ ୨୦୧୬ ମସିହା ଫେବୃଆରୀ ୨୦ ତାରିଖରେ ତତ୍ କାଳୀନ ସାଂସଦ ଭତୃହରି ମହତାବ ,ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କଦ୍ଵାରା କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନୂତନ ପ୍ରଶାସନିକ କୋଠାର ଉଦଘାଟନ ହୋଇଥିଲା। ଏହା ଏବେ ଠିକ୍ ଭାବରେ କାର୍ଯ୍ୟକ୍ଷମ ହୋଇପାରିନି। ସଂଧ୍ୟା ହେଲେ ନିଶାସକ୍ତଙ୍କ ଆଡ୍ଡା ଜମୁଛି। ଏଭଳି ସ୍ଥିତିରେ ସେହି ପାସେଞ୍ଜର ହଲ୍କୁ ଯାତ୍ରୀ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏହି ପୁରାତନ ତଥା ବ୍ରିଟିଶ ସମୟର ନରାଜମାର୍ଥାପୁର ଷ୍ଟେସନ ପ୍ରତି ରେଳବାଇକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)
