ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର

0 292

କେନ୍ଦୁଝର, ୧୮/୧(ଏସଏସନିୟୁଜ)କରୋନା ମହାମାରୀ ପାଇଁ ପ୍ରାୟ ଦୀର୍ଘ ୧୦ ମାସ ହେବ ବନ୍ଦ ରହିବା ପରେ କେନ୍ଦୁଝର ଜିଲାର ପ୍ରସିଦ୍ଧ ଦୈବୀପୀଠ ମା’ ତାରିଣୀଙ୍କ ମନ୍ଦିର ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି। ପ୍ରଥମେ ସକାଳ ୮ଟାରେ ସେବାୟତ(ଦେହୁରୀ)ଙ୍କ ପରିବାର ଲୋକେ ମାଆଙ୍କର ଦର୍ଶନ କରିବା ପରେ ସାଧାରଣ ଲୋକ ଦର୍ଶନ ସୁବିଧା ପାଇଛନ୍ତି।
ତେବେ ସମସ୍ତ କୋଭିଡ ନିୟମ ପାଳନ କରି ମା’ ତାରିଣୀଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି। ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମା ତାରିଣୀଙ୍କୁ ଦର୍ଶନ କରିପାରିବେ। ମନ୍ଦିରର ୩ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରୁଛନ୍ତି ଏବଂ ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରୁଛନ୍ତି। ମା’ ତାରିଣୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଏକାଥରେ ୨୫ରୁ ୩୦ ଜଣ ଶ୍ରଦ୍ଧାଳୁଙ୍କୁ ମା’ଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ। ମା’ ତାରିଣୀ ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ନେବାକୁ ବାରଣ କରାଯାଇଛି ବୋଲି ମା’ ତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.