ମହାନଦୀରେ ପ୍ରବେଶ କରିବ ବନ୍ୟାଜଳ

ସଜାଗ ହେଲା କଟକ ଜିଲ୍ଲା ପ୍ରଶାସନ

କଟକ,୨୭।୯(ଏସଏସନିଉଜ)ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ୍ ଖୋଲାଯାଇଥିବା ଏବଂ ମୁଣ୍ଡଳୀଠାରେ ମହାନଦୀରେ ୮ ଲକ୍ଷ କ୍ୟୁସେକ୍‌ରୁ ଅଧିକ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବ୍ୟାପକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଇଛି।
ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବନ୍ୟାପ୍ରବଣ ତଳିଆ ଅଞ୍ଚଳ ଏବଂ ନଦୀବନ୍ଧ ନିକଟରେ ବସବାସ କରୁଥିବା ଲୋକଙ୍କୁ ପରିସ୍ଥିତିର ଆକଳନ କରି ଆବଶ୍ୟକସ୍ଥଳେ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ନଦୀକୂଳ ନିକଟସ୍ଥ ମନ୍ଦିରଗୁଡ଼ିକୁ ଆସନ୍ତାକାଲି ଭକ୍ତମାନଙ୍କ ପାଇଁ ବନ୍ଦ ରଖାଯିବ। ବନ୍ୟାପ୍ରବଣ ଅଞ୍ଚଳରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ବିଡ଼ିଓ ଓ ତହସିଲଦାରମାନଙ୍କୁ SRC ବୋଟ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘରବାଡ଼ି ମଧ୍ୟକୁ ନଦୀଜଳ ପ୍ରବେଶ ରୋକିବା ପାଇଁ ସମସ୍ତ ସ୍ଲୁଇସ୍ ଗେଟ୍ ବନ୍ଦ ରଖାଯିବ। କୌଣସି ରାସ୍ତା କିମ୍ବା ବ୍ରିଜ୍ ଉପରେ ବନ୍ୟାଜଳ ଉପରିକୁ ପ୍ରବାହିତ ହେଉଥିବା ଦେଖାଗଲେ ତୁରନ୍ତ ଯାତାୟାତ ବନ୍ଦ କରି ବିକଳ୍ପ ରାସ୍ତା ବ୍ୟବହାର ପାଇଁ ଲୋକଙ୍କୁ ପରାମର୍ଶ ଦିଆଯିବ। ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରମାନଙ୍କୁ ଆଣ୍ଟିଭେନମ୍ ମହଜୁଦ ରଖିବା ସହ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସବ ସମୟ ନିକଟବର୍ତ୍ତୀ ଗର୍ଭବତୀ ମହିଳାମାନଙ୍କୁ ନିରାପଦ ପ୍ରସବ ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ। ଏଥିସହ ନିର୍ବାହୀ ଯନ୍ତ୍ରୀମାନେ ବାଲିବସ୍ତା ପ୍ରସ୍ତୁତ ରଖିବା ସହ ନଦୀବନ୍ଧ ଓ ବ୍ୟାରେଜ୍ ଉପରେ ଦିନରାତି କଡ଼ା ନଜର ରଖିବା ଏବଂ ରାତ୍ରି ପାଟ୍ରୋଲିଂ କରିବାକୁ କୁହାଯାଇଛି। ପରିସ୍ଥିତି ଆକଳନ କରି ଆବଶ୍ୟକ ପଡ଼ିଲେ ଅସ୍ଥାୟୀ ରିଲିଫ୍ କ୍ୟାମ୍ପ ଖୋଲିବା ପାଇଁ ପ୍ରସ୍ତୁତ ରହିବାକୁ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ନଦୀବନ୍ଧ ନିକଟସ୍ଥ ଅଞ୍ଚଳବାସୀଙ୍କୁ ନଦୀ ମଧ୍ୟକୁ ନଯିବାକୁ ଏବଂ ଘରୋଇ ପଶୁମାନଙ୍କୁ ମଧ୍ୟ ପାଣି ପିଇବା କିମ୍ବା ଅନ୍ୟ କୌଣସି କାରଣରେ ନଦୀକୁ ନନେବା ପାଇଁ ସତର୍କ କରାଯାଇଛି। ବନ୍ୟାଜଳର ପରିମାଣ ଓ ପ୍ରବାହକୁ ଦୃଷ୍ଟିରେ ରଖି ମହାନଦୀରେ ମୂର୍ତ୍ତି ବିସର୍ଜନ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଏଥିସହ ବ୍ଲକ୍‌ର ପ୍ରଶିକ୍ଷିତ ଆପଦମିତ୍ରମାନଙ୍କୁ ତୁରନ୍ତ ଖୋଜା ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯାଇଛି। ସମସ୍ତ କାର୍ଯ୍ୟାଳୟର କଣ୍ଟ୍ରୋଲ୍ ରୁମ୍‌କୁ ଚବିଶ ଘଣ୍ଟା ସକ୍ରିୟ ରଖିବା ସହ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ତୁରନ୍ତ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

- Advertisement -

Leave A Reply

Your email address will not be published.