ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଧରଣୀଧରଙ୍କ ନାମରେ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଅତିଥି ଭବନ

ଭୁବନେଶ୍ୱର,୫।୫(ଏସଏସନିୟୁଜ)ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତାଠାରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ୫୦କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତାଠାରେ ସ୍ମୃତି ସଂଗ୍ରହାଳୟ ଓ ଵ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟ ବରାଦର ସମୁଦାୟ ୩୪୦ଗୋଟି ନୂତନ ପ୍ରକଳ୍ପର ଘୋଷଣା, ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ବିଳ୍ପବ ସହିତ ଆଧ୍ୟାତ୍ମିକତାର ପ୍ରତୀକ ଥିଲେ ଧରଣୀଧର। ମହାନ ବିପ୍ଲବୀ ଧରଣୀଧର ଓଡ଼ିଶାରେ ବ୍ରିଟିଶ୍ ବିରୋଧୀ ଆନ୍ଦୋଳନରେ ନେତୃତ୍ୱ ଦେଇଥିବା ଏକ ଦୃଢ ସଂଘର୍ଷୀ ନାୟକ। ତାଙ୍କ ଦୃଢ ସଂକଳ୍ପ, ଦେଶପ୍ରେମ ଓ ତ୍ୟାଗ ଆଜି ଯୁବପିଢି ପାଇଁ ପ୍ରେରଣା ସ୍ରୋତ। ରାଜ୍ୟ ସରକାର ତାଙ୍କ ସ୍ମୃତିକୁ ଅମର କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ପୂଜ୍ୟପୂଜା ପରମ୍ପରାକୁ ଗୁରୁତ୍ୱ ଦେଇ ଆଜି ଆମ ସରକାର ସାରା ଓଡିଶାରେ ମହାପୁରୁଷମାନଙ୍କ ଜୟନ୍ତୀ ସେମାନଙ୍କ ଜନ୍ମମାଟିରେ ପାଳନ କରୁଛି । ଏହାହିଁ ଆମ ଅସ୍ମିତାର ପରିଚୟ।
ଧରଣୀଧରଙ୍କ ଜୀବନୀ ହିଁ ଆମକୁ ଅଖଣ୍ଡତା ଓ ବିକାଶର ଦିଗରେ କାର୍ଯ୍ୟ କରିବାକୁ ଶିକ୍ଷା ପ୍ରଦାନ କରେ। ଜୀବନର ପ୍ରଥମ ଭାଗ ସେ ବିଦ୍ରୋହ କରି ସ୍ୱାଧୀନତାର ଅଗ୍ନି ଜଳାଇଥିଲେ ଓ ଶେଷ ଭାଗକୁ ସେ ଆଧ୍ୟାତ୍ମିକ ମାର୍ଗରେ ଯାଇ ଦେଶର ସ୍ୱାଧୀନତା ପାଇଁ ଇଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥିଲେ। ଆଜି ଧରଣୀଧର ନାହାନ୍ତି, ତାଙ୍କ ସ୍ମୃତି ଅଛି। ବିପ୍ଲବ କରିବାର ଯେଉଁ ଚେତନା ସେ ସୃଷ୍ଟି କରିଥିଲେ, ସେ ଚେତନା ଅଛି। ଆଜି ସ୍ୱାଧୀନତା ପାଇଁ ଲଢିବାର ନାହିଁ। ଆଜିର ସମୟ ହେଉଛି ବିକାଶ ପାଇଁ ଲଢିବାର ସମୟ। ଦୀର୍ଘ ଦିନ ଧରି କେନ୍ଦୁଝରକୁ ଯେଉଁ ଅବହେଳା ହୋଇଥିଲା, ତାକୁ ଦୂର କରିବାର ସମୟ ଆଜି ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝରରେ ଖୁବଶୀଘ୍ର ଜେଏସ୍‌ଡବ୍ଲୁ ଦ୍ୱାରା ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଷ୍ଟିଲପ୍ଲାଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏଥି ସହିତ କେନ୍ଦୁଝରରେ ସମୁଦାୟ ୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଯାହାଦ୍ୱାରା ୩୦ରୁ ୩୫ ହଜାର ଯୁବକ ଯୁବତୀ ରୋଜଗାର ପାଇବେ। ଶିଳ୍ପ ପ୍ରତିଷ୍ଠାନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ପ୍ରକଳ୍ପ ଗୁଡିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ଯାହା ଦ୍ୱାରା କେନ୍ଦୁଝର ଜିଲ୍ଲା ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଆଗକୁ ଯିବ।
କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଶ୍ରୀ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଢ ପ୍ରମୁଖ ନିଜ ଅଭିଭାଷଣ ରଖିଥିଲେ।

- Advertisement -

Leave A Reply

Your email address will not be published.