ନକଲି ଆୟକର ଅଧିକାରୀ ଗିରଫ

0 338

ଭୁବନେଶ୍ବର,୧୫/୧୨(ଏସଏସନିୟୁଜ) ଖାରବେଳନଗର ପୁଲିସ ଜଣେ ନକଲି ଆୟକର ଅଧିକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲା ବିରିଡ଼ିଥାନା ଅଧୀନସ୍ଥ ହଳଦୀପଡ଼ିଆ ଗ୍ରାମ ଜେନା ସାହିର ଉମାକାନ୍ତ ରାଉତ। ପୁଲିସ ସୂଚନା ମୁତାବକ ଅଭିଯୁକ୍ତ ଜଣକ ଆୟକର କାର‌୍ୟ୍ୟାଳୟର ଜଣେ ଅବସରପ୍ରାପ୍ତ ପିଅନ। ପୂର୍ବରୁ ଲାଞ୍ଚ ନେବା ମାମଲାରେ ବିଭାଗ ପକ୍ଷରୁ ତାକୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ବିଭିନ୍ନ ବ୍ୟବସାୟୀ, ଫାର୍ମ ହାଉସ ମାଲିକଙ୍କୁ ଫୋନ୍ କରି ଟଙ୍କା ଆଦାୟ କରୁଥିଲା। ଏନେଇ କଟକ ଓ ଭୁବନେଶ୍ବରରେ ଅନେକ ଥର ଅଭିଯୋଗ ମଧ୍ୟ ହୋଇଥିଲା। ଗିରଫ ଅଭିଯୁକ୍ତର କଟକ ମାଲଗୋଦାମ, ଚାଉଳିଆଗଞ୍ଜ ଏବଂ ଇନ୍‌ଫୋସିଟି ଥାନାରେ ୫ଟି ଘଟଣା‌େ‌ର ସମ୍ପୃକ୍ତି ଥିବା ଜଣା ପଡ଼ିଛି।ଗତ ଜୁଲାଇ ମାସରେ ଜଣେ ବ୍ୟକ୍ତିଙ୍କଠାରୁ ଫୋନ୍‌ରେ ନିଜକୁ ଆୟକର ଅଧିକାରୀ କହି ସେ ୧୦ହଜାର ଟଙ୍କା ଦାବି କରିଥିଲା। ପରେ ଏନେଇ ଭୌମନଗରସ୍ଥିତ ଦେବା ଏଜେନ୍ସି ମାଲିକ ଦେବାଶିଷ ପଟ୍ଟନାୟକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଉମାକାନ୍ତ ଆୟକର ଅଧିକାରୀ ପରିଚୟ ଦେବାସହ ତାଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲା। ଫୋନରେ ଧମକ ମଧ୍ୟ ଦେଇଥିଲା। ପୁଲିସ ଘଟଣାର ତଦନ୍ତ କରିବା ସହ ମୋବାଇଲ ଫୋନ୍ ଟ୍ରାକ୍ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।

Leave A Reply

Your email address will not be published.