ବାରଙ୍ଗ,୧୪।୬(ଏସଏସନିଉଜ) ବୁଧବାର ପହିଲି ରଜରେ ନନ୍ଦନକାନନରେ ପର୍ଯ୍ୟଟକ ସମାଗମ ଲାଗିରହିଥିଲା । ହେଲେ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ପର୍ଯ୍ୟଟକ ଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ରଜ ପାଇଁ ସଜେଇ ହୋଇରହିଥିଲା ନନ୍ଦନକାନନ। ସକାଳୁ ସକାଳୁ ନନ୍ଦନକାନନ ଖୋଲାହେବା ପରେ ଧିରେ ଧିରେ ପର୍ଯ୍ୟଟକ ଙ୍କ ଭିଡ଼ ରହିଥିଲା । ପ୍ରାଣୀଉଦ୍ୟାନ ଭିତରେ ବାଘ,ସିଂହ, ଭାଲୁ, ଜିରାଫ୍,ସିମ୍ପାଜି,ପାଦଚଲା ବିହଙ୍ଗ ସରଣୀ ସହ ୪ ସଫାରୀର ମଜ୍ଜା ଉଠାଇଥିଲେ ପର୍ଯ୍ୟଟକ। ହେଲେ ବୋଟିଂ ବନ୍ଦ ରହିଥିବା ଦେଖି ନିରାଶ ରେ ଫେରିଥିଲେ ପର୍ଯ୍ୟଟକ । ଅନ୍ୟପଟେ ବ୍ୟାଟେରିଚାଳିତ ଗାଡି ଓ ଶିଶୁରେଳଗାଡି ପାଇଁ ପର୍ଯ୍ୟଟକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା।ମାଛଘର ଓ ଶିଶୁଉଦ୍ୟାନରେ ଦୋଳି ପାଇଁ ପିଲାମାନଙ୍କର ଗହଳି ଲାଗି ରହିଥିଲା।ଉଦ୍ୟାନ ଭିତରେ ପର୍ଯ୍ୟଟକଙ୍କୁ ସୁ ପରିଚାଳନା ପାଇଁ ପ୍ରଥମ ଥର ପାଇଁ ସ୍ବଛ୍ଛସେବୀ ଅନୁଷ୍ଠାନ ଦ୍ବାରା ପରିଚାଳନା କରାଯାଉଥିଲା।ଯାନବାହାନ ନିୟନ୍ତ୍ରଣ ପାଇଁ ନନ୍ଦନକାନନ ଥାନା ପୁଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସହିତ ଅଗ୍ନିଶ୍ରମ ବିଭାଗକୁ ନିୟୋଜିତ କରାଯାଇଥିଲା।ରାଜ୍ୟଉଭିଦ ଉଦ୍ୟାନ କାଞିଆହ୍ରଦ ସଂଯୋଗୀକରଣ ରାସ୍ତାକୁ ନନ୍ଦନକାନନ ପାଖରୁ ବନ୍ଦ କରାଯାଇଥିଲା।ତା ସହିତ ଦାରୁଠେଙ୍ଗ ପଟ ୧ନମ୍ବର ଫାଟକ ବନ୍ଦ ଥିବାବେଳେ ଉଦ୍ୟାନ ଭିତରକୁ ଯାନବାହାନ ବନ୍ଦ ରହିଥିଲା। ପହିଲି ରଜରେ ନନ୍ଦନକାନନକୁ ୧୨,୮୩୬ ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ।ସେମାନଙ୍କ ମଧ୍ୟରେ ଅଫଲାଇନରେ ୧୨,୫୮୯ ପର୍ଯ୍ୟଟକ ଟିକଟ ସଂଗ୍ରହ କରିଥିବାବେଳେ ଅନଲାଇନ ମାଧ୍ୟମରେ ୨୩୫ଜଣ ପର୍ଯ୍ୟଟକ ଟିକଟ ସଂଗ୍ରହ କରିଥିବାବେଳେ ୧୨ଜଣ ଭିନ୍ନକ୍ଷମ ବ୍ୟକ୍ତି ମାଗଣାରେ ପ୍ରବେଶ କରିଥିଲେ।ଗତବର୍ଷ ପ୍ରଥମ ରଜରେ ୨୧ହଜାର ୧୨୬ଜଣ ପର୍ଯ୍ୟଟକ ନନ୍ଦନକାନନ ଆସିଥିଲେ।ସେମାନଙ୍କ ମଧ୍ୟରେ ଅଫଲାଇନରେ ୨୦ହଜାର ୭୧୬ ଓ ଅନଲାଇନ ମାଧ୍ୟମରେ ୪୧୦ଜଣ ପର୍ଯ୍ୟଟକ ଟିକଟ ସଂଗ୍ରହ କରି ବୁଲିବାକୁ ଆସିଥିଲେ।ଗତବର୍ଷ ଠାରୁ ୮୨୯୦ ଜଣ ପର୍ଯ୍ୟଟକ କମ୍ ଆସିଥିଲେ। ସେହିପରି ରାଜ୍ୟଉଭିଦ ଉଦ୍ୟାନକୁ ରଜରେ ୭୬୨ ଜଣ ପର୍ଯ୍ୟଟକ ଆସିଥିଲେ।୨୦୦ ଦୁଇ ଚକିଆ ଯାନ,ଗୋଟିଏ ତିନି ଚକିଆ ଯାନ,୧୮ଟି ୪ଚକିଆ ଯାନ ଓ ୬ଟି ଡିଜିଟାଲ କ୍ୟାମେରା ଟିକଟ କରି ଭିତରକୁ ଯାଇଥିଲେ।ପର୍ଯ୍ୟଟକ ଓ ଯାନବାହାନ ବାବଦରେ ମୋଟ ୨୩ଲକ୍ଷ ୧୯୦ ଟଙ୍କା ରାଜସ୍ବ ଆଦାୟ ହୋଇଥିବା କର୍ତ୍ତୃପକ୍ଷ ଠାରୁ ସୂଚନା ମିଳିଛି ।
