ଯାଜପୁର,୪ା୭(ଏସଏସନିଉଜ)ଗତକାଲି ବିଳମ୍ବିତ ରାତିରେ ପାଣିକୋଇଲିଛକ ଶର୍ମା ପେଟ୍ରୋଲପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ଦ୍ରୁତ ଗତିରେ ଆସୁଥିବା କାର୍ ପିଟିବାଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକଦ୍ୱୟ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବିନୋଦ ଜେନା ଓ ତାଙ୍କ ପତ୍ନୀ ସୁମାତ୍ରା ଜେନା ବୋଲି ଜଣାଯାଇଛି। ଗତକାଲି ଦମ୍ପତିଙ୍କ ସମେତ ୫ ଜଣ ଏକ କାର୍ ଯୋଗୁ କଟକରୁ ବାଲେଶ୍ୱର ଫେରୁଥିଲେ । ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ପାଣିକୋଇଲି ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପିଟିଥିଲା ।ଖବର ପାଇ ସଙ୍ଗେସଙ୍ଗେ ପୁଲିସ୍ ପହଞ୍ଚି କାର୍ରୁ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ବିନୋଦ ଓ ତାଙ୍କ ପତ୍ନୀ ସୁମାତ୍ରାଙ୍କୁ ମୃତ ଘୋଷଣା କରିଥିଲେ। ୩ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
