ଭୁବନେଶ୍ୱର,୩ଜୁନ(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଦେବଗଡ଼ ଜିଲ୍ଲାପାଇଁ ଆଜି ୩୦୦ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହୋଇଛି ।
ସୂଚନାଥାଉକି, ଏହି ପ୍ରକଳ୍ପଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ୪ଟି ଶିକ୍ଷା ଭିତ୍ତିଭୂମି ଉନ୍ନତି କରଣପ୍ରକଳ୍ପ ରହିଛି।ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କୁ ଚପଲପାଇଁ ୧୬୦ ଟଙ୍କା, କେରିସଂଗ୍ରହ କପଡାପାଇଁ ୨୦୦ଟଙ୍କା,ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କଟୋପି ପାଇଁ ୧୦୦ଟଙ୍କା, ବନ୍ଧାଳିମାନଙ୍କ ପାଇଁ ମଶାରୀ ଓ କମ୍ବଳପାଇଁ ଜଣଙ୍କ ପିଛା ୭୦୦ ଟଙ୍କା ପ୍ରଦାନ କରାଯିବ । ଏହାଦ୍ୱାରା ରାଜ୍ୟର ପ୍ରାୟ ୯ଲକ୍ଷ କେନ୍ଦୁପତ୍ର ତୋଳାଳୀ,ବନ୍ଧାଳି ଓ ସିଜନାଲ ଷ୍ଟାଫ ଉପକୃତ ହେବେ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଦେବଗଡଜିଲ୍ଲାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଅଛି। ଆମେ ତାହାର ସଠିକ ଉପଯୋଗ କରି ଜିଲ୍ଲାକୁ ରାଜ୍ୟ ବିକାଶଧାରାର ମୁଖ୍ୟସ୍ରୋତରେ ଯୋଡିବୁ। ଆମ ସରକାର ଆସିବା ପରେ ଆମେ ଓଡିଶାର ୩୦ଟି ଜିଲ୍ଲାର ସମାନୁପାତିକ ବିକାଶକୁ ଗୁରୁତ୍ୱ ଦେଉଛୁ। ସମାଜର ଶେଷଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ।ଶିକ୍ଷା,ସ୍ୱାସ୍ଥ୍ୟ,ଭିତ୍ତିଭୂମି,କୃଷି,ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱଦେଲେ ହିଁ ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନ ସମ୍ଭବ ହୋଇପାରିବ। ସମସ୍ତଙ୍କୁନେଇ ସବୁକ୍ଷେତ୍ରର ବିକାଶ ଜରିଆରେ ୨୦୩୬ମସିହା ସୁଦ୍ଧା ସମୃଦ୍ଧଓଡିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତଭାରତ ଗଠନର ଲକ୍ଷ୍ୟ ପୂରଣକରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ, ଡ. ମୁକେଶ ମହାଲିଙ୍ଗ, ଦେବଗଡ ବିଧାୟକ, ଶ୍ରୀ ରୋମାଞ୍ଚରଞ୍ଜନ ବିଶ୍ୱାଳ, ଶ୍ରୀ କବିନ୍ଦ୍ର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ, ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଶ୍ଵମୋହନ ମିଶ୍ର ଧନ୍ୟବାଦ ଦେଇଥିଲେ।

