ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ସ୍ୱର ବଦଳାଇଛନ୍ତି ଯୋଗଗୁରୁ ବାବା ରାମଦେବ । ଏଲୋପାଥି ଚିକିତ୍ସା ଓ ଡାକ୍ତରମାନଙ୍କ ବିରୋଧରେ ବିଷଓକାଳିଥିବା ବେଳେ କରୋନାଟିକା ସପକ୍ଷରେ ବୟାନ ଦେଇଛନ୍ତି ।ଯୋଗ ଓ ଆୟୁର୍ବେଦ ଦ୍ୱାରା ନିଜକୁ କରୋନା ଭାଇରସରୁ ସୁରକ୍ଷିତ ରଖିଥିବା ରାମଦେବ କହୁଥିଲେ।ହେଲେ ଏବେ ସେ ନିଜର ଆଭିମୁଖ୍ୟ ବଦଳାଇ ଡାକ୍ତରମାନଙ୍କୁ ପ୍ରଶଂସା କରିବା ସହ ଦେବଦୂତ ଭାବେ ବର୍ଣ୍ଣନା କରିଛନ୍ତି । ରାମଦେବ କରୋନା ଟିକା ନେବେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ମାଗଣା ଟିକାର ବ୍ୟବସ୍ଥା କରିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଏହାକୁ ସେ ଐତିହାସିକ ପଦକ୍ଷେପ କହିବା ସହ ସମସ୍ତଙ୍କୁ ଟିକା ନେବାକୁ ନିବେଦନ କରିଛନ୍ତି। ହରିଦ୍ୱାରରେ ରାମଦେବ କହିଛନ୍ତି, ଟିକାର ଉଭୟ ଡୋଜ୍ ନିଅନ୍ତୁ। ଏହା ଯୋଗ ଓ ଆୟୁର୍ବେଦ ସହ ଡବଲ ସୁରକ୍ଷା ଯୋଗାଇବ। ଏମାନେ ମିଳିତ ଭାବେ ଜଣଙ୍କୁ ଏମିତି ସୁରକ୍ଷା କବଚ ଯୋଗାଇ ଦେବେ ଯେ ଜଣେ ହେଲେ ବି କେହି ଆଉ କରୋନାରେ ପ୍ରାଣ ହରାଇବେ ନାହିଁ।ଆପଣ କେବେ ଟିକା ନେବେ ବୋଲି ପ୍ରଶ୍ନର ଉତ୍ତରରେ ‘ଖୁବଶୀଘ୍ର’ବୋଲି କହିଛନ୍ତି । ମୁଁ କୌଣସି ସଂଗଠନକୁ ବିରୋଧ କରେନାହିଁ। ଭଲ ଡାକ୍ତରମାନେ ପ୍ରକୃତ ହିରୋ। କିନ୍ତୁ କିଛି ଡାକ୍ତର ଭୁଲ କରୁଛନ୍ତି। ଜରୁରୀ କାଳୀନ ଚିକିତ୍ସା ଓ ଅପରେସନ ପାଇଁ ଏଲୋପାଥି ସବୁଠାରୁ ଶ୍ରେଷ୍ଠ। ଏଥିରେ କୌଣସି ଦୁଇମତ ନାହିଁ ବୋଲି କହିଛନ୍ତି ।ତେବେ ରାମଦେବ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଏଲୋପାଥି ଔଷଧର ପ୍ରଭାବକୁ ନେଇ ପ୍ରଶ୍ନ ଉଠାଇଥିଲେ। ରାମଦେବ ଏଲୋପାଥିକୁ ଷ୍ଟୁପିଡ ସାଇନ୍ସ ଓ ଏଲୋପାଥି ଯୋଗୁ ଲକ୍ଷାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି କହିଥିଲେ।