ଆମର ଦରକାର ଜଗନ୍ନାଥ ସାର୍

କଟକ,୨୯।୭(ଏସଏସନିଉଜ)ଶିକ୍ଷକଙ୍କ ବଦଳି ବାତିଲ ଦାବୀରେ ଛାତ୍ରୀଛାତ୍ରମାନେ ପାଠପଢା ବନ୍ଦ କରି ପ୍ରାୟ ୧ଘଣ୍ଟା ଧରି ଧାରଣାରେ ବସିଥିଲା।ପରେ ପୋଲିସ ଆସି ବୁଝାସୁଝା କରି ଆଲୋଚନା ମାଧ୍ୟମରେ ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଧାରଣାରୁ ଉଠିଥିଲେ।

 

ପ୍ରକାଶ ଯେ,ରାମଦାସପୁର ପଞ୍ଚାୟତ ଅନ୍ତର୍ଗତ ରତାଗଡ ସରକାରୀ ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ଶ୍ରେଣୀଗୃହ ରହିଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ ରହିଛନ୍ତି।ସେଥିମଧ୍ୟରୁ ଦୀର୍ଘ ବର୍ଷ ହେବ ରହିଥିବା ଜଗନ୍ନାଥ ମାରାଣ୍ଡି ନାମକ ଶିକ୍ଷକଙ୍କ ବଦଳି ଗୋଡିସାହି ସ୍କୁଲକୁ ହୋଇଛି।ସେଠାରୁ ଜଣେ ଶିକ୍ଷୟତ୍ରୀଙ୍କୁ ତାଙ୍କ ସ୍ଥାନରେନିଯୁକ୍ତି ଦିଆଯାଇଛି।କିନ୍ତୁ ଜଗନ୍ନାଥ ମାରାଣ୍ଡିଙ୍କ ବଦଳିକୁ ଛାତ୍ରୀଛାତ୍ର ମାନେ ଗ୍ରହଣ କରିପାରିନାହାନ୍ତି।ଯାହାଫଳରେ ମଙ୍ଗଳବାର ସକାଳୁ ସକାଳୁ ସ୍କୁଲ୍ ଖୋଲିବା ପରେ ପାଠପଢା ବନ୍ଦ କରି ପିଲାମାନେ ଶ୍ରେଣୀ ଗୁହରେ ବ୍ୟାଗ ଥୋଇ ବିଦ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ଧାରଣାରେ ବସିଥିଲେ।ପିଲାମାନଙ୍କର ଅଭିଯୋଗ ରହିଥିଲା ଯେ, ଜଗନ୍ନାଥ ମାରାଣ୍ଡି ଭଲ ପାଠ ପଢ଼ାଉଥିଲେ ଓ ସମସ୍ତଙ୍କ ସହ ମିଶି ରହୁଥିଲେ।ତେଣୁ ଏହି ଶିକ୍ଷକଙ୍କୁ ଆମକୁ ଫେରାଇଦିଆଯାଉ ବୋଲି ଦାବି ଉଠାଇଥିଲେ।ଯେ ପର୍ଯ୍ୟନ୍ତ ଦାବିପୂରଣ ନହୋଇଛି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ।
ପ୍ରାୟ ୧ଘଣ୍ଟା କାଳ ଧାରଣାରେ ବସିବା ପରେ ଖବରପାଇ ଜୋନ- ୪ ଏ.ସି.ପି ଶଶିକାନ୍ତ ରାଉତ ଓ ବାରଙ୍ଗଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳ ଘଟଣାସ୍ଥଳରେ ପହଂଚି ଧାରଣାରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ନେଇ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରି ସମାଧାନ କରିବାର ପ୍ରତିଶ୍ରୁତି ଦେବାପରେ ପିଲାମାନେ ଧାରଣାରୁ ଉଠିଥିଲେ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.