ଭୁବନେଶ୍ୱର,୫।୯(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମରେ ନନ୍ଦ ଉତ୍ସବ କମିଟି ଆନୁକୁଲ୍ୟରେ ଚଳିତ ବର୍ଷ ୪୧ ତମ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ସମାହାରରେ ପାଳିତ ହୋଇଯାଇଛି।ଗତକାଲି ଦିନ ୩ଟା ସମୟ ରେ ଶ୍ରୀ କୃଷ୍ଣ ଜନ୍ମୋତ୍ସବ ପାଳିତ ହୋଇ ଶ୍ରୀକୃଷ୍ଣ ପୂଜାର୍ଚ୍ଚନା କରାଯାଇଥିଲା।ଶନିବାର ନନ୍ଦତ୍ସବ ଉପଲକ୍ଷେ ଭୋଳା, ଗିରିଙ୍ଗାପୁଟ,କଟେଣୀ,କଣ୍ଟାବାଡ଼, ଭଗବତିପୁର ,ଜାମୁଝରୀ, ଛତାବର,ହରିପୁର, ବାରାପିଟା, କୁକୁଡ଼ାମୁଣ୍ଡି ଓ ଅରିସଲ ଗ୍ରାମରୁ ପ୍ରାୟ ୪ହଜାର ଛୋଟ ଛୋଟ ବାଳକ ବାଳିକାମାନେ ଆସି ପ୍ରସାଦ ସେବନ କରିଥିଲେ।କମିଟି ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ସହ ଉତ୍ସବ କମିଟି ର ୪୦ଜଣ ସଦସ୍ୟ ଉତ୍ସବ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଓ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଯୋଗଦେଇଥିଲେ।ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟ କ୍ରମ ଅନୁଷ୍ଠିତ କରାଯାଇଥିଲା।
ପଥରଗାଡ଼ିଆ ରାଧାକୃଷ୍ଣ ବଜାର କମିଟି ଦ୍ୱାରା ଦୁଇ ଦିନ ଧରି ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି।
ଜନ୍ମାଷ୍ଟମୀ ଦିନ ସକାଳେ କଳସ ଯାତ୍ରା, ଘଟସ୍ଥାପନ, ଅଗ୍ନି ସଂଯୋଗ, ବାସୁଦେବ ଓ କୃଷ୍ଣ ମୂର୍ତ୍ତି ସ୍ଥାପନ, କରାଯାଇ ପୂଜା କରାଯାଇଥିଲା ।ଶନିବାର ସୂର୍ଯ୍ୟପୂଜା, ଗୋପୂଜା, ସର୍ବ ଦେବାଦେବି ଆବାହନ କରାଯିବ ପରେ ନନ୍ଦ ଉତ୍ସବ ପାଳନ କରାଯାଇଥିଲା ।ପଥରଗାଡ଼ିଆ ଗ୍ରାମର ମୁରବି କୃଷ୍ଣ ବେହେରାଙ୍କ ତତ୍ତ୍ୱ ଅବଧାନରେ ଏହି ପୂଜାକାର୍ଯ୍ୟ ହୋଇଥିଲା ବେଳେ କିସ ଛକଠାରୁ ନନ୍ଦ ମହାରାଜ ବାଜା ବାଣ ରୋଷଣୀ କରି କୃଷ୍ଣ, ରାଧା, ସଖି ଓ ସାଙ୍ଗ ମାନଙ୍କୁ ନେଇ ଶୋଭାଯାତ୍ରାରେ ବାହାରିଥିଲେ ।ଆଗରେ ବରିମୁଣ୍ଡ ରଙ୍ଗ ବାଜା, ସଂକ୍ରିତନ ମଣ୍ଡଳୀ, ପଂଜାବୀ ଢୋଲ ବାଜା, ଆଦିବାସୀ ନୂତ୍ୟ, ଘୋଡା ନାଚ ଆଦି ସାମିଲ ଥିଲା ଯାହାକି ଦେଖଣା ହାରି ମାନଙ୍କ ପାଇଁ ବେଶ୍ ମନଲୋଭା ସାଜିଥିଲା।

ସେହିଭଳି ଭାବେ ତ୍ରିଶୁଳିଆ ନିକଟସ୍ଥ କୁହ୍ନେଇପଡା ଗ୍ରାମର ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି।ଦୁଇଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ।ଭଜନ କୀର୍ତ୍ତନ ସାଙ୍ଗକୁ ପ୍ରସାଦ ସେବନର ବ୍ୟବସ୍ଥା ମନ୍ଦିର କମିଟି ପକ୍ଷ ରୁ କରାଯାଇଥିଲା।

