ଜଟଣୀ,୨୭।୯(ଏସଏସନିଉଜ)ଜଟଣୀରେ ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଡିଜେର ବିକଟାଳ ଶବ୍ଦରେ ଏକ କୋଠା ଛାତର କିଛି ଅଂଶ ଖସି ପଡ଼ି ଜଣଙ୍କରମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି।ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ଡିଜେ ସଂଗୀତ ଏବଂ ଏହା ଦ୍ୱାରା ସୃଷ୍ଟି ହୋଇଥିବା ତୀବ୍ରକମ୍ପନ ଯୋଗୁଁ ଏହି ନିର୍ମାଣଗତ ବିଫଳତା ଘଟିଥାଇପାରେ ବୋଲି ପୋଲିସ ଅଭିଯୋଗର ତଦନ୍ତ କରୁଛି।ମୃତକ ହେଉଛନ୍ତି ଜଟଣୀର ବାସିନ୍ଦା ଚିଣ୍ଟୁ ବାରିକ (୩୦)। ଆହତଙ୍କ ମଧ୍ୟରୁତିନି ଜଣ ଡିସଚାର୍ଜ ହୋଇଥିବା ବେଳେ ଅନ୍ୟ ୩ଜଣ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି।
ପ୍ରକାଶ ଯେ,ବିସର୍ଜନ ଶୋଭାଯାତ୍ରା ଦେଖିବା ପାଇଁ ପ୍ରବଳ ଗହଳି ହୋଇଥିବା ବେଳେ ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି। ରାସ୍ତା କଡ଼ରେ ଥିବା ଏକ ସରକାରୀ ବ୍ୟାଙ୍କ କୋଠାର ଝରକା ଉପରେ ଥିବା ଏକ ସ୍ଲାବ୍ ହଠାତ୍ ଦର୍ଶକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।୪୦ ବର୍ଷ ପୁରୁଣା କୋଠାର ଝରକା ଉପରେ ଥିବା ସ୍ଲାବ୍ରୁ କଂକ୍ରିଟର ବଡ଼ ଖଣ୍ଡ ଖସିପଡ଼ି ତଳେ ଠିଆ ହୋଇଥିବା ଲୋକଙ୍କ ଉପରେ ପଡ଼ିଥିଲା। ଏଥିରେ ଅନେକ ଲୋକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେମାନଙ୍କର ରକ୍ତସ୍ରାବ ହୋଇଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।ପୋଲିସ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ତେବେ ଡିଜେ ସାଉଣ୍ଡ ପାଇଁ ଏହି ଅଘଟଣା ଘଟିଲା ନା ଆଉ କିଛି ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି।
Prev Post
