ନନ୍ଦନକାନନରେ ମୃତ୍ୟୁର ହାଟ

୩ ଦିନରେ ୪ ପ୍ରାଣୀ ମୃତ୍ୟୁ , ପରିଚାଳନା ଉପରେ ପ୍ରଶ୍ନ ?

ଭୁବନେଶ୍ୱର,୨୨।୧୦ (ଏସଏସନିଉଜ) ନନ୍ଦନକାନନ ଏବେ ମୃତ୍ୟୁପୁରୀ! ଯେଉଁଠି ଜୀବନ ବଞ୍ଚାଇବା କଥା, ସେଇଠି ଜୀବନ ଯାଉଛି। ମାତ୍ର ୭୨ ଘଣ୍ଟାରେ ୪ଟି ଦୁର୍ଲଭ ପ୍ରାଣୀଙ୍କ ମୃତ୍ୟୁ ପ୍ରାଣୀ ଉଦ୍ୟାନରେ ହଇଚଇ ସୃଷ୍ଟି କରିଛି।
ସୂଚନା ଅନୁସାରେ,ଗତ ମଙ୍ଗଳବାର ଶାଗୁଣା ପ୍ରଜନନ କେନ୍ଦ୍ରରେ ଗୋଟିଏ ମାଈ ଶାଗୁଣାର ମୃତ୍ୟୁ ହୋଇଥିବା ବେଳେ ବୁଧବାର ଗୋଟିଏ ମାଈ ରାଟେଲ୍ (ଗାଡ଼ ଭାଲୁ)ର ମୃତ୍ୟୁ ହୋଇଥିଲା। ପୁଣି ଗୁରୁବାର ଗୋଟିଏ ମାଈ କଟନ୍ ଟପ୍ ତାମାରିନ୍‌ ବିଦେଶୀ ମାଙ୍କଡ ଓ କୁଟୁରା ର ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁସାରେ, କ୍ୱାରେଣ୍ଟାଇନରେ ରଖାଯାଇଥିବା ଶାଗୁଣାଟି ପରସ୍ପର ଲଢ଼େଇ ପରେ କାନ୍ଥରେ ମୁଣ୍ଡ ପିଟି ହୋଇ ଆହତ ହୋଇଥିଲା।ପରେ ମାଇ ଶାଗୁଣା ଟିର ମୃତ୍ୟୁ ହୋଇଥିଲା ।
ବର୍ତ୍ତମାନ ଏହି ପ୍ରଜନନ କେନ୍ଦ୍ରର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଭଳି ମୃତ୍ୟୁକୁ ନେଇ ଶାଗୁଣା ସଂରକ୍ଷଣ ପ୍ରୟାସ ଉପରେ ପ୍ରଶ୍ନ ଉଠୁଛି। ସେହିପରି ମାଈ ରାଟେଲ୍ (ଗାଡ଼ ଭାଲୁ)୪ ରୁ ୫ ଦିନ ଅସୁସ୍ଥ ଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଣି ଗୁରୁବାର କଟନ୍ ଟପ୍ ତାମାରିନ୍‌ ବିଦେଶୀ ମାଙ୍କଡ ଓ କୁଟୁରା ର ମୃତ୍ୟୁ କର୍ତ୍ତୃପକ୍ଷଙ୍କୁ ଚିନ୍ତାର କାରଣ ପାଲଟିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, କଟନ୍ ଟପ୍ ଟାମାରିନ୍ ବିଶ୍ୱର ବିରଳ ତଥା ସଙ୍କଟାପନ୍ନ ପ୍ରାଇମେଟ୍ ପ୍ରଜାତି ମଧ୍ୟରୁ ଅନ୍ୟତମ। ସେହିପରି ଶାଗୁଣା ବଂଶ ମଧ୍ୟ ଦେଶରେ ୯୦ ପ୍ରତିଶତରୁ ଅଧିକ ହ୍ରାସ ପାଇସାରିଛି। ଏଭଳି ଦୁର୍ଲଭ ବଂଶର ପ୍ରାଣୀଙ୍କୁ ବଞ୍ଚାଇବା ପାଇଁ ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ର କରାଯାଇଥିବା ବେଳେ ସେଠାରେ ହିଁ ମୃତ୍ୟୁ ଘଟୁଥିବାରୁ ସଂରକ୍ଷଣ ପ୍ରୟାସର ସଫଳତାକୁ ନେଇ ପ୍ରଶ୍ନ ଉଠିଛି।
ବିଭିନ୍ନ ମହଲରୁ ଅଭିଯୋଗ ହେଉଛି ଯେ, ବିଶେଷଜ୍ଞ ବ୍ୟବସ୍ଥା ଥିବା ସତ୍ତ୍ୱେ ଦୈନିକ ସ୍ୱାସ୍ଥ୍ୟ ଯାଞ୍ଚ କେବଳ କାଗଜ କଲମରେ ସୀମିତ ରହୁଛି। ଖାଦ୍ୟର ପୁଷ୍ଟିକର ମାନ ପରୀକ୍ଷା ହେଉନଥିବା ମଧ୍ୟ ଅଭିଯୋଗ ହେଉଛି। ରାଟେଲ୍ ଭଳି ସମ୍ବେଦନଶୀଳ ପ୍ରାଣୀଙ୍କ ଯତ୍ନରେ ମଧ୍ୟ ଅବହେଳା ହେଉଥିବା ଚର୍ଚ୍ଚା ହେଉଛି।
ଗତ କିଛି ଦିନ ମଧ୍ୟରେ କୁମ୍ଭୀର ଛୁଆ, ଲଭ୍ ବାର୍ଡ ମୃତ୍ୟୁ ପରେ ଏବେ ୩ ଦିନରେ ୪ ଟି ମୃତ୍ୟୁ ଘଟଣା ପ୍ରଶାସନିକ ବିଫଳତାକୁ ହିଁ ଦର୍ଶାଉଛି ବୋଲି ପଶୁପ୍ରେମୀ ମହଲରେ ମତ ପ୍ରକାଶ ପାଇଛି।
ସବୁଠାରୁ ବଡ଼ ପ୍ରଶ୍ନ – ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ ହେଉନି କାହିଁକି? ମୃତ୍ୟୁ ପରେ କେବଳ “ତଦନ୍ତ ଚାଲିଛି” କହି ଦାୟିତ୍ୱ ଏଡ଼ାଇ ଦିଆଯାଉଛି କି? ଆଉ କେତେ ଜୀବନ ଗଲେ ବ୍ୟବସ୍ଥା ଜାଗିବ? ସ୍ୱାଧୀନ ତଦନ୍ତ ହେବ କି? ସାଧାରଣରେ ମତ ପ୍ରକାଶ ପାଇଛି।ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ପାଇବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମିଳିପାରିନାହିଁ।

- Advertisement -

Leave A Reply

Your email address will not be published.