ଆଜି ରାତିର ଗପ-ନୂଆ ଜୁଆଇଁ

0
141

ନୂଆ ଜୁଆଇଁ-ବିବାହ ପରେ ଗଗନ ତିନିମାସ ମଧ୍ୟରେ ବାରମ୍ବାର ଶ୍ୱଶୁର ଘରକୁ ଯିବା ଆସିବା କରୁଥାଏ । କାରଣ ସେ ତ ତା’ ପିଲାଟିଦିନରୁ ଟିକିଏ ପେଟୁ ଓ ଭଲମନ୍ଦ ଖାଇବାକୁ ସେ ଭାରି ଭଲ ପାଏ । ଶାଶୁ ତ ଭଲ ରାନ୍ଧି ପାରନ୍ତି । ସେଇ ଲାଳସାରେ ମାସକୁ ସେ ଅନ୍ତତଃ ତିନି ଚାରିଥର କୌଣସି ନା କୌଣସି ଉତ୍ସବର ବାହାନା କରି ଶ୍ୱଶୁର ଘରକୁ ଖାସେ ଧାଉଁଥାଏ । ସାଙ୍ଗରେ ତ ତା’ ସ୍ତ୍ରୀ କୁସୁମ ନିଶ୍ଚୟ ଆସିଥାଏ । ତେଣୁ ତା’ର ଯାହା ଯାହା ସବୁ ଦରକାର ଶାଶୁଙ୍କୁ ସ୍ତ୍ରୀଦ୍ୱାରା ସେ କହେ । ଶାଶୁ ବିଚାରୀ ବି ନୂଆ ଜୁଆଇଁ ବୋଲି ସବୁ କିଛି ତିଆରି କରି ତାକୁ ଖୁଆନ୍ତି । ଜୁଆଇଁ ପେଟଭରି ଖାଏ ଓ ଶାଶୁଙ୍କ ରାନ୍ଧଣାର ଭୂରିଭୂରି ପ୍ରଶଂସା କରେ । ଏଣେ ଶାଶୁ ମଧ୍ୟ ପ୍ରଶଂସା ଶୁଣି ଅତି ଉତ୍ସାହିତ ହୋଇ ଆହୁରି ରାନ୍ଧନ୍ତି ।

ଦିନେ କଥା ହେଉ ହେଉ କୁସୁମ ତା’ ମା’ ଗୌରୀଙ୍କୁ କହିଲା, ମା, ତମେ ଏତେ ଜିନିଷ ତୁମ ଜୁଆଇଁଙ୍କୁ ଖୁଆଉଛ, କିନ୍ତୁ ତାଙ୍କର ରସଗୋଲା ଖାଇବାରେ ବହୁତ ସଉକ । ତାଙ୍କ ଜେଜେମା ମରିବା ପଜ୍ୟନ୍ତ ପ୍ରତିଦିନ ତାଙ୍କୁ ରସଗୋଲା ତିଆରି କରି ଦେଉଥିଲେ । ସେ ରସଗୋଲା ନ ଖାଇଲେ କୁଆଡେ ଶୋଇବାକୁ ଯା’ନ୍ତିନାହିଁ; ତାଙ୍କ ଜେଜେମା ମରିବା ପରଠାରୁ କିଣାହୋଇ ରସଗୋଲା ଘରେ ରଖା ହୋଇଥାଏ ତେଣୁ ତମେ କେଉଁଠାରୁ ହେଲେବି ରସଗୋଲା ମଗାଇବାର ବନ୍ଦୋବସ୍ତ କର ।
ଗୌରୀ କହିଲେ ଆଲୋ ଝିଅ, ତୁ ତ ଭଲଭାବେ ଜାଣୁ ଯେ ମୁଁ ରସଗୋଲା କରି ଜାଣେ ନାହିଁ । ଜିନିଷସବୁ ସୁଭଦ୍ରା ପାଖକୁ ପଠାଇଦେଲେ ସେ ରସଗୋଲା ତିଆରି କରି ଠିକ୍ ସଂଧ୍ୟାବେଳକୁ ପଠାଇଦେବ ।

ଠିକ୍ ସେହିପରି କରାଗଲା । ବଡବଡ ରସଗୋଲା ହାଣ୍ଡିଏ ତିଆରି ହୋଇ ଆସିଲା । ଏସବୁ ଦେଖି ଜୁଆଇଁ ଆଉ ତାଙ୍କର ଆସ୍ଥାନରୁ ନ ଉଠନ୍ତି । ଶ୍ୱଶୁର ଘରେ ଯାହା ଖାଦ୍ୟ ମିଳୁଛି ତାକୁ ଛାଡି ଯିବା ବହୁତ କଷ୍ଟ । ଶାଶୁ ଏଣେ ହଇରାଣ ହୋଇଗଲେଣି । ଯାହା ହେଉ ସେଥର ସେ କୌଣସିମତେ ଦୁଇ ଦିନ ପରେ ଘରକୁ ଫେରିଗଲେ ।ଏହି ଘଟଣାର ଠିକ୍ ତିନି ଦିନ ପରେ କୁସୁମକୁ ତା ସ୍ୱାମୀ ଗଗନ କହିଲା କାଲି ପରା କୁମାର ପୂର୍ଣ୍ଣିମା, ଆମେ ତୁମ ଘରକୁ ଯିବା ନାହିଁକି? ସେଇଠି କୁମାର ପୂର୍ଣ୍ଣିମା ପାଳନ ହେବ । କାରଣ ବାହାଘରର ପ୍ରଥମବର୍ଷ ତ ବିବାହିତା ଝିଅ ନିଜ ବାପଘରେ କୁମାର ପୂର୍ଣ୍ଣିମା ଶେଷଥର ପାଇଁ ପାଳନ କରେ । ତାହା ତ ନିଶ୍ଚୟ ଆଡମ୍ବର ସହକାରେ ହେବ । ହେଲେ ତମେ ତ କ’ଣ ସେଠାକୁ ଯିବାର ନାମ ସୁଧା ବି ଧରୁନାହଁ?
ସ୍ୱାମୀଙ୍କ ମୁହଁରୁ ଏଭଳି କଥା ଶୁଣି କୁସୁମ କହିଲା, ଦେଖ ଏବେ ତ ମୁଁ ସେଠାରେ ଦଶହରା ସାରି ଆସିଛି; ପୁଣି ଦୁଇତିନିଦିନ ମଧ୍ୟରେ ସେଠାକୁ ଗଲେ ଲୋକେ ଆମକୁ କ’ଣ କହିବେ? ଏଇଟା ନିହାତି ଅସୁନ୍ଦର କଥା ହେବ । ପରେ ପୁଣି କେବେ ଆମେ ସେଠାକୁ ଯିବା ।
ବୁଝିଲ କୁସୁମ, ତୁମ ଗାଁର ସୁଭଦ୍ରା ହାତର ଯେଉଁ ରସଗୋଲା ତୁମ ମା’ ମୋତେ ଖୁଆଇଲେ, ତାହା ଭୁଲିବା ମୋ ପକ୍ଷେ ଅତ୍ୟନ୍ତ କଷ୍ଟସାଧ୍ୟ । ତୁମେ ଚାଲ ଏଥରକ ମନଭରି ମୁଁ ତାହା ଖାଇବି, ତା’ପରେ ଯାଇ ଦେଖିବା କ’ଣ ହେଉଛି । ଏହାପରେ ସେ ଦୁହେଁଯାକ ପୁଣି ଗଲେ । ସେମାନଙ୍କୁ ଦେଖି ଶାଶୁ ତାଙ୍କ ମୁଣ୍ଡରେ ହାତ ଦେଇ ବସିଲେ । ସେ ଏବେ ମହା ଅଡୁଆରେ ପଡିଲେ । ସାରା ଜୀବନ ଯଦି ଏମିତି କରେ ତେବେ କ’ଣ ହେବ? ଯାହାହେଉ ଚୁପ୍ଚାପ୍ ହୋଇ ସେ ରହିଲେ । ଗଗନ କିନ୍ତୁ ତା’ର ଶ୍ୱଶୁର ଘରେ ପହଁଚିବା ମାତ୍ରେ ରସଗୋଲାର ପ୍ରଶଂସା କରି ଶାଶୁଙ୍କୁ କହିଦେଲେ ଯେପରି ସେହି ରସଗୋଲା ଅଣାଇବାର ବ୍ୟବସ୍ଥା କରାଯାଏ ।ଏବେ ଶାଶୁ ବିଚାରୀ କ’ଣ ବା କରେ? ପ୍ରଥମେ ଜୁଆଇଁଠାରୁ ନିଜ ହାତ ରନ୍ଧାର ପ୍ରଶଂସା ଶୁଣି ଉତ୍ସାହିତ ହୋଇ ସେ ତାଙ୍କୁ ଖୁଆଉଥିଲେ । ମାତ୍ର ଏବେ ତ ତାଙ୍କ ଅବସ୍ଥା ପୁରାପୁରି ଅସମ୍ଭାଳ । ଦ୍ୱିପ୍ରହରରେ କୁସୁମର ବାପା ଫେରି ଆସି ଦେଖିଲେ ତାଙ୍କ ସ୍ତ୍ରୀଙ୍କର ଏଇ ପରିସ୍ଥିତି । ସ୍ତ୍ରୀ କହିଲେ, “ଚାକର ରଙ୍ଗାକୁ ରସଗୋଲା ତିଆରି କରିବାର ସମସ୍ତ ଜିନିଷ ଦେଇ ତାକୁ ସୁଭଦ୍ରାଙ୍କ ପାଖକୁ ପଠାଅ । ଯଦ୍ୱାରା ସୁଭଦ୍ରା ରସଗୋଲା କରି ପଠାଇ ଦେବ । ସେଥିରେ ଆଉ ଅସୁବିଧା କ’ଣ?
ଗୋରାଚାନ୍ଦ ବାବୁ କହିଲେ ଆରେ ତମେ ଏକଥା ମୋତେ ଆଗରୁ କହିଲ ନାହିଁ । ସେ ରଙ୍ଗା ତ ଆଜି ଅଧାଦିନ କାମ କରି ଛୁଟି ନେଇ ଘରକୁ ଗଲା । ସେ ପରା କ’ଣ ତା’ସ୍ତ୍ରୀକୁ ନେଇ ରାମଲୀଳା ଦେଖିଯିବ ବୋଲି କହିଲା ।ଗୌରୀ କହିଲେ “ତେବେ ସେ ରଙ୍ଗାକୁ ଏବେ ଡାକି ପଠାଅ । ତା’ର ରାମଲୀଳା ଦେଖା ଆଜିପାଇଁ ସେତିକି ଥାଉ ।ଗୋରାଚାନ୍ଦ କାହା ହାତରେ ରଙ୍ଗା ପାଖକୁ ଏହି ଖବର ପଠାଇଲେ । ବିଚାରୀ ରଙ୍ଗାର ସ୍ତ୍ରୀ ଭଲ ଶାଢୀ ପିନ୍ଧି ଫୁଲ ଖୋସି ନାଚ ଦେଖି ବାହାରିଥିଲା । କିନ୍ତୁ ଏଭଳି କଥା ଶୁଣି ଦୁଃଖରେ ସେ ସିଧା ଶୋଇ ପଡିଲା । ରଙ୍ଗା ତାକୁ ସାନ୍ତ୍ୱନା ଦେବାକୁ ଯାଇ କହିଲା, ମାଲିକଙ୍କ କଥା ତ ମୁଁ କଦାପି ବି ଟାଳି ପାରିବି ନାହିଁ । ଆଜିକ ନାଚ ଦେଖା ଥାଉ ଆମେ ପୁଣି କାଲିକି ଯିବା ।ତା’ପରେ ରଙ୍ଗା ଯାଇ ଗୌରୀଙ୍କଠାରୁ ସମସ୍ତ ଜିନିଷପତ୍ର ଧରି ସୁଭଦ୍ରା ଘରକୁ ଗଲା । ସେଦିନ ସୁଭଦ୍ରା ଘରେ ଲୋକ ଭିଡ । ତା’ ବଡଭଉଣୀ ଛୁଆପିଲା ଧରି ତା’ପାଖକୁ ଆସିଛି । ତେଣୁ ସେ କହିଲା, ସବୁବେଳେ ତ ସେ ଖାଲି ଜିନିଷ ପଠାଇ ଦେଉଛନ୍ତି, ହେଲେ କେବେ କିଛି ପଇସା ମଧ୍ୟ ଦେଉନାହାଁନ୍ତି । ଆଜି ପୁଣି ମୋ ଘରେ ବନ୍ଧୁବାନ୍ଧବଙ୍କ ଲମ୍ବା ଲାଇନ୍ ଲାଗିଛି । ଏଣୁ ଆଜି ରସଗୋଲା କରିବା ତ ଏକାନ୍ତ ଅସମ୍ଭବ ।ସୁଭଦ୍ରାଙ୍କ ଏଭଳି କଥାରେ ରଙ୍ଗା କହିଲା, ତମେ ତ ମୋତେ ଏବେ ମହା ଅଡୁଆରେ ପକାଇଲ । ଆଚ୍ଛା, ଏଥିଲାଗି ମୁଁ ଗୋଟାଏ ଉପାୟ ଭାବିଛି, ଆମେ ଏମିତି କିଛି କରିବା ଯେ ଯେପରିକି ଜୁଆଇଁଙ୍କ ରସଗୋଲା ଖାଇବା ଏକବେଳକେ ବନ୍ଦ କରିଦେବା । ଏତିକି କହି ସେ ତାକୁ କ’ଣ କିଛି ନିମ୍ନ ସ୍ୱରରେ କହିଲା । ରଙ୍ଗାର ପ୍ରସ୍ତାବରେ ରାଜି ହୋଇ ସୁଭଦ୍ରା କହିଲା ହଁ ଆମେ ଠିକ୍ ସେଇଆ କରିବା । ଯୋଗକୁ ଆମ ଘରେ ବି ଗଲା ଦୁଇଦିନର ପୁରୁଣା ରସଗୋଲା କିଛି ଅଛି ତହିଁରେ ଲକ୍ଷଲକ୍ଷ ପିମ୍ପୁଡି ଲାଗିଛି । ମୁଁ ସେଇଟି ଆଜି ବାହାରେ ରଖିବି । ଭଲ ରସଗୋଲା ମଧ୍ୟ ଚାରିପାଂଚଟି ଅଛି । ଜୁଆଇଁ ଥରେ ପିମ୍ପୁଡିମାନଙ୍କ କାମୁଡା ପାଇଲେ ଆଉ କେବେବି ରସଗୋଲା ଖାଇବାକୁ ମନ କରିବେ ନାହିଁ । ରସଗୋଲା ପାଇଁ ଏତେ ପାଗଳ ହେବା ଲୋକ ମୁଁ କ୍ୱଚିତ୍ କାଭାଁ କୋଉଠି କେମିତି ଦେଖିଛି । ତୁ ତାଙ୍କୁ ଫୁସୁଲେଇ ଏଠାକୁ ନେଇ ଆସ ଏଠାରେ ତାଙ୍କୁ ଥରେ ହଇରାଣରେ ପକାଇଲେ ସେ ରସଗୋଲା ଖାଇବାର ମଜା ଠିକ୍ ବୁଝିବେ ।ରଙ୍ଗା ଫେରିଯାଇ ଜୁଆଇଁ ବାବୁଙ୍କୁ କହିଲା, “ବାବୁ, ଆଜି ରସଗୋଲା ଖାଇବା କଥା ଆପଣ ପୁରାପୁରି ଭୁଲିଯା’ନ୍ତୁ । ସୁଭଦ୍ରା ଘରେ ଆଜି ଲୋକ ଭିଡ । ଏଣୁ ରସଗୋଲା ତିଆରି କରିବାକୁ ସେ ନାହିଁ କଲା । କିନ୍ତୁ ନିଜ ଭଉଣୀ ଓ ଝିଆରୀ ପୁତୁରାଙ୍କ ପାଇଁ ସେ ଯେଉଁ ରସଗୋଲା କରିଛି ନା, ସେମିତି ରସଗୋଲା ଆପଣ ଆପଣଙ୍କ ଜୀବନରେ କେବେବି ଖାଇ ନଥିବେ! ଚାଲନ୍ତୁ, ଏଥର ଆମେ ଗୋଟାଏ କାମ କରିବା । ଆପଣ ନିଜେ ମୋ ସହିତ ଆସନ୍ତୁ । ଶାଶୁ ଟଙ୍କା ପଠାଇଛନ୍ତି ରସଗୋଲା କରିବାର ପାରିଶ୍ରମିକ ବୋଲି କହି ସେହି ବାହାନାରେ ଯିବେ । ମୁଁ କହିଦେବି ଆପଣ ତାଙ୍କ ଘରୁ ରସଗୋଲା ନେଇ ଆସିବେ ।
ଏହି କଥାଟା ସେ ଗଗନର ମନକୁ ବେଶ୍ ପାଇଲା । ତା’ପରେ ସେ ରଙ୍ଗା ସହିତ ଗଲା । ସେଠାରେ ଗଗନ ସୁଭଦ୍ରାକୁ ପଚିଶ ଟଙ୍କା ଦେଇ ଶାଶୁ ପାରିଶ୍ରମିକ ଦେଇଛନ୍ତି ବୋଲି କହିଲା । ରଙ୍ଗାକୁ ସୁଭଦ୍ରା କହିଲା, ପାଂଚଦିନ ହେଲା ମୋ ସ୍ୱାମୀ କୁଆଡେ ରାଗି ଚାଲିଗଲେ ଯେ ଏବେ ସୁଦ୍ଧା ସେ ମୋଟେ ଫେରି ନାହାଁନ୍ତି । ସେଥିପାଇଁ ମୋ ମନ ତ ଭାରି କଷ୍ଟ । ଆଉ ରସଗୋଲା କରିବି କ’ଣ? ଆଗରୁ ତିଆରି ହୋଇଥିବା ରସଗୋଲା ଯାହା କିଛି ଅଛି । ଏବେ ଆଉ ତିଆରି କରିବାକୁ ମୋର ଆନ୍ତରିକ ଇଚ୍ଛା ନାହିଁ ।ରଙ୍ଗା କହିଲା “ଆରେ ମୋ ସ୍ତ୍ରୀର ଭାଇ ସଙ୍ଗେ ତ ତାଙ୍କର ସହରରେ ଦେଖା ହୋଇଥିଲା । ସେ ଭଲ ଅଛନ୍ତି, ଏବେ ସେ ଫେରିବେ କ’ଣ ସବୁବେଳେ ସେ ଏମିତି ରାଗିଥିବେ ନା କ’ଣ?” ସ୍ୱାମୀ କଥା କହିବାକୁ ରଙ୍ଗା ସୁଭଦ୍ରାକୁ ଅନ୍ୟଘରକୁ ଡାକି ନେଲା ଓ ଗଗନକୁ କିଛି ଠାରି ଦେଲା । ଗଗନ ଦେଖିଲା ସେ ବଡ ହାଣ୍ଡିରେ କିଛି ରଖା ହୋଇଛି । ସେ ରଙ୍ଗାର ଏପ୍ରକାର ସୂଚନା ଦେଖି ଉକ୍ତ ହାଣ୍ଡିରେ ହାତ ପୁରାଇ ଦେଖିଲା ସେଥିରେ କିଛି ଗୋଲ୍ ଜିନିଷ ଅଛି । ତରବରରେ ସେ ତାକୁ ଆଣି ଚାଖିଲା ଯେ ତା’ ସାରାମୁହଁ ଦେହ ପିମ୍ପୁଡିରେ ଭରା ହୋଇଗଲା । ସେମାନେ ଗଗନକୁ ରାଟୁମାଟୁ କରି କାମୁଡି କାମୁଡି ଲାଲ୍ ଦେଲେ । ଫଳରେ ତା’ ମୁହଁ ହାତ ଜଳୁଛି । ଏଣୁ ଗଗନ ଭୀଷଣ ଯନ୍ତ୍ରଣାରେ ଛଟପଟ ହେଲା । ରଙ୍ଗା ଓ ସୁଭଦ୍ରା ଫେରି ଆସିଲେ । ସୁଭଦ୍ରା କହିଲା, “ବାବୁ ଆପଣ ସେହି ହାଣ୍ଡିରେ ହାତ ପୁରାଇଲେ କି? ସେଥିରେ ତ ପୁରୁଣା ମିଠା ଥିଲା ପିମ୍ପୁଡି ମଧ୍ୟ ସେଥିରେ ଲାଗି ଯାଇଥିଲେ । ବଡ କଷ୍ଟ ପାଇଲେ । ମୋ ଆସିବା ସୁଧା ଆପଣ ଟିକେ ଅପେକ୍ଷା କରିପାରିଲେ ନାହିଁ । ଏବେ ନିଅନ୍ତୁ ଏହି ଭଲ ରସଗୋଲା । ଏତିକି କହି ସୁଭଦ୍ରା ହସିହସି ରୋଷେଇ ଘରୁ ଦୁଇଟି ଭଲ ରସଗୋଲା ଆଣି ଗଗନକୁ ଦେଲା ।
ଗଗନ ଆଉ ରସଗୋଲା ଖାଇବ କ’ଣ? ତା’ର ତ ମୁହଁ ହାତ ସବୁ ଜଳୁଛି । “ଆଜିକ ଥାଉ ପୁଣି ପରେ କେବେ ମୁଁ ଖାଇବି ।” ଗଗନ ଏତିକି କହି ସେଠାରୁ ପଳାଇ ଆସିଲା । ତାଙ୍କ ପଛରେ ରଙ୍ଗା ଦୌଡିଛି । ଗଗନ କହିଲା, ରଙ୍ଗା, ମୁଁ ପେଟବିକଳିଆ ହୋଇ ରସଗୋଲା ହାଣ୍ଡିରେ ହାତପୁରାଇ ପିମ୍ପୁଡି ମାନଙ୍କ ଦ୍ୱାରା ଆଜି ଯେପରି ନିର‌୍ୟ୍ୟାତିତ ହୋଇଛି, ସେକଥା ତୁ ଆଉ କାହାରି ଆଗରେ କହିବୁ ନାହିଁଟି । ଯେତେ ଯାହା ହେଲେବି ମୁଁ ଏଇ ଗ୍ରାମରେ ନୂଆ ଜୁଆଇଁ ନା, ତୁ ସେପରି କଲେ ମୋ ଇଜ୍ଜତ ଚାଲିଯିବ । ବରଂ ତୁ ଏହି କଥାଟା ଗୁପ୍ତ ରଖିବା ଲାଗି ପଚିଶ ଟଙ୍କା ନେ । ସୁଭଦ୍ରାକୁ ମଧ୍ୟ ତୁ ସେହିକଥା କହିଦେବୁ । ତୁ ଆଉ ଦଶଟଙ୍କା ହେଇଟି ନେ ତାକୁ ମଧ୍ୟ ଦେଇ ଦେବୁ, କଥା କଥାରେ ଯେପରି ସେ ଭୁଲ୍ରେ ବି ଆଉ କାହା ଆଗରେ ଏସବୁ ନ କହେ । କ’ଣ ବୁଝିଲୁଟି? ପରେ ଯେବେ ମୁଁ ଏହି ଗାଁକୁ ପୁଣି ଆସିବି ସେତେବେଳେ ସୁଭଦ୍ରାକୁ ଟଙ୍କା ଦେଇ ମୁଁ ରସଗୋଲା କିଣି ନେବି, କିନ୍ତୁ ଏପରି ଅପଦସ୍ତ କେବେବି ହେବିନାହିଁ ।ରଙ୍ଗା କହିଲା, “ଆଜ୍ଞା ଏକଥା କ’ଣ ଆଉ କହିବାକୁ ଅଛି? ମୁଁ ମାଲିକର ଦାନା ଖାଉଛି କଥାଟା କେମିତି କାହାକୁ କହିଦେବି । ଏଥିରେ ଖାଲି ମୋ ମାଲିକର ନାମ ବୁଡିବ ନା? ଯାହା ହୋଇଗଲା ଗଲା । ଆପଣ ବି ଏସବୁ ଘଟଣାକୁ ଭୁଲିଯିବେ । ଆମେ ବି ଭୁଲିଯିବୁ ।ଏତିକି କହି ରଙ୍ଗା ଗଗନଠାରୁ ପଚିଶଟଙ୍କା ଧରି ନିଜ ଘରକୁ ଗଲା; ଭାବିଲା – ଏତିକି ଦେଇ ଆଜି ପାଇଁ ସ୍ତ୍ରୀର ରାଗ ଥଣ୍ଡା କରିବାକୁ ମୁଁ ଚେଷ୍ଟା କରିବି ।

LEAVE A REPLY

Please enter your comment!
Please enter your name here