କଟକ,୧୪।୮(ଏସଏସନିଉଜ)ଏନଡିଆରଏଫ ପକ୍ଷରୁ ବନ୍ୟା ଉଦ୍ଧାର କାର୍ଯ୍ୟ ପାଇଁ ଶୁକ୍ରବାର ବଢ଼ି ଭୋର ସମୟରେ ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ ଚାରୋଟି ଉଦ୍ଧାରକାରୀ ଦଳ ଯାଇଛନ୍ତି।ଏସଆରସିଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ ଜାରି ରହିଥିବା ବନ୍ୟା ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ମୁଣ୍ଡଳୀସ୍ଥିତ ୦୩ ବାଟାଲିୟନରୁ ଏନଡିଆରଏଫର ପ୍ରାୟ ୨୫୦ ଜଣ ଉଦ୍ଧାର କର୍ମୀଙ୍କୁ ନେଇ ଗଠିତ ମୋଟ ୭ଟି ଟିମ୍କୁ ବନ୍ୟା ପ୍ରଭାବିତ ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାକୁ ଯାଇ ସେଠାରେ ନିୟୋଜିତ ହୋଇଛନ୍ତି।
ଏନଡିଆରଏଫ ର ସେକେଣ୍ଡ- ଇନ୍- କମାଣ୍ଡାଟ ଏସ୍. କେ. ପାସୱାନ ଓ
ଅନ୍ୟ ଗେଜେଟେଡ୍ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଦଳ ଚ୍ୟାଲେଞ୍ଜପୂର୍ଣ୍ଣ ବନ୍ୟା ଏବଂ ବିପର୍ଯ୍ୟୟ ପରିସ୍ଥିତିରେ ଉଦ୍ଧାର ତଥା ସହାୟତା କାର୍ଯ୍ୟ କରିବେ।ଟିମ ପାଖରେ ମେଡିକାଲ ଫାଷ୍ଟ ରେସପଣ୍ଡ କିଟ୍, ବନ୍ୟା ଜଳ ଉଦ୍ଧାର ଉପକରଣ, ଭୁଶୁଡ଼ି ପଡ଼ିଥିବା କୋଠାବାଡ଼ି ଖୋଜାଖୋଜି ଓ ଉଦ୍ଧାର ଉପକରଣ ଏବଂ ବିଭିନ୍ନ ପ୍ରକାରର ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆବଶ୍ୟକ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରହିଅଛି।ନିୟୋଜିତ ହୋଇଥିବା ଉଦ୍ଧାର କାରୀମାନେ ବନ୍ୟା ଜନିତ ଜରୁରୀକାଳୀନ ପରିସ୍ଥିତି, ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଚିକିତ୍ସା ସେବା ଯୋଗାଇବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉଦ୍ଧାର ଆବଶ୍ୟକତା ସମେତ ଯେକୌଣସି ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ନେଇଛନ୍ତି।
ନିୟୋଜିତ ଦଳଗୁଡ଼ିକୁ କାର୍ଯ୍ୟ କରିବା ବେଳେ ସୁରକ୍ଷା ନିୟମାବଳୀ, ସ୍ଥାନୀୟ ପ୍ରଶାସନିକ ନିୟମକୁ ପାଳନ କରିବେ।
ଏଥିସହ ଉଦ୍ଧାର କାର୍ଯ୍ୟ ସମୟରେ ଉଭୟ ଉଦ୍ଧାରକାରୀ ଏବଂ ପ୍ରଭାବିତ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେବେ। ସରକାର ତଥା ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଯେକୌଣସି ଆକସ୍ମିକ ବନ୍ୟା ପରିସ୍ଥିତିର ତୁରନ୍ତ ମୁକାବିଲା କରିବା ସହ ପ୍ରଭାବିତ ଲୋକଙ୍କୁ ସଠିକ୍ ସମୟରେ ସହାୟତା ଯୋଗାଇଦେବା ପାଇଁ ଯବାନମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଏନଡିଆରଏଫର କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ସୂଚନା ଦେଇଛନ୍ତି।