ଆଦିବାସୀ ନେତାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର

ଗଞ୍ଜାମ ,୨୧/୮(ଏସଏସନିଉଜ)ଶନିବାର ସକାଳେ ପଳାସପୁର ଗ୍ରାମନିକଟସ୍ଥ ବାଘଲଟି କେନାଲ୍‌ରୁଆଦିବାସୀ ନେତା ବୃନ୍ଦାବନ ଜାନିଙ୍କ ଖଣ୍ଡବିଖଣ୍ଡିତ ଶବକୁ ଉଦ୍ଧାର କରିଛି ପୋଲିସ । ବୃନ୍ଦାବନ ଜାନିଙ୍କ ଘର ହେଉଛି ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଅଧୀନ ପଳାସପୁର ଗ୍ରାମରେ ।ଶନିବାର ସକାଳେ ମଇଁଷି ଜଗୁଆଳି ଗୋଟିଏ ମୁଣ୍ଡବିହୀନ ଶବ ଦେଖିବାପରେ ଏହି ଖବର ଗାଁରେ ପ୍ରଚାରିତ ହୋଇଥିଲା ।ଖବରପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ଧରି ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଶବଠୁ କିଛି ଦୂର ହୁଡ଼ାରେ ବୃନ୍ଦାବନଙ୍କ କଟାମୁଣ୍ଡ ମିଳିଥିଲା। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ କାଟି ହତ୍ୟା କରିବା ପରେ ଶବକୁ ଫୋପାଡ଼ି ଦେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ଅନୁମାନ କରୁଛି। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।ତେବେ ସ୍ଥାନୀୟ ଲୋକମାନଙ୍କ ସମର୍ଥନରେ ବୃନ୍ଦାବନ ବେଆଇନ ମଦ କାରବାରକୁ ବିରୋଧ କରିଆସୁଥିଲେ। ଗତ ୧୭ ତାରିଖ ରାତିରୁ ବୃନ୍ଦାବନ ଚଣାବାଡ଼ ଦେଖିବାକୁ ଯାଉଥିବା କହି ଘରୁ ବାହାରିଥିଲେ,ଆଉ ଫେରିନଥିଲେ ।ପରିବାରଲୋକ ବହୁଖୋଜାଖୋଜି କରି ନିରାଶ ହେବାରୁ ଥାନାରେ ଅଭିଯୋଗ କରିଥିଲେ ।

Comments (0)
Add Comment