ଓରାଙ୍ଗଓଟାନର ଡାଏଟ୍‌ରେ ସଲିଡ୍ ଫୁଡ୍

ସ୍ୱାସ୍ଥ୍ୟ ଯାଞ୍ଚ କରି ଫେରିଲେ ଟେକ୍ନିକାଲ ଟିମ

ଭୁବନେଶ୍ୱର,୨୦।୯(ଏସଏସନିଉଜ) ବାଲେଶ୍ଵରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା୫ ଓରାଙ୍ଗଓଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶେଷ କରି ଟେକ୍ନିକାଲ ଟିମ୍ ରବିବାର ଫେରିଛନ୍ତି ।ବୈଷୟିକ କମିଟି ସଦସ୍ୟ ତଥା ଦିଲ୍ଲୀ ଚିଡିଆଖାନାର ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଭିଜିତ ଭାୱାଲ ଏବଂ ଡେରାଡୁନ ସ୍ଥିତ ଡବ୍ଲୁଆଇଆଇ ର ବନ୍ୟପ୍ରାଣୀ ଚିକିତ୍ସକ ସନଥ କୃଷ୍ଣ ମୁଲିଆ ଦୁଇଦିନିଆ ଗ୍ରସ୍ତରେ ଆସି ଶାବକମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ, ଚିକିତ୍ସା ଓ ଯତ୍ନ ବ୍ୟବସ୍ଥା ଉପରେ ବିଧିବଦ୍ଧ ଭାବେ ଯାଞ୍ଚ କରିଥିଲେ । ପରବର୍ତ୍ତୀ ସମୟ ରେ ଆବଶ୍ୟକତାକୁ ଦେଖି ଭିଡିଓ କନଫରେନ୍ସିଂ ଜରିଆରେ ବିଶେଷଜ୍ଞମାନେ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବେ।ତେବେ ଏହି ଟିମ୍ ଛୁଆ ମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଶେଷ କରି ଫେରିବା ବେଳେ ଧୀରେ ଧୀରେ ଖାଦ୍ୟର ପରିମାଣ ବଢ଼ାଇବା ସହ ଡାଏଟ୍‌ରେ ସଲିଡ୍ ଫୁଡ୍ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି । କୃମି ସଂକ୍ରମଣ ନିୟନ୍ତ୍ରଣ ପାଇଁ ଆଇଭରମେକ୍ଟିନ୍ କିମ୍ବା ଡୋରାମେକ୍ଟିନ୍ ବ୍ୟବହାର ନେଇ ମଧ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ସିଭିୟର ଆନିମିଆରେ ଆକ୍ରାନ୍ତ ଥିବା ଜଣେ ଓ ସାମାନ୍ୟ ଆନିମିଆରେ ଆକ୍ରାନ୍ତ ଥିବା ୨ ଜଣ ଛୁଆଙ୍କୁ ଆଇରନ୍ ସପ୍ଲିମେଣ୍ଟେସନ୍ ଦେବାକୁ ପରାମର୍ଶ ଦେଇଛନ୍ତି।ଶାବକଙ୍କ ଖପୁରୀ, ଛାତି ଓ ମୁଣ୍ଡର ହୋଇଥିବା ଏକ୍ସ-ରେ ରିପୋର୍ଟ ଆଧାରରେ ମେଡିସିନ୍ ଓ ଫୁଡ୍ ଚାର୍ଟ ପ୍ରସ୍ତୁତ କରିଛନ୍ତି ।ସଲିଡ୍ ଫୁଡ୍ ଭାବେ କଦଳୀ ଓ ସେଓ ଭଳି ଫଳ ଦେବାକୁ କୁହାଯାଇଛି ।ଅନ୍ୟପଟେ ଜ୍ୱର ଓ ଥଣ୍ଡା କମିଥିବାରୁ ଛୁଆ ମାନେ ଭଲ ଭାବେ ଖାଦ୍ୟ ଗ୍ରହଣ କରୁଥିବାର ଆସିଥିବା ଟିମ୍ ଦେଖିବାକୁ ପାଇଛନ୍ତି।
ଆସିଥିବା ଟିମ୍ ଓରାଙ୍ଗଉଟାନ୍ ଶିଶୁମାନଙ୍କୁ ପରୀକ୍ଷା କରିଥିଲେ, ଖାଦ୍ୟ, ସ୍ୱାସ୍ଥ୍ୟସେବା ଏବଂ ପରିଚାଳନାଗତ ହସ୍ତକ୍ଷେପ ବିଷୟରେ ପରାମର୍ଶ ଦେଇଥିଲେ। ସେମାନେ ଧୀରେ ଧୀରେ ଖାଦ୍ୟ ପରିମାଣ ବୃଦ୍ଧି କରିବାକୁ ଏବଂ ଖାଦ୍ୟରେ କଠିନ ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି।ପୂର୍ବରୁ କ୍ଷୀର,ଗାଜର , ବିନ,ଫଳ ଆଦି ଖାଇବାକୁ ଚକଟିକି ଦିଆଯାଉଛି। ବର୍ତ୍ତମାନ ସେମାନଙ୍କୁ ଗୋଟାଳିଆ ଫଳ ଖାଇବାକୁ ଦିଆଯିବ। ସମସ୍ତ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସୁସ୍ଥ ରହିଛି ।ସମସ୍ତ ଛୁଆଙ୍କ ଓଜନ ପର୍ଯ୍ୟାୟ କ୍ରମେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଉପନିର୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।

Comments (0)
Add Comment