ଚନ୍ଦ୍ରଶେଖରପୁର,୨୫।୨(ଏସଏସନିଉଜ)ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବ୍ଲସମ୍ ଆଇ – ୨୦୨୬ ଭବ୍ୟ ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ପ୍ରଥମରେ ମହାବିଦ୍ୟାଳୟ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସର ଶିଳାନ୍ୟାସ କରିଥିଲେ। ପରେ ବାର୍ଷିକ ଉତ୍ସବର ସଭାକାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ମହାବିଦ୍ୟାଳୟର ଢାଞ୍ଚାଗତ ବିକାଶ କେବଳ ଶରୀର ଅଟେ, ଏହାର ବିଦ୍ୟାର୍ଥୀମାନଙ୍କ ସୃଜନଶୀଳତା, ଧ୍ୟେୟମଗ୍ନ ସଫଳତା ହେଉଛି ଆତ୍ମା। ଆତ୍ମା ବିନା ଶରୀର ଯେମିତି ସ୍ପନ୍ଦନହୀନ,ସେହିପରି ଶିକ୍ଷାନୁଷ୍ଠାନ କୃତୀ ଛାତ୍ରଛାତ୍ରୀ ବିନା କେବଳ ବସ୍ତୁଶୀଳ ସ୍ୱରୂପ ଅଟେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନବିଧାୟକ ପ୍ରିୟଦର୍ଶୀମିଶ୍ର, ବିଜେପି ରାଜ୍ୟଉପାଧ୍ୟକ୍ଷ ଗୋଲକପ୍ରସାଦମହାପାତ୍ର, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ରାଜ୍ୟସଭାପତି ଡଃ ଦେବେଶଶଙ୍କରହୋତା ଓ ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟାପରିଡ଼ା ଯୋଗ ଦେଇଥିଲେ। ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ମହାବିଦ୍ୟାଳୟର ବିଦ୍ୟାର୍ଥୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ମୁଖ୍ୟଅତିଥି ମଞ୍ଚରେ ସମ୍ମାନିତ କରିଥିଲେ। ଶେଷରେ ଅଧ୍ୟାପକ ଡଃ ପ୍ରବୀଣକୁମାରସାହୁ ଧନ୍ୟବାଦ ଦେଇଥିବାବେଳେ ଅଧ୍ୟାପିକା ଅମିତାରଥ ମଞ୍ଚ ସଞ୍ଚାଳନ କରିଥିଲେ।ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଶେଷ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।