ଆସିଲେ,ମାମୁକୁ ହାଣିଲେ…

ବନ୍ଧା ହେଲେ ଦୁଇ ଭଣଜା

ବାରଙ୍ଗ, ୨୬।୨ (ଏସଏସନିଉଜ) ବିବାହ ଉତ୍ସବରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ମାମୁଁଙ୍କୁ କଟୁରୀରେ ହାଣି ଦୁଇ ଭଣଜାଙ୍କୁ ଗୁରୁବାର ଦିନ ଗିରଫ କରି କୋର୍ଟଚାଲଣ କରିଛି ବାରଙ୍ଗ ଥାନାପୁଲିସ।
ପ୍ରକାଶ ଯେ, ନୟାଗଡ଼ ଭାପୁର ବ୍ଲକ ଅଞ୍ଚଳର ରାଧା ହାତୀ ନାମକ ଜଣେ ମହିଳା ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ନିକଟରେ ଘର କରି ରହୁଛନ୍ତି । ରାଧାଙ୍କ ପୁଅ ହାପିଙ୍କର ବୁଧବାର ଦିନ କଟକରେ ବାହାଘର ଥିଲା। ବିବାହ ଉତ୍ସବକୁ ତାଙ୍କର ଭଣଜା ନୟାଗଡ ଫତେଗଡ଼ ଥାନା ଅନ୍ତର୍ଗତ ପୋଡ଼ାସାହିର ନୀଳମଣି ରାଉତ(୪୫), କୁଳମଣି ରାଉତ (୪୩) ଆସିଥିଲେ। ସେହିପରି ରାଧା ହାତୀଙ୍କର ସମ୍ପର୍କୀୟ ଭାଇ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ସିଦ୍ଧମୂଳା ଗ୍ରାମର ମନୋରଞ୍ଜନ ଦାସ ଆସିଥିଲେ। ଉଭୟ ବରଯାତ୍ରୀ ହୋଇ କଟକ ଶିଖରପୁର ଅଞ୍ଚଳକୁ ଯାଇଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସମ୍ପର୍କୀୟଙ୍କ ମାନେ ବୁଝାସୁଝା କରିବା ପରେ ସେମାନେ ନରଣପୁର ଆସିଥିଲେ। ନରଣପୁରରେ ପହଞ୍ଚିବା ପରେ ପୁନର୍ବାର ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଦୁଇ ଭାଇ କୁଳମଣି ଓ ନୀଳମଣି ଉତ୍‌କ୍ଷିପ୍ତ ହୋଇ ଏକ କଟୁରିରେ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ମନୋରଞ୍ଜନଙ୍କ ଛାତିରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ଖବର ପାଇ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମନୋରଞ୍ଜନଙ୍କୁ କଟକ ମେଡିକାଲ ପଠାଇଥିଲା ।ଆକ୍ରମଣ କରିଥିବା ଦୁଇ ଭାଇଙ୍କୁ ପୁଲିସ ଥାନାରେ ଅଟକ ରଖି ଥିଲା। ଏସଂକ୍ରାନ୍ତରେ ମନୋରଞ୍ଜନଙ୍କ ପରିବାର ସଦସ୍ୟ ତ୍ରିନାଥ ଦାସ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ୯୯/୨୬କେସ ନମ୍ୱରରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହ ଦୁଇ ଭାଇଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

Comments (0)
Add Comment