ଆସିଲେ ପଇଡହଣା କଟୁରୀରେ ହାଣିଲେ

ପୂର୍ବ ଶତ୍ରୁତାକୁ ନେଇ ମରଣାତ୍ମକ ଆକ୍ରମଣ

ବାରଙ୍ଗ, ୨୫।୨(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନରଣପୁର ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ। ବାଇକରେ କଟୁରୀ ନେଇ ଆସିଲେ ଆଉ ହାଣି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ହାତରେ ଧରାପଡିଲେ।
ପ୍ରକାଶ ଯେ ବୁଧବାର ସନ୍ଧ୍ୟାରେ ନରଣପୁର ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଦୁଇଜଣ ଯୁବକ ପଇଡ଼ କଟା କଟୁରୀରେ ଗୋଡାଇ ଗୋଡାଇ ହାଣିଛନ୍ତି। ଯୁବକ ଜଣଙ୍କୁ ଗୁରୂତର ଅବସ୍ଥାରେ ଚିକିତ୍ସାପାଇଁ କଟକ ବଡ ଡାକ୍ତରଖାନାକୁ ପଠାଯାଇଛି। ଗୁରୁତର ଯୁବକ ଜଣକ ହେଲେ ନୟାଗଡ଼ ସିଧାମୂଳା ଅଂଚଳର ମନୋରଞ୍ଜନ ଦାସ(୩୦) । ତାଙ୍କୁ ଆକ୍ରମଣ କରିଥିବା ଦୁଇଭାଇ କୁଳ ଓ ନୀଳ ସେହି ପାଖ ଗ୍ରାମର ବୋଲି ସୂଚନା ମିଳିଛି। ନୟାଗଡ଼ ସିଧାମୂଳା ଗ୍ରାମରୁ ଏକ ବରଯାତ୍ରୀ ଶୋଭାଯାତ୍ରା ବାହାରି କଟକ ଶିଖରପୁର ଅଞ୍ଚଳକୁ ଆସିଥିଲା। ସେହି ଶୋଭାଯାତ୍ରାରେ ମନୋରଂଜନ ଓ ଆକ୍ରମଣକାରୀ ଦୁଇ ଭାଇ ମଧ୍ଯ ଆସିଥିଲେ। କୌଣସି କାରଣରୁ ମନୋରଞ୍ଜନ ସେଠାରୁ ବାରଙ୍ଗ ନରଣପୁରସ୍ଥିତ ନିଜ ସମ୍ପର୍କୀୟ ମାମୁଁ ଘରକୁ ଆସୁଥିଲେ। ତେବେ ପୂର୍ବ ଶତ୍ରୁତା ଥିବା କୁଳ ଓ ନୀଳ ଦୁଇଭାଇ ମନୋରଞ୍ଜନଙ୍କୁ ବାଇକରେ ପିଛାକରି ଆସିଥିଲେ। ମନୋରଞ୍ଜନ ନରଣପୁର ନିକଟସ୍ଥ ସଂପର୍କୀୟଙ୍କ ଘର ନିକଟରେ ପହଞ୍ଚିବା ମାତ୍ରେ ଦୁଇଭାଇ କୁଳ ଓ ନୀଳ ଏକ ପଇଡ଼ କଟା କଟୁରୀରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଯୁବକ ଜଣକ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ବେଳେ କଟୁରୀଟି ତାଙ୍କ ଛାତିରେ ବାଜି ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ଆକ୍ରମଣକାରି ଦୁଇ ଭାଇଙ୍କୁ କାବୁ କରି ବାରଙ୍ଗ ପୋଲିସ କୁ ଡାକି ଦେଇଥିଲେ।ପୋଲିସ ଦୁଇ ଭାଇଙ୍କୁ ଥାନାକୁ ଆଣି ଅଟକ ରଖିଛି। ଅନ୍ୟପଟେ ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନା ପଠାଇଛି। ପୁଲିସ ଦୁଇ ଭାଇଙ୍କର ଗୋଟିଏ ବାଇକ୍ ଓ ଏକ ସ୍କୁଟର ସମେତ କଟୁରୀ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments (0)
Add Comment