ଭୁବନେଶ୍ୱର,୧୫ ସେପ୍ଟେମ୍ବର(ଏସଏସନିଉଜ)ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡିଆଠାରେ ଏକାଦଶତମ ନିଯୁକ୍ତିମେଳା ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୯୮୨ ଜଣ, ଜଳ ସମ୍ପଦ ବିଭାଗରେ ୪୧୩ ଜଣ, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୩୪ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୩୬ ଜଣ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ୨୩ ଜଣ, ଅର୍ଥ ବିଭାଗରେ ୬୧ ଜଣ ଓ ଆଇନ୍ ବିଭାଗରେ ୩୭ ଜଣଙ୍କୁ ଏହିଭଳି ସମୁଦାୟ ୧୬୮୬ ଜଣଙ୍କୁ ବିଭିନ୍ନ ବର୍ଗରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ଦ୍ବିତୀୟ ବର୍ଷ ପ୍ରାରମ୍ଭର ଏହା ହେଉଛି ଦ୍ବିତୀୟ ନିଯୁକ୍ତି ମେଳା।
ମୁଖ୍ୟମନ୍ତ୍ରୀ ଉପସ୍ଥିତ ନବନିଯୁକ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କହିଥିଲେଯେ, ଆପଣମାନଙ୍କର କର୍ତ୍ତବ୍ୟ ହେଉଛି ସରକାରଙ୍କ ନୀତି ନିୟମର ମର୍ୟ୍ୟାଦାରେ ରହି ନିଜକାର୍ୟ୍ୟ ସମ୍ପାଦନକରିବା।ଦୁର୍ନୀତିରୁ ଉର୍ଦ୍ଧ୍ୱରେରହି ସମସ୍ତେ ଭଲକାମ କରନ୍ତୁ, ସୁନାମ ଅର୍ଜନକରନ୍ତୁ, ସଚ୍ଚୋଟତାକୁ ୱାର୍କ କଲ୍ଚରର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ। ଅସୀମିତ ଆତ୍ମସନ୍ତୋଷ ପାଇବେ। ସାଧାରଣ ଗରିବ ଜନତାଙ୍କ ଆଶୀର୍ବାଦ ହେବ ଆପଣଙ୍କ ପାଇଁ ସବୁଠାରୁ ବଡ ପୁଞ୍ଜି।
ସେ ପୁଣି କହିଥିଲେ, ସାଂପ୍ରତିକ ପରିସ୍ଥିତିରେ ଯୁବ ସମାଜ ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ରୋଜଗାର ବିଶେଷ ଭାବେ ନିଯୁକ୍ତି। ସେଥିପାଇଁ ମାତ୍ର ୧୫ ମାସ ମଧ୍ୟରେ ୧୧ଟି ନିଯୁକ୍ତି ମେଳା ଜରିଆରେ ସରକାରୀ କ୍ଷେତ୍ରରେ ଆମେ ଆଜିକୁ ମିଶାଇ ସମୁଦାୟ ୩୦,୦୩୨ ଟି ପଦବୀରେ ନିଯୁକ୍ତି ପ୍ରଦାନ କରିଛୁ। ସରକାର ଆସିବାର ପ୍ରଥମ ଦୁଇ ବର୍ଷରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବାର ଲକ୍ଷ୍ୟ ରହିଥିଲା। ଜୁନ୍ ୨୦୨୬ ଶେଷ ସୁଦ୍ଧା ଆହୁରି ୪୦ ହଜାର ସରକାରୀ ପଦବୀ ପୂରଣ ହେବ। ସରକାରୀ ପଦବୀ ପୂରଣ କରିବାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି, ମେରିଟ୍ ବେସିସ୍ରେ ଚୟନ କରାଯାଉଛି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରାଜ୍ୟରେ ଯୁବ ବର୍ଗଙ୍କ ପାଇଁ ପର୍ୟ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ୧୫ ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୧,୦୭,୯୨୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ମୁଖ୍ୟମନ୍ତ୍ରୀ ୩୦ ଜଣ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଆମ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହା ପୂରଣ କରିଥାନ୍ତି। ଆମର ଲକ୍ଷ୍ୟ ରହିଛି ୫ ବର୍ଷରେ ୧.୫୦ ଲକ୍ଷ ନିଯୁକ୍ତି ପ୍ରଦାନ। ଆଜି ସୁଦ୍ଧା ୩୦ ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ପ୍ରଦାନ କରାଗଲାଣି। ପାଞ୍ଚ ବର୍ଷ ଭିତରେ ଆମେ ଖାଲି ଥିବା ସମସ୍ତ ପଦବୀ ପୂରଣ କରିବୁ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଇଲୋକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଆମ ସରକାର ଆସିବା ପରେ ପ୍ରତିବଦ୍ଧତାର ସହ ଆମେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଗୁଡିକ ପୂରଣ କରିବା ପାଇଁ ନିଯୁକ୍ତି ମେଳା ମାଧ୍ୟମରେ ଉଦ୍ୟମ ଜାରି ରଖିଛୁ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆମେ ନିଷ୍ଠାର ସହ କାମ କରୁଛୁ।
କାର୍ୟ୍ୟକ୍ରମରେ ଆଇନ, ଅବକାରୀ ଓ ପୂର୍ତ୍ତମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ, ଉନ୍ନୟନକମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।