ବାରଙ୍ଗ,୨୬।୨(ଏସଏସନିଉଜ) ନନ୍ଦନକାନନ ମୁଖ୍ୟଦ୍ଵାର ସମ୍ମୁଖରେ ଥିବା କାନନ କ୍ଷେତ୍ରର ଥିବା ସର୍ବପୁରାତନ ଜଗନ୍ନାଥମନ୍ଦିରର ନବକଳେବର ହୋଇଛି।ପୁରୁଣା ମନ୍ଦିରକୁ ଭଙ୍ଗାଯାଇ ପ୍ରାୟ ୩କୋଟିଟଙ୍କା ବ୍ୟୟ ବରାଦରେ ନୂତନଭାବେ ମନ୍ଦିର ଗଢାଯାଇଛି।ଏଥି ନିମନ୍ତେ ଆୟୋଜିତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ୨୩ ରୁ ୨୬ତାରିଖପର୍ଯ୍ୟନ୍ତ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉସବର ପ୍ରଥମ ଦିନ ୧୩୦୦ରୁ ଉର୍ଦ୍ଧ ନରନାରୀଙ୍କ କଳସ ଶୋଭାଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ଶେଷଦିନ ଗୁରୁବାରସନ୍ଧ୍ୟାରେ ହେଉଥିବା ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା।ପ୍ରତ୍ୟହ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ସହ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀମାନଙ୍କ ଦ୍ଵାରା ଭଜନ ସମାରୋହ ଦେଖଣାହାରୀଙ୍କୁ ବେଶ୍ ପ୍ରଭାବିତ କରିଥିଲା।ପୂର୍ଣ୍ଣାହୁତି ଦିନ ବହୁ ରାଜନେତା ମାନଙ୍କ ସହ ଆଖପାଖ ଗ୍ରାମର ଶହଶହ ମହିଳା ଓ ପୁରୁଷ ଯୋଗଦେଇଥିବା ବେଳେ ସଙ୍କୀର୍ତ୍ତନ ,ହରିବୋଲ ହୁଳହୁଳି ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇଥିଲା।ପ୍ରତ୍ୟହ ବହୁ ରାଜନେତାମାନେ ଯୋଗଦେଇଥିବା ବେଳେ ଶେଷଦିନ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା,ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେପି ନେତା ଗୋଲେଖ ମହାପାତ୍ର ଙ୍କ ସମେତ ବହୁ ରାଜନେତା ଯୋଗଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ।ମନ୍ଦିରକମିଟି ସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିର କମିଟି ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ।