୧-ଆସନ୍ତା ୧୯ ତାରିଖଠାରୁ ପୁରୀରେ କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ଥିବା ସୁବିଧାର ବୁକିଙ୍ଗ ଆରମ୍ଭ ହେବ। ଯେଉଁ ହବିଷ୍ୟାଳିମାନେ ସରକାରୀ ସୁବିଧାକୁ ଏହି ବ୍ରତ ସମୟରେ ପାଇବା ଲାଗି ଆଶା ରଖିଛନ୍ତି ସେମାନେ ନିର୍ଦ୍ଧାରିତ ପୋର୍ଟାଲରେ ନିଜ ନାଁ ଓ ଆବଶ୍ୟକ ତଥ୍ୟକୁ ପ୍ରଦାନ କରିବେ। ୫୦ରୁ ୭୦ ବର୍ଷର ବିବାହିତ ମହିଳା ଅଥବା ୭୦ ବର୍ଷା ଯାଏ ବିଧବା ମହିଳାଙ୍କୁ ଏହି ପଞ୍ଜିକରଣର ସୁବିଧା ପ୍ରଦାନ କରାଯିବ।
୨-ବିଧାନସଭାର ମୌସୁମୀ ଅଧିବେଶନକୁ ଲକ୍ଷ୍ୟ ଭିତ୍ତିକ କରିବାଲାଗି ବାଚସ୍ପତି ଆଜି ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଠାରେ ବିଭିନ୍ନ ଦଳ ସେମାନଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବେ। ଏଥର ମୌସୁମୀ ଅଧିବେଶନ ମାତ୍ର ଏକ ସପ୍ତାହ ହୋଇଥିବାରୁ ଏଥିରେ ଅନେକ ପ୍ର୍ରସଙ୍ଗ ଉଠିବା ସମ୍ଭାବନା ରହିଛି। ଏହିକ୍ରମରେ ଗୃହକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବା ପାଇଁ ବାଚସ୍ପତି ଗୁରୁତ୍ୱ ଦେବେ। ସର୍ବଦୀୟ ବୈଠକ ପରେ ୧୭ ତାରିଖ ସନ୍ଧ୍ୟାରେ ବିଜେପି, କଂଗ୍ରେସ ଓ ବିଜେଡିର ଦଳୀୟ ବୈଠକ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ।
୩-ଏଣିକି ସଡ଼ ସୁରକ୍ଷା ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ତ୍ୱରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିନେଇ ବିଭାଗୀୟ ମନ୍ତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ରିଲ୍ସ ନାଁରେ ସଡ଼କ ସୁରକ୍ଷା ନିୟମକୁ ଭାଙ୍ଗୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ବର୍ଗରେ ସାମଲ କରାଯାଇଛି। ଗାଡ଼ି ଜବତ, ପଞ୍ଜିକରଣ ପ୍ରମାଣପତ୍ର ବାତିଲ ସହ ନିର୍ଦ୍ଧାରିତ ଜରିମାନା ଲାଗୁ ପାଇଁ ସରକାରୀ କଳକୁ ନିର୍ଦ୍ଦେଶ ଦିଆଯାଇଛି।
୪-ଆୟକର ରିଟର୍ଣ୍ଣ ଦାଖଲ ଲାଗି ଆଜିପାଇଁ ସମୟ ବଢ଼ାଯାଇଛି। ପୂର୍ବରୁ ଅଗଷ୍ଟ ୩୦ ଓ ପରେ ସେପ୍ଟେମ୍ବର ୧୫ ତାରିଖ ଯାଏ ସମୟ ବୃଦ୍ଧି କରାଯାଇଥିଲା। କିନ୍ତୁ ପୋର୍ଟାଲରେ ଦେଖାଦେଇଥିବା ସମସ୍ୟା ଅଭିଯୋଗକୁ କେନ୍ଦ୍ର କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି। ।
୫-ପ୍ରଖ୍ୟାତ ଗୀତିକାର, ଗାଳ୍ପିକ ଦେବଦାସ ଛୋଟରାୟଙ୍କୁ ୪୬ତମ ଶାରଳା ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନିକଟରେ ପ୍ରକାଶିତ ତାଙ୍କ ଗଳ୍ପ ମାଟିନି ଶୋ ପାଇଁ ସେ ଏହି ପୁରସ୍କାର ପାଇବେ। ଅକ୍ଟୋବର ୨୬ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ। କଳା ଓ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ହାସଲ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି।
୬-ଆମେରିକା ଓ ଭାରତ ମଧ୍ୟ ବାଣିଜ୍ୟାକି ଚୁକ୍ତି ଲାଗି ବୁଝାମଣା ଆଜିଠାରୁ ଆରମ୍ଭ ହେବ। ଏଥିଲାଗି ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଭାରତ ପହଞ୍ଚିଛନ୍ତି। ସେହିପରି ୬ ତାରିଖଠାରୁ ୟୁରୋପ ୟୁନିୟନ ସହ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ହେବ। ଭାରତ ସହ ଇୟୁ ବାଣିଜ୍ୟ କାରବାର ବୃଦ୍ଧି ଚାହୁଁଥିବାରୁ ଆସନ୍ତା ଦିନମାନଙ୍କରେ ଭାରତୀୟ ବଜାରକୁ ଅଧିକ ସହଜ କରିବା ଲାଗି ଏହି ଆଲଷାଚନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାର କରାଯାଉଛି। ୫୦ ପ୍ରତିଶତ ଟାରିଫ୍ ଲାଗୁ ପରେ ଭାରତ-ଆମେରିକା ବାଣିଜ୍ୟ କାରବାରରେ ମାନ୍ଦା ପଡ଼ିଛି। ଭାରତର ରପ୍ତାନୀ ୧୪ ପ୍ରତିଶତ ହ୍ରାସ ଘଟିଛି।
୭-ମୁସଲମାନ ବିବାହ ଓ ବିଚ୍ଛେଦ ପଞ୍ଜିକରଣ ଲାଗି ସ୍କୁଲ୍ ଶିକ୍ଷକଙ୍କ କ୍ଷମତା ରହିବ ନାହିଁ। ପଞ୍ଜିକାର ରେଜିଷ୍ଟ୍ରାର ଏବଂ ଆଇଜିଆର୍ ହିଁ ଏଥିଲାଗି କ୍ଷମତାପନ୍ନ। ରାଜ୍ୟ ସରକାରଙ୍କ ୨୦୨୩ ନିର୍ଦ୍ଦେଶକକୁ କାଏମ ରଖି ହାଇକୋର୍ଟ ଏହି ରାୟ ଦେଇଛନ୍ତି।
୮-ଜମି ମ୍ୟୁଟେସନ୍ରେସ ଅନିୟମିତତା ନେଇ ଆସିଥିବା ଅଭିଯୋଗର ସତ୍ୟତା ପ୍ରମାଣିତ ହେବା ପରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତହସିଲ୍ଦାଜରଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ଆବଶ୍ୟକ ବିଜ୍ଞପ୍ତି ପ୍ରକାଶ ପାଇଛି।
୯-ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ୟ୍ୟକାରୀ ହେବ ସ୍ୱଚ୍ଛ ବାୟୁ କାର୍ୟ୍ୟ କ୍ରମ। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱଚ୍ଛ ବାୟୁ କାର୍ୟ୍ୟକ୍ରମ ଢାଞ୍ଚାରେ ଏହାକୁ ରୂପାୟନ କରାଯିବ। ଏଥିରେ ରାଜ୍ୟର ୧୨ଟି ସହର ରହିଛି। ବିଶଷକରି ୧୦ ଶିଳ୍ପ ସହର ଏବଂ ଦୁଇ ଅଧିକ ବାୟୁ ସମ୍ବେଦନଶୀଳ ସହରକୁ ଏଥିରେ ସାମିଲ କରାଯାଇଛି। ଏହା ଏକ ୫ ବର୍ଷୀୟ ଯୋଜନା।
୧୦-ରାଜ୍ୟରେ ପର୍ୟ୍ୟାପ୍ତ ସାର ମହଜୁଦ ରହିଛି ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ । ଚଳିତ ବର୍ଷ ୧୦ ଲକ୍ଷ ୮୫ ହଜାର ଟନ୍ ସାର ବଣ୍ଟା ସରିଲାଣି । ଗତ ବର୍ଷ ଚଳିତ ମାସ ସୁଦ୍ଧା ୮ ଲକ୍ଷ ୫୦ ହଜାର ଟନ୍ ସାର ବଣ୍ଟା ଯାଇଥିଲା । ସରକାର ପାଖରେ ଆହୁରି ୧ ଲକ୍ଷ ୮୦ ହଜାର ଟନ୍ ସାର ମହଜୁଦ ଅଛି ଆବଶ୍ୟକ ହେଲେ ଆହୁରି ସାର ମଗେଇବୁ ବୋଲି ପ୍ରଦୀପ ବଳସାମନ୍ତ କହିଛନ୍ତି । ବିରୋଧୀ ଲୋକ ସାର ନାହିଁ କହି ନ୍ୟାରେଟିଭ୍ ତିଆରି କରୁଛନ୍ତି । ଲୋକେ ସବୁ ଜାଣୁଛନ୍ତି, ବିଜେଡି ଯେତେ ସୋ ବାଜି କଲେ ଵି ଲାଭ ଦେବନି ବୋଲି ସେ କହିଛନ୍ତି।
୧୧-ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍ । ଏଣିକି ହିତାଧିକାରୀ ଅଭିଯୋଗ କଲେ ବିଭାଗ ଉତ୍ତର ରଖିପାରିବ । ପୂର୍ବରୁ ପୋର୍ଟାଲ ଥିଲା, କେବଳ ଅଭିଯୋଗ ଆସୁଥିଲା ହେଲେ ଉତ୍ତର ମିଳୁ ନଥିଲା । ଏବେ ସୁଭଦ୍ରା ଯୋଜନାରୁ କାହିଁକି ବାଦ ପଡିଲେ ସେନେଇ ଜଣାଇ ଦିଆଯିବ । ସେମାନେ କଣ କଲେ ସାମିଲ ହୋଇପାରିବେ ସେନେଇ ସୂଚନା ଦିଆଯିବ । ଆପଣଙ୍କୁ କହିରଖୁଛୁ ଯେ, ସୁଭଦ୍ରା ଯୋଜନାରେ ୨ ଲକ୍ଷ ୮୫ ହଜାର ବାଦ ପଡ଼ିଛନ୍ତି ।
୧୨-ପ୍ରକାଶ ପାଇଛି ସିପାହୀ କନ୍ଷ୍ଟେବଲ୍ ନିଯୁକ୍ତି ଫଳ । ୨୦୮୦ ସିପାହୀ କନ୍ଷ୍ଟେବଲ୍ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିବାବେଳେ ୧୯୧୦ ଜଣ କନ୍ଷ୍ଟେବଲ୍ ଓ ସିପାହୀ ନିଯୁକ୍ତି ପାଇବାକୁ ଯାଉଛନ୍ତି ।
୧୩-କେନ୍ଦ୍ର ସରକାରଙ୍କ ସିବିଏସ୍ଇଦ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ନୂଆ ଗାଇଡ୍ଲାୂଇନ୍ ଜାରି କରିଛି। ଏହି ମାର୍ଗଦର୍ଶିକା ଅନୁସାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ଲାଗି ନୂତନ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ନିୟମଗୁଡ଼ିକୁ ସେମାନେ ପାଳନ ନକରିବେ ତେବେ ସେମାନେ ଦଶମ ବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇପାରିବେ ନାହିଁ। ପ୍ରଥମ ସର୍ତ୍ତ ରହିଛି ସ୍କୁଲରେ ପିଲାଙ୍କ ଉପସ୍ଥାନ। ଯଦି ୭୫ ପ୍ରତିଶତ ଉପସ୍ଥାନ ନରହିବ ତେବେ ସେ ପରୀକ୍ଷା ଦେଇ ପାରିବ ନାହିଁ। ପୁଣି ଏହା କେବଳ ଦଶମ ବା ଦ୍ୱାଦଶ ପରୀକ୍ଷାରେ ନୁହେଁ ଦଶମ ବୋର୍ଡ ଦେବାକୁ ହେଲେ ନବମ ଓ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ବୋର୍ଡ ଦେବା ଲାଗି ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ୭୫% ଉପସ୍ଥାନ ଜରୁରୀ।
୧୪-ମାଟିରେ ମିଶିଲା ୨୮ ହଜାର ଲିଟର ଅପମିଶ୍ରିତ କ୍ଷୀର । ଆଠଗଡ଼ SDJMଙ୍କ ନିର୍ଦ୍ଦେଶରେ ଅପମିଶ୍ରିତ କ୍ଷୀର ନଷ୍ଟ କରିଛି ଗୁରୁଡ଼ିଝାଟିଆ ପୋଲିସ୍ । ନିକଟରେ କୁଷ୍ପଙ୍ଗି ନିକଟ ହୋଟେଲ୍ ପଛ ପଟୁ ଅପମିଶ୍ରିତ କ୍ଷୀର ଧରିଥିଲା ପୋଲିସ । ଘଟଣାରେ ମାଷ୍ଟର ମାଇଣ୍ଡ ହୋଟେଲ୍ ମାଲିକ ଓ ସହଯୋଗୀ ଗିରଫ ହୋଇଥିଲେ।
୧୫-ରାଜ୍ୟରେ ଜାରି ରହିଛି ଖରା ବର୍ଷାର ଲୁଚକାଳୀ ଖେଳ।ବୁଧବାର ଓ ଗୁରୁବାର ମଧ୍ୟ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।ଶୁକ୍ରବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ବିସ୍ତୁତ ଭାବେ ହ୍ରାସ ପାଇବ।୨୦ ତାରିଖ ବେଳକୁ ବଙ୍ଗୋପ ସାଗରରେ ଆଉ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ୨୨ ବେଳକୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ମୌମୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି। ଭାରତୀୟ ପାଣିପାଗ ସଂସ୍ଥାନର ପୂର୍ବାନୁମାନ ଅନୁଯାୟୀ ସେପ୍ଟେମ୍ବର ଓ ଅକ୍ଟୋବରରେ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି। ଏହାସହ ଆଜି ଓ ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।ସେହି ଜିଲ୍ଲା ଗୁଡ଼ିକ ହେଲା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା,ବରଗଡ, ସମ୍ବଲପୁର, ଦେବଗଡ଼, ଅନୁଗୁଳ,ଢେଙ୍କାନାଳ।ଏହାସହ ପବନର ବେଗ ୪୦ ରୁ ୫୦ କିମି ବେଗରେ ପ୍ରବାହିତ ହେବ।୧୯ରୁ ବିଭିନ୍ନ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି।