ଭୁବନେଶ୍ୱର, ୨୨|୬(ଏସଏସନିଉଜ) ନନ୍ଦନକାନନ ଏବେ ପ୍ରାଣୀ ଉଦ୍ୟାନ ନୁହେଁ, ପର୍ଯ୍ୟଟକଙ୍କ ଲୁଟ୍ କେନ୍ଦ୍ର ! ପରିବେଶ ନାଁରେ ଏଠି ଚାଲିଛି ସିଧା ଦାଦାବଟି। ଗୋଟେ ପାଣି ବୋତଲ, ଗୋଟେ କାଗଜ ଷ୍ଟିକର, ଆଉ ୫୦ ଟଙ୍କାର ଜୋର ଜବରଦସ୍ତ ବଟି। ନିୟମ ନାଁରେ ଏହା ଏକ ସୁଚିନ୍ତିତ ଠକେଇ ବୋଲି ପର୍ଯ୍ୟଟକଙ୍କ ମହଲରେ ତୀବ୍ର ସମାଲୋଚନା ହେଲାଣି । ଭିତରକୁ ପାଣି ବୋତଲ ନେଲେ ଗେଟ୍ ରେ ବୋତଲ କାଉଣ୍ଟର ଅଛି। ବୋତଲ ପିଛା ୫୦ ଟଙ୍କା ଦିଅ, ନହେଲେ ଭିତରକୁ ପାଣି ନେଇପାରିବ ନାହିଁ। ବୋତଲ ଉପରେ ମାରିଦେବେ ଗୋଟେ କାଗଜ ଷ୍ଟିକର। ଫେରିବା ବେଳେ ସେହି ଷ୍ଟିକର ସହ ବୋତଲ ଦେଖାଇଲେ ଟଙ୍କା ଫେରସ୍ତର ନିୟମ ଅଛି ଏବଂ ବୋତଲ କାଉଣ୍ଟର ରେ ଲେଖା ମଧ୍ୟ ହୋଇଛି । ହେଲେ ଷ୍ଟିକର ଛିଣ୍ଡିଲା ତ ଟଙ୍କା ଗଲା। ବୋତଲ ହଜିଲାତ ଟଙ୍କା ଗଲା। ଲାଇନରେ ଛିଡା ହୋଇ ନପାରିଲେ ମଧ୍ୟ ଟଙ୍କା ଗଲା। ରସିଦନାହିଁ, ପ୍ରମାଣ ନାହିଁ, ଫେରସ୍ତ ମଧ୍ୟ ନାହିଁ। ପୁରା ଟଙ୍କା ହଡପ। ଏନେଇ କଲିକତାରୁ ଆସିଥିବା ସୋନାଲି ଦୁବେ ନାମକ ପର୍ଯ୍ୟଟକ କୁହନ୍ତି ଏହା ଲୁଟେରା ରାଜ୍ ଏହା ପରିବେଶ ସୁରକ୍ଷା ନୁହେଁ, ଏହା ପକେଟ ସଫା ଅଭିଯାନ। ଷ୍ଟିକରଟା ଜାଣିଶୁଣି ଏମିତି ବନାଯାଇଛି ଯେମିତି ଦୁଇ ଘଣ୍ଟାରେ ଛିଣ୍ଡିଯିବ।ଆମର ମଧ୍ୟ ସେମିତି ହୋଇଛି । ଆମେ ପ୍ରାଣୀଉଦ୍ୟାନ ଭିତରକୁ ଯିବାବେଳେ ୪ପାଣିବୋତଲ ଆଣିଥିଲୁ ଏବଂ ୨୦୦ ଟଙ୍କା ଦେଇ ବୋତଲରେ ୪ ଟି ଷ୍ଟିକର ମାରି ଭିତରକୁ ଯାଇଥିଲୁ ।ଫେରିଲା ବେଳେ ଆମର ଗୋଟିଏ ଷ୍ଟିକର ବୋତଲରୁ ଛାଡ଼ି କେଉଁଠି ପଡିଯାଇଥିଲା । ଆମେ ୩ ଟିର ଟଙ୍କା ଫେରସ୍ତ ନେଇଥିବା ବେଳେ ଆଉ ଗୋଟିଏର ଟଙ୍କା ଫେରସ୍ତ ଦେଲେ ନାହିଁ । ସେହିପରି ବଲାଙ୍ଗିରରୁ ଆସିଥିବା ଯୁଜିଷ୍ଟିର ବେଜ୍ କୁହନ୍ତି ଷ୍ଟିକରଟା ଗୋଟେ ସାଧା କାଗଜ । ଟିକେ ପାଣି ପଡ଼ିଲେ ଛିଣ୍ଡିଯାଏ , ଅଠା ଛାଡ଼ି ଷ୍ଟିକର ଉଠିଯାଏ। କହିଲେ ଟଙ୍କା ମିଳିବନି । ରସିଦ ବି ଦେଉନାହାନ୍ତି ପ୍ରମାଣ କଣ ?ଷ୍ଟିକର ନଷ୍ଟ ମାନେ ଆମ ଟଙ୍କା ଗଲା । ଏହା ଜାଣିଶୁଣି କରାଯାଇଥିବା ଡିଜାଇନ୍ ନୁହେଁ ତ? ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଭୁବନେଶ୍ୱରରୁ ଆସିଥିବା ପାୟଲ ଦାସ ମହାପାତ୍ର କୁହନ୍ତି ଯିବା ବେଳେ କାଉଣ୍ଟର ଖୋଲା ଫେରିବା ବେଳେ ଲାଇନ ଆଉ ଭିଡ଼ ।ଖରାରେ ୪ ଘଣ୍ଟା ବୁଲି ଥାକିଯିବା ପରେ ୫୦ ଟଙ୍କା ପାଇଁ ଅଧ ଘଣ୍ଟା ଠିଆ ହେବୁ କେମିତି ।୧୫୦ ଟଙ୍କା ଗଲେ ଯାଉ ପଛେ ଆମେ ପଳେଇ ଆସିଲୁ ।
ଦିନକୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ଜମା ହେଉଛି । ପ୍ରତିଦିନ ଫେରସ୍ତ ନ ହୋଇଥିବା ଏହି ଅଧାରୁ ଅଧିକ ଟଙ୍କା ଯାଉଛି କେଉଁ ଆକାଉଣ୍ଟକୁ ? ଅନ୍ୟପଟେ ଯେଉଁ ପର୍ଯ୍ୟଟକ ଭିତରକୁ ପାଣି ବୋତଲ ନେଉନାହାନ୍ତି ସେମାନେ ଗେଟ୍ ସମ୍ମୁଖରେ ରଖି ଯାଉଛନ୍ତି ସେହି ବୋତଲ ଏକାଠି କରି ରଖାଯାଉଛି । ବୋତଲ ଅଧିକ ହେଲେ ବୋତଲ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ହେଲେ ଏହି ବିକ୍ରି ଟଙ୍କା କେଉଁ ଖାତାରେ ଯାଉଛି ? ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି। କୌଣସି ଅଡିଟ୍ ନାହିଁ। କୌଣସି ବୋର୍ଡ ନାହିଁ। କୌଣସି ଅନଲାଇନ ହିସାବ ନାହିଁ। ସବୁ ଅନ୍ଧାରରେ ଥିବା ଜଣାପଡ଼ୁଛି । ଏହି ଟଙ୍କା କିଛି କର୍ମଚାରୀ ବଡ ବାବୁଙ୍କୁ ଖୁସି କରି ନିଜ ପକେଟ୍ ଗରମ କରୁଥିବା ସାଧାରଣରେ ଅଭିଯୋଗ ହେଉଛି ।ପରିବେଶ ସୁରକ୍ଷା ଭଲ କଥା କିନ୍ତୁ ସ୍ବଚ୍ଛତା କୁଆଡେ ଗଲା ? ଏହା ପ୍ଲାଷ୍ଟିକ ମୁକ୍ତ ନନ୍ଦନକାନନ ନା ପର୍ଯ୍ୟଟକଙ୍କ ପକେଟ୍ କାଟିବାର ସରକାରୀ ଯୋଜନା ଏବେ ଏହାହିଁ ସାଧାରଣରେ ବଡ ପ୍ରଶ୍ନ ।
ଏନେଇ ନନ୍ଦନକାନନ ଉପନିର୍ଦେଶକ ପଚାରିବାରୁ ସେ କୁହନ୍ତି ଯେଉଁ ବଳକା ଟଙ୍କା ରହୁଛି ସେ ନନ୍ଦନକାନନ ଶୋଷାଇଟି ଆକାଉଣ୍ଟକୁ ଯାଉଛି ଏବଂ ପ୍ରତିଦିନ କେତେ ଟଙ୍କା ଯାଉଛି ତାହା ଦେଖିଲେ ଜଣାପଡିବ ବୋଲି କହିଛନ୍ତି । ତାସହିତ ବୋତଲ ବିକ୍ରି ହେବା ପ୍ରଶ୍ନ ପଚାରିବାରୁ ସେ କୁହନ୍ତି ସେ ବୋତଲ ସବୁ ଆମେ ବିଏମସିକୁ ଦେଉଥିବା କହିଛନ୍ତି ।
ତେବେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଭିତରକୁ ପାଣି ବୋତଲ ନେବାକୁ ହେଲେ ବୋତଲରେ ଷ୍ଟିକର ମାରିବା ସହିତ ଡିଜିଟାଲ ରସିଦ ଦେବାପାଇଁ ସାଧାରଣରେ ମତପ୍ରକାଶ ପାଇଛି ।