ବାରଙ୍ଗ,୨।୭ (ଏସଏସନିଉଜ) ରାଜ୍ୟରେ ଜାରି ରହିଥିବା ଲଘୁଚାପ ଜନିତବର୍ଷା ଯୋଗୁ ଅନେକ ଗ୍ରାମମୁଣ୍ଡ ଠାରୁ ଆରମ୍ଭ କରି ରାସ୍ତାଘାଟ ଓ ଚାଷଜମି ଆଦି ବିଭିନ୍ନ
ସ୍ଥାନରେ ବର୍ଷାଜଳ ଜମି ରହିଛି।ଯାହାଫଳରେ କେତେକ ଜାଗାରେ ଲୋକମାନେ ଘରୁ ବାହାରିବାକୁ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି।ରାସ୍ତା ଉପରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇ କେତେକଜାଗା ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ଏଭଳି ଦୃଶ୍ୟ ବାରଙ୍ଗବ୍ଲକର ଦାଢାପାଟଣା, କୁହ୍ନେଇଁପଡ଼ା, ଶ୍ରୀବନ୍ତପୁର, ମଧୁପୁର ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକରେ ଦେଖିବାକୁ ମିଳୁଛି।ବିଶେଷ କରିତ୍ରିଶୂଳିଆ,ଫୁଲପୋଖରୀ, ବଙ୍ଗାଳିସାହି ଗ୍ରାମ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଜମି ରହୁଥିବାରୁ ଅନେକ ପରିବାର ଏବେଏକପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।ଏହିଭଳି ସମସ୍ୟା ବର୍ଷା ଦିନ ଆସିଲେ ଦେଖାଦେଇଥିବା ବେଳେ ସ୍ଥାୟୀ ସମାଧାନ ପାଇଁ ସେଭଳି ଉଦ୍ୟମ କରାଯାଇନଥିବା ର ଜଣାପଡିଛି। ଗ୍ରାମର ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ବିଶେଷ କରି ବର୍ଷାଜଳରେ ବୁଡି ରହିବା ଫଳରେ ଗ୍ରାମ ଭିତରକୁ ପ୍ରବେଶ କରିବା ପାଇଁ ଜନସାଧାରଣଙ୍କୁ ବହୁ ନାକେଦମ୍ ହେବାକୁ ପଡ଼ୁଛି। ଫୁଲପୋଖରୀ ଗ୍ରାମର ଶେଷ ମୁଣ୍ଡରେ ଉଚ୍ଚବିଦ୍ୟାଳୟ ଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ଆଣ୍ଠୁଏ ଉଚ୍ଚର ଜଳମଗ୍ନ ରାସ୍ତାରେ ପାଠ ପଢିବାକୁ ଯିବାଆସିବା କରୁଥିବାର ଦେଖିବାକୁ ମିଳିଛି।ବର୍ଷାଜଳ ଜମି ରହିଥିବାରୁ ବିଭିନ୍ନ ଜଳବାହିତ ରୋଗ ଓ ଡେଙ୍ଗୁ ବ୍ୟାପିବା ଆଶଙ୍କା ଥିବାରୁ ଜଳବନ୍ଦୀ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।ବର୍ଷାଜଳ ନିଷ୍କାସନ ପାଇଁ କରାଯାଇଥିବା ଡ୍ରେନରେ ଠିକଭାବେ ଜଳ ନିଷ୍କାସନ ନହେବାରୁ ଏଭଳି ଦୁଦର୍ଶା ଦେଖାଦେଇଛି।
ସେହିଭଳି ଭାବେ ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମର ଭଗବାନପୁର ସାହି ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।ସାହିକୁ ସଂଯୋଗ କରୁଥିବା ଦୁଇଟି ବାଟରେ ବର୍ଷାଜଳ ଜମି ରହି ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି।ଏଠାରୁ ବର୍ଷାଜଳ ନିଷ୍କାସନ ପାଇଁ ଥିବା ବାଟକୁ ବ୍ୟବସାୟୀକ ଉଦ୍ଦେଶ୍ୟରେ ଅବରୋଧ କରିବା ଯୋଗୁ ସାହି ବାସି ନାହିଁନଥିବା ହଇରାଣ ଭୋଗ କରୁଥିବାର ଦେଖିବାକୁ ମିଳିଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)