ପ୍ରବଳ ବିରୋଧ ସତ୍ତ୍ୱେ ଝାରପଡ଼ାହାଟଠାରେ ବିଏମସି କଲା ଉଚ୍ଛେଦ

ଭୁବନେଶ୍ୱର, ୨୦/୨(ଏସଏସନିୟୁଜ) ପ୍ରବଳ ବିରୋଧ ଓ ହଟ୍ଟଗୋଳ ସତ୍ତ୍ୱେ ଆଜି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଝାରପଡ଼ା ହାଟରେ ନିର୍ମାଣାଧୀନ ଅନଧିକୃତ ଦୋକାନ ଗୁଡିକର ଉଚ୍ଛେଦ କରିଛି । ବିଏମସି ପକ୍ଷରୁ ୧୨ଟି ନିର୍ମାଣାଧୀନ ଆଜବେଷ୍ଟସ ସିଟ ଯୁକ୍ତ ଦୋକାନକୁ ଟିମ ଉଚ୍ଛେଦ କରିଥିଲେ । ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ କମିଶନରେଟ ପୋଲିସର ୨ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଝାରପଡ଼ା ଗଣେଶ ମଣ୍ଡପ ନିକଟସ୍ଥ ବିଡ଼ିଏ ନାମରେ ଥିବା ୩ ଏକର ବହୁମୂଲ୍ୟ ସରକାରୀ ଜମିରେ ବେଆଇନ ଦୋକାନ ବଜାର ନିର୍ମାଣ ହେବା ଦ୍ୱାରା ରାସ୍ତା ସଙ୍କୁଚିତ ହେବା ସଂଗେ ସଂଗେ ଝାରପଡ଼ା କେନାଲ ରୋଡ଼ ନିକଟସ୍ଥ ଅଂଚଳରେ ବୃହତ୍ତ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଆଜି ସକାଳେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୋୖଧୁରୀ ଏହି ହାଟକୁ ଅନୁଧ୍ୟାନ ନିମନ୍ତେ ପହଂଚିଥିଲେ । ଅନୁଧ୍ୟାନ ବେଳେ ଦେଖା ଯାଇଥିଲା ଯେ ସରକାରୀ ଜମିରେ ଅନଧିକୃତ ଦୋକାନ ନିର୍ମାଣ ଯୋଗୁଁ ଜଟିଳ ଟ୍ରାଫିକ ସମସ୍ୟା ଉପୁଜୁଛି ଯାହା ଦ୍ୱାରା ସ୍ଥାନୀୟ ଜନତା ହନ୍ତସନ୍ତ ହେଉଛନ୍ତି । ବିଡିଏ ର ବହୁମୂଲ୍ୟ ଜମି ଉପରେ ଏହିଭଳି ବେଆଇନ ନିର୍ମାଣକୁ ବରଦାସ୍ତ କରାଯିବ ନାହିଁ ଏବଂ ଭୁବନେଶ୍ୱର ବାସୀଙ୍କ ବୃହତ୍ତ ସ୍ୱାର୍ଥ ଓ ଉନ୍ନତିକୁ ଦୃଷ୍ଟିରେ ରଖି ଏହି ସ୍ଥାନରେ ବହୁତଳ ମାର୍କେଟ କମ୍ପ୍ଲେକ୍ସ ଓ ପନିପରିବା ହାଟ ନିର୍ମାଣ କରାଯିବା ସହ ବର୍ତ୍ତମାନ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ଓ ଉଠା ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ଶ୍ରୀ ଚୌଧୁରୀ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ସ୍ଥାନର ଉନ୍ନତିକରଣ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଚୋୖଧୁରୀ ଜଣାଇଥିଲେ ଯାହାକୁ ଉପସ୍ଥିତ ଜନତା ସ୍ୱାଗତ କରିଥିଲେ। ହାଟ ମଧ୍ୟରେ ନୂତନ ଭାବରେ ନିର୍ମାଣାଧୀନ ବେଆଇନ ଦୋକାନ ଘର ଗୁଡିକୁ ତୁରନ୍ତ ଉଚ୍ଛେଦ ପାଇଁ କମିଶନର ନିର୍ଦେଶ ଦେଇଥିଲେ ।

Comments (0)
Add Comment