ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର,୧୫/୪(ଏସଏସନିୟୁଜ) ରାଜ୍ୟରେ ଦିନକୁଦିନ କରୋନା ସଂକ୍ରମଣ ବଢୁଥିବାବେଳେ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁକରିଛନ୍ତି ରାଜ୍ୟସରକାର । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟ୍ରେ ନାଇଟ୍ କର୍ଫ୍ୟୁ ବିଷୟରେ ସୂଚନା ଦେଇଛନ୍ତି ।ସୁନ୍ଦରଗଡ଼, ଝାସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆଦି ୧୦ ଜିଲ୍ଲାର ସହରାଞ୍ଚଳରେ ସଂଧ୍ୟା ୬ରୁ ସକାଳ ୫ ନାଇଟ କର୍ଫ୍ୟୁ। ଅନ୍ୟ ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ କର୍ଫ୍ୟୁ। କଟକ, ଭୁବନେଶ୍ୱର ସହ ସବୁ ସହରରେ ନାଇଟ କର୍ଫ୍ୟୁ। ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନିୟମ ଲାଗୁ ହେବ । ବିବାହ ଉତ୍ସବରେ କେବଳ ୫୦ ଜଣ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ଯୋଗ ଦେଇପାରିବେ । ଅତ୍ୟାବଶ୍ୟକ ମାଲ ପରିବହନ କାର୍ଯ୍ୟ ମଧ୍ୟ ଚାଲୁ ରହିବ। ୧୯ ତାରିଖରୁ ଆନ୍ତଃରାଜ୍ୟ ବସ ସେବା ବନ୍ଦ । ମାସ୍କ ନପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ସହ ଦୋକାନୀ ଓ କର୍ମଚାରୀ ମାସ୍କ ନପିନ୍ଧିଲେ ଦୋକାନ ସିଲ୍ କରାଯିବ ।ନାଇଟ କର୍ଫ୍ୟୁରେ ପରିଚୟପତ୍ର ଦେଖାଇ ଅତ୍ୟାବଶ୍ୟକ ସେବା କର୍ମଚାରୀ ଯାଇପାରିବେ। ଅପେରା ଯାତ୍ରା ଆଦିରେ ୧୦୦୦ ଲୋକ ରହିପାରିବେ । ଅଟୋ ଏବଂ ଟ୍ୟାକ୍ସିରେ ୨ ଜଣ ହିଁ ଯାଇପାରିବେ ତାଠାରୁ ଅଧିକ ନୁହେଁ । ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସଭା, ଶୋଭାଯାତ୍ରା ଉପରେ କଟକଣା ଜାରି ହୋଇଛି । ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ଜାରି କରାଯାଇଥିବାବେଳେ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ମନା ରହିଛି ଓ ମନ୍ଦିରରେ କେବଳ ସେବକଙ୍କୁ ନେଇ ନୀତି ପାଳନ ହେବ ।ଜିଲ୍ଲାପାଳମାନେ ଧାର୍ମିକ ଅନୁଷ୍ଠାନର ସ୍ଥିତି ଦେଖି ନିଷ୍ପତ୍ତି ନେବା ସହ ହାଟ ବଜାରରେ ପୂର୍ବଭଳି ବ୍ୟବସାୟୀମାନେ ଦୂରେଇ ବସିବେ । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।ଏହାସହ ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

 

Comments (0)
Add Comment