ଭୁବନେଶ୍ୱର,୩୯(ଏସଏସନିଉଜ)ଅଭିଯୋଗକାରୀ ପ୍ରଭାସ ଖଟୁଆଙ୍କ ଲିଖିତ ଅଭିଯୋଗ କ୍ରମେ ମଞ୍ଚେଶ୍ୱର ଥାନାରେ ୬୪୭/୨୬କେଶନଂରେ ଏକ ମାମଲା ରୁଜୁ କରାଯାଇଥିଲା। ମାମଲାର ତଦନ୍ତ ସମୟରେ ଅଭିଯୁକ୍ତ ପିଙ୍କୁ ନାୟକ ଓରଫ ପିଣ୍ଟୁ କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ, ସେ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ କିଶନ ନଗର, ସତ୍ୟ ବିହାରର ଅମିତା ସେଠୀଙ୍କ ଘରେ ଭଡ଼ାରେ ରୁହନ୍ତି । ସେହି ଘରେ ଅଭିଯୁକ୍ତ ପିଙ୍କୁ ଓରଫ ପିଣ୍ଟୁ ନାୟକ ମଧ୍ୟ ନିଜ ପରିବାର ସହିତ ଭଡ଼ାରେ ରହୁଛନ୍ତି । ଘଟଣାର କିଛି ଦିନ ପୂର୍ବରୁ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକମାନେ ଘର ମାଲିକ ଅମିତା ସେଠୀଙ୍କ ସହିତ ଗାଳିଗୁଲଜ କରିବା ସହ ଘରେ ଗଣ୍ଡଗୋଳ କରିଥିଲେ । ସେହି ସମୟରେ ଅଭିଯୋଗକାରୀଙ୍କ ସ୍ତ୍ରୀ ରାନୁପ୍ରିୟା ସାହୁ ଏହି ଘଟଣାର ଭିଡିଓ ରେକର୍ଡ କରିଥିଲେ । ଏହାକୁ ନେଇ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକମାନେ ଅଭିଯୋଗକାରୀ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ରାଗ ରଖିଥିଲେ । ଗତ ୦୨.୦୯.୨୦୨୬ ରାତି ପ୍ରାୟ ୮.୩୦ ସମୟରେ ଅଭିଯୋଗକାରୀ କାମରୁ ଘରକୁ ଫେରି ନିକଟସ୍ଥ ଦୋକାନକୁ ରୁଟି କିଣିବା ପାଇଁ ଯାଉଥିଲେ । ସେହି ସମୟରେ ଅଭିଯୁକ୍ତ ପିଣ୍ଟୁ, ତାଙ୍କ ଭଉଣୀ ଟିକିନା ନାୟକ ଏବଂ ମାଆ ସରସ୍ୱତୀ ଓରଫ ସୁମିତ୍ରା ନାୟକ ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିଥିଲେ । ସେମାନେ ଘର ମାଲିକାଙ୍କ ସହ ପୂର୍ବରୁ ହୋଇଥିବା ଗଣ୍ଡଗୋଳର ଭିଡିଓ କରିବାକୁ ସେ କିପରି ସାହସ କଲେ ବୋଲି ପଚାରିଥିଲେ । ଅଭିଯୋଗକାରୀ ସ୍ପଷ୍ଟ କରିଥିଲେ ଯେ, ସେ କିମ୍ବା ତାଙ୍କ ସ୍ତ୍ରୀ କୌଣସି ଭିଡିଓ ରେକର୍ଡ କରିନାହାନ୍ତି ।
ତଦନ୍ତ ସମୟରେ ଜଣାପଡ଼ିଛି ଯେ, ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକମାନେ ନିୟମିତ ଭାବେ ମଦ ପିଇ ଘରେ ଗଣ୍ଡଗୋଳ ଓ ଅଶାନ୍ତି କରୁଥିବାରୁ ଘର ମାଲିକା ଅମିତା ସେଠୀ ସେମାନଙ୍କ ଘରକୁ ଯାଉଥିବା ପାଣି ଓ ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ । ସେ ପୂର୍ବରୁ ସେମାନଙ୍କୁ ଘର ଖାଲି କରିବାକୁ ମଧ୍ୟ କହିଥିଲେ, କିନ୍ତୁ ସେମାନେ ଘର ଖାଲି କରିନଥିଲେ । ଏହି କାରଣରୁ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକମାନେ ଅଭିଯୋଗକାରୀ ଘର ମାଲିକାଙ୍କୁ ସେମାନଙ୍କୁ ଘରୁ ବାହାର କରିଦେବା ପାଇଁ ଉସୁକାଉଥିବା ସନ୍ଦେହ କରୁଥିଲେ । ଏହି କଥାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ପରସ୍ପର ମଧ୍ୟରେ ଉଚ୍ଚ ସ୍ୱରରେ କଥା କଟାକଟି ହୋଇଥିଲା । ଏହି ସମୟରେ ଅଭିଯୁକ୍ତ ପିଣ୍ଟୁ ଅଭିଯୋଗକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲା । ପରେ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ହଠାତ ଏକ ଲୁହା ରଡ୍ରେ ମୁଣ୍ଡର ପଛପଟେ ଜୋରରେ ମାଡ଼ ମାରିଥିଲା ଏବଂ ତାଙ୍କୁ ତଳେ ପକାଇ ଦେଇଥିଲା । ଅଭିଯୋଗକାରୀ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ତାଙ୍କୁ ପୁନର୍ବାର ମାଡ଼ ମାରିଥିଲା । ଏହି ଆକ୍ରମଣ ଯୋଗୁଁ ଶାରୀରିକ ଭିନ୍ନକ୍ଷମ ଅଭିଯୋଗକାରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ ଆଘାତ ଲାଗିଥିଲା । ସେ ସାହାଯ୍ୟ ପାଇଁ ଡାକ ପକାଇବାରୁ ନିକଟରେ ଥିବା ତାଙ୍କ ସ୍ତ୍ରୀ ରାନୁପ୍ରିୟା ସାହୁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରି ନଥିଲେ । ପରେ ଅଭିଯୁକ୍ତ ଅଭିଯୋଗକାରୀଙ୍କ ପତ୍ନୀଙ୍କର ପିନ୍ଧା ସୁନା କାନଫୁଲ ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ସୂଚନା ପାଇ ପିସିଆର ଟିମ୍ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚି ଆହତ ଅଭିଯୋଗକାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ।
ମଞ୍ଚେଶ୍ୱର ପୋଲିସ ତୁରନ୍ତ ଏହି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପିଙ୍କୁ ନାୟକ ଓରଫ ପିଣ୍ଟୁକୁ କାବୁ କରିଥିଲେ । ପଚରାଉଚରା ବେଳେ ସେ ନିଜର ଦୋଷ ସ୍ୱୀକାର କରିଥିଲେ ।
ଏହି ମାମଲାର ଅଧିକ ତଦନ୍ତ ବର୍ତ୍ତମାନ ଚାଲୁ ରହିଛି ।