ଆଶା, ଆଶଙ୍କା ରେ ଟୀକା

0 354

ଭୁବନେଶ୍ବର,୧୬/୧୨(ସତ୍ୟସନ୍ଧାନ ଡେସ୍କ )କରୋନା ଯଦିଓ ବର୍ତ୍ତମାନ ନରମ ପଡ଼ିଛି, କିନ୍ତୁ ତାହା ଯେ ପୁଣି ପ୍ରତ୍ୟାବର୍ତ୍ତନ ନ କରିବ ସେ ଆଶଙ୍କାକୁ ଏଡାଇ ଦେଇ ହେଉନି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନେ ଯେତିକି ସଫଳତା ପାଇଛନ୍ତି, ସେଥିରୁ ଟିକା ଯେ ଶୀଘ୍ର ଆସୁଛି ତାହା ଅନେକଙ୍କୁ ଆଶ୍ବ‌ାସନା ଦେଇଛି। ବୋଧହୁଏ ଆସନ୍ତା କେଇ ସପ୍ତାହ ମଧ୍ୟରେ ତାହା ଉପଲବ୍‌ଧ ହୋଇଥିବ। ତଥାପି ଟିକା ଏବେ ନାନା ଆଶା ଆଶଙ୍କା ଦେଇ ଗତି କରୁଛି।

ଆସନ୍ତା ମାସରେ କରୋନା ଟିକା ଦିଆଯିବାକୁ ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଉଛି। ସରକାର କହୁଛନ୍ତି, ପ୍ରାରମ୍ଭିକ ଭାବେ ୬ଶହ ନିୟୁତ ଟିକା ପ୍ରସ୍ତୁତ ହୋଇଯିବ। ଏତିକି ଟିକା କେବଳ ଦେଶରେ ଯେତିକି ମଧୁମେହ ରୋଗୀ ରହିଛନ୍ତି, ସେମାନଙ୍କୁ ନିଅଣ୍ଟ ହେବ। ସେଥିରେ ପୁଣି ଆଗେ କରୋନା ଯୋଦ୍ଧା‌‌, ଯେପରି ଡାକ୍ତର, ନର୍ସ,ସ୍ବାସ୍ଥ୍ୟକର୍ମୀ, ପୁଲିସ ଆଦିଙ୍କୁ ଅଗ୍ରାଧିକାର ଦିଆଯିବ।
ଆକଳନ କରାଯାଉଛି, ଦେଶର ୧୩୦ କୋଟି ଲୋକଙ୍କୁ ଟିକା ମିଳିଲା ବେଳକୁ ୪ ବର୍ଷ ଲାଗିଯିବ। ଲୋକମାନେ ଏତେ ଦିନ ଅପେକ୍ଷା କରି ପାରିବେ ତ? ଏଣୁ କିଏ ଆଗ ଟିକା ପାଇବ, ସେ ନେଇ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସୁକତା ଲାଗି ରହିବ। ପ୍ରତି‌ଯାଗିତା ବି।ଲୋକେ ଟିକା ପାଇବାରେ ବିଳମ୍ବ ହେଲେ ସେମାନଙ୍କର ନିଶ୍ଚୟ ଧୈର୍ଯ୍ୟଚ୍ୟୁତି ଘଟିବ। ଜଣେ ଆଗୁଆ କିପରି ଟିକା ପାଇବ ସେ ପାଇଁ ଉଦ୍ୟମ କରିବ। ସେଥିପାଇଁ ଏକ ପ୍ରକାର ପ୍ରତିଯୋଗିତା ଲାଗି ରହିବ। ଫଳରେ ଟିକାର ବ୍ୟାପକ କଳାବଜାର ହେବାର ସମ୍ଭାବନା ଦେଖା ଦେବ। କେତେକ ବି ଆଶଙ୍କା କରୁଛନ୍ତି ଚାହିଦା ଅନୁଯାୟୀ ଟିକା ମିଳିବାର ନ ଥିିବାରୁ କେତେକ ଅସାଧୁ ସଂସ୍ଥ‌ା ବା ବ୍ୟକ୍ତି ଅହେତୁକ ଫାଇଦା ଉଠାଇବେ। ଲୋକଙ୍କ ଚାହିଦା ଓ ଅଧିକରୁ ଅଧିକ ଆଗ୍ରହକୁ ନଜରକୁ ରଖି ନକଲି ଟିକାର କାରବାର ହେବାର ଆଶଙ୍କା ରହିଛି।

ପ୍ରଥମେ ଯେତିକି ବି ଟିକା ଆସିବ, ତାକୁ କାହାକୁ ଦିଆଯିବ ସେ ନେଇ ବିବ‌‌ାଦ ବି ଦେଖା ଦେଲାଣି। ଓଡ଼ିଶ‌ାରେ କାହାକୁ ଆଗେ ଟିକା ଦିଆଯିବ ତାହା ବର୍ତ୍ତମାନ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା କେତେଦୂର ଗ୍ରହଣୀୟ ହେବ ସମୟ କହିବ। କାହିଁକି ନା ସାଧାରଣ ଲୋକ ଟିକା ପାଇଲା ବେଳକୁ ଦୀର୍ଘ ଦିନ ଲାଗିଯିବ। ବର୍ତ୍ତମାନ ଯାହା ଜଣାପଡ଼ୁଛି, କରୋନା ଯୋଦ୍ଧ‌ା ଓ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ (ଯେଉଁମାନଙ୍କର କିଛି ନା କିଛି ଜଟିଳ ରୋଗ ରହିଛି) ଟିକା ଦିଆଯିବ। ତଥାପି ‌ଠିକ୍ ସମୟ ରେ ଟିକା ନ ମିଳିଲେ ବିବାଦ ଦେଖା ଦେବ।ଆଉ ଗୋଟିଏ ମୁଣ୍ଡ ବିନ୍ଧାର କାରଣ ରହିଛି। ଲୋକଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇ ଗଲେ ବି ଏତେ କମ୍ ସମୟରେ ସମ ପରିମାଣର ସିରିଞ୍ଜ, ତୁଳା ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତ ହୋଇ ପାରିବ କି ନାହିଁ କେତେକ ମଧ୍ୟ ପ୍ରଶ୍ନ କରିଛନ୍ତି।ଦେଶର କେଉଁ ରାଜ୍ୟକୁ ଟିକା ଆଗ ଦିଆଯିବ ଓ କେତେ ଦିଆଯିବ ସେ ନେଇ ବିବାଦ ମୁଣ୍ଡ ଟେକିବାର ସମ୍ଭାବନା ରହିଛି। ପ୍ରଥମେ ଅଧିକ ସଂକ୍ରମିତ ମ‌ହାରାଷ୍ଟ୍ର, ଦିଲ୍ଲୀ ଓ ଆସାମକୁ ଗୁରୁତ୍ବ ଦେବାକୁ‌ ନିଶ୍ଚୟ ଦାବି ଉଠିବ। କିନ୍ତୁ ଅନ୍ୟ ରାଜ୍ୟ ଗୁଡିକ କ’ଣ ଚୁପ୍ ବସିଯିବେ। ଏଣୁ ଟିକା ବିତରଣ ବେଳେ ନିଶ୍ଚୟ ବିବାଦ ସୃଷ୍ଟି ହେବ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଝଗଡା ‌ଲାଗିବାର ଅନେକ ସମ୍ଭାବନା ବି ରହିଛି। ସେ ପରିସ୍ଥିତିରେ ଓଡ଼ିଶାର ଲୋକ ମାନେ କେତେଦୂର ଉପକୃତ ହେବେ ତାହା ବିଚାର କରିବାର କଥା। ଏ ସମସ୍ୟା କେବଳ ରାଜ୍ୟ ର‌ାଜ୍ୟ ଭିତରେ ସୀମିତ ହୋଇ ରହିବ ନା‌ହିଁ। ରାଜ୍ୟ ଭିତର ଜିଲ୍ଲା ଜିଲ୍ଲା ଭିତରେ ବି ଦେଖା ଦେବାର ସମ୍ଭାବନାକୁ ଏଡାଯାଇ ନ ପାରେ। ଟିକା ଦେଲା ବେଳେ ପ୍ରମାଣ ରଖାଯିବାର ସୂଚନା ନାହିଁ। କେବଳ ଆଧାର କାର୍ଡ ସମେତ ଭୋଟ୍ ଦେଲା ବେଳେ ଯେଉଁ ସବୁ ପ୍ରମାଣପତ୍ର ଦେଖାଇବାକୁ ପଡ଼ିଥାଏ, ତାକୁ ଦେଖାଇବାକୁ ପଡ଼ିବ। ଏହାଛଡା ନିର୍ଦ୍ଦିଷ୍ଟ ପୋଟାଲ୍‌ (ଅନ୍‌ଲାଇନ୍‌) ରେ ନାମ ପଂଜୀକରଣ କରିବାକୁ ପଡ଼ିବ ବୋଲି କୁହାଯାଇଛି। କୌଣସି ପ୍ରମାଣପତ୍ର ରଖି ଟିକା ଦେଲେ, କାଗଜପତ୍ର ବି ଜାଲ୍ ହୋଇ ପାରେ ବୋଲି କେତେକ ଆଶଙ୍କା କରିଛନ୍ତି। କିନ୍ତୁ ଗରିବ,ଅପଢ଼ୁଆଙ୍କ ପାଇଁ ତାହା ସମସ୍ୟା ସୃଷ୍ଟି କରିବ।

ଆଉ ଏକ ନୂଆ ବିବାଦ ବି ଉଠିଛି, ସରକାର ଟିକା ମାଗଣାରେ ଦେବେ ନା ପଇସା ନେବେ। ସରକାର ଯଦି ଟିକା ମାଗଣା ରେ ଦିଅନ୍ତି, ତେବେ ତାହାର ବ୍ୟାପକ କଳାବଜାର ହେବାର ଆଶଙ୍କା ପ୍ରକାଶ ପ‌ାଉଛି। କାହିଁକି ନା ପ୍ରାରମ୍ଭିକ ଭ‌‌‌ାବେ କମ୍ ଟିକ‌‌ା ଆସିବାର ଥିବାରୁ ତାକୁ ଆଗୁଆ ହାତେଇ ନେବାକୁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯିବାର ଆଶଙ୍କାକୁ ଏଡାଇ ଦେଇ ହେବନି।
ଭାରତ କିମ୍ବା ଆମ ରାଜ୍ୟରେ କେଉଁ ଟିକା ଦିଆଯିବ ତାହା ଏଯାଏ ସ୍ଥିର ହୋଇ ନାହିଁ। କମ୍ ତାପମାତ୍ରାରେ ରଖାଯାଉଥିବ‌ା ତରିକା ମି‌ଳିଲେ ତ ଭଲ କଥା। ନଚେତ୍ ବିଯୁକ୍ତ ତାପମାତ୍ରାର ଟିକା ଅ‌ାସିଲେ ତାର ସଂରକ୍ଷଣ ଓ ବିତରଣ ନେଇ ସମସ୍ୟା ଲାଗି ରହିବ।କେତେକ ମତ ଦେଇଛନ୍ତି, କିଛି କରୋନା ଟିକାକୁ ସାଧାରଣତଃ ଅତି କମ୍ ତାପମାତ୍ରା (-୨୦ରୁ -୭୦ଂ)ରେ ସଂରକ୍ଷଣ କରି ରଖିବାକୁ ପଡ଼ୁଛି ବା ପଡ଼ିବ। କିନ୍ତୁ ଭାରତରେ ଅତିକମ୍ ତାପମାତ୍ରାରେ ରଖିବା ସୁବିଧା ନ ଥିବାରୁ ସେଗୁ ଡିକ କେ‌ଉଁଠାରେ ରଖାଯିବ ଓ ଗାଁ ଗହଳକୁ କିପରି ପଠାଯିବ ସେ ନେଇ ପ୍ରଶ୍ନ ଉଠିଛି। ଅର୍ଥାତ୍ ସାଧାରଣ ଲୋକ ଯେଉଁ ଟିକା ପାଇବେ ତାହାର ଗୁଣବତ୍ତା ନେଇ ସ‌ନ୍ଦେହ ଉଠିବା ନିଶ୍ଚିତ।

କରୋନା ‌ଟିକାର ସଫଳତା ପାଇଁ ସମଗ୍ର ବିଶ୍ବରେ ଉତ୍ସାହ ପରିଲକ୍ଷିତ ହୋଇଛି। କିନ୍ତୁ ଏହି ସବୁ ଟିକାର ଅନ୍ୟ ଏକ ଦିଗ ପ୍ରତି କମ୍ ଧାନ୍ୟ ଦିଆଯାଇଛି। ଅର୍ଥାତ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଅଛି କି ନାହିଁ ତାହା ଚିନ୍ତାର କାରଣ ହୋଇଛି। ଯଦିଓ ଟିକା ନେବାର ୩୦ ମିନିଟ୍ ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିରୀକ୍ଷଣରେ ରଖାଯାକୁ ନିଷ୍ପତ୍ତି ହୋଇଛି, ତଥାପି ପରବର୍ତ୍ତୀ ସମୟରେ ପାର୍ଶ୍ବ ପ୍ରତିକ୍ରିୟା (ଦୀର୍ଘକାଳୀନ) ରହିବ କି ନାହିଁ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି।କରୋନା ଟିକାର କାର୍ଯ୍ୟ ଦକ୍ଷତା ନେଇ ମଧ୍ୟ କିଛି ପ୍ରଶ୍ନ ଉଠାଇଛନ୍ତି। ସେମାନେ ଦର୍ଶାଇଛନ୍ତି, ଏହି ଟିକା ତରବରିଆ ଭାବେ ଆସୁଥିବ‌ାରୁ ମଣିଷ ଶରୀର‌ରେ ଟିକ‌‌ାର ପ୍ରଭାବ‌ କେତେଦିନ ରହିବ ତାହା ସନ୍ଦେହ ‌ଘେରରେ ରହିଛି। ଜଣେ ବ୍ୟକ୍ତି ଟିକାର ସଫଳତା ପାଇବା ପାଇଁ ଗୋଟିଏ ମ‌‌ାସରେ ଦୁଇଟି ଡୋଜ୍‌‌ (ପ୍ରଥମ ଡୋଜ୍ ଠାରୁ ଦ୍ବିତୀୟ ଡୋଜ୍‌ର ବ୍ୟବଧାନ ୨୦ରୁ ୨୫ ଦିନ ରହିବ) ନେବାର ଅଛି। ଦୁଇଟି ଡୋଜ୍ ନେବା ପରେ ତାର ପ୍ରଭାବ ଲୋକଟି ଉପରେ କେତେ ଦିନ ରହିବ ତାହା କେହି କହୁ ନାହାନ୍ତି। ଏହା ୬ ମାସ କିମ୍ବା ବ‌ର୍ଷେ ‌ରହି ପାରେ ବୋଲି ମଧ୍ୟ କୁହାଯାଉଛି। ଯଦି କିଛି ସମସ୍ୟା ହୁଏ, ସମ୍ପୃକ୍ତ ବ୍ୟକ୍ତି ଜଣକୁ ପୁଣି ଥରେ ଟିକା ନେବା କୁ  ପଡ଼ିପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.